କୋଲକାତା(୨୮/୯): ଆସନ୍ତା ଦୁର୍ଗାପୂଜା ଅବସରରେ ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାର ପ୍ରିନ୍ସ ଅନୱାର ଶାହ ରୋଡ୍ଠାରେ ହରିଦେବପୁରର ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର ଏବଂ ଇନ୍ଦ୍ରାଣୀ ପାର୍କ ଶ୍ରୀରାମକୃଷ୍ଣ ପାଠଚକ୍ର ପକ୍ଷରୁ ପରିଚାଳିତ ଚିତ୍ରାଙ୍କନ ଓ ଯୋଗ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ପୋଷାକ ବଣ୍ଟନ କରାଯାଇଥିଲା।



ଭବାନୀପୁରସ୍ଥିତ ରାମକୃଷ୍ଣ ମଠ ଗଦାଧର ଆଶ୍ରମର ସ୍ୱାମୀ ମୁକ୍ତିକାମାନନ୍ଦଜୀ ମହାରାଜ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ପ୍ରଦାନ କରିଥିଲେ।
ଦୁର୍ଗାପୂଜା ପୂର୍ବରୁ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ମନରେ ପାର୍ବଣର ଆନନ୍ଦ ଭରିଦେବା ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନୂତନ ପୋଷାକ ପାଇ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ଓ ଉତ୍ସାହିତ ହୋଇଥିଲେ।



ଏହି ଅବସରରେ ଆୟୋଜକମାନେ କହିଥିଲେ ଯେ, ଏଭଳି ଉଦ୍ୟମ ଶିଶୁମାନଙ୍କ ମଧ୍ୟରେ ପ୍ରେମ, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧର ବିକାଶରେ ସହାୟକ ହୋଇଥାଏ। ଏହି କାର୍ଯ୍ୟକ୍ରମ ରାମକୃଷ୍ଣ-ବିବେକାନନ୍ଦ ଭାବଧାରାର ସେବା, ତ୍ୟାଗ ଓ ମାନବକଲ୍ୟାଣର ମୂଲ୍ୟବୋଧକୁ ମଧ୍ୟ ପ୍ରତିଫଳିତ କରିଥିଲା।



ନୂତନ ପୋଷାକ ପାଇ ଶିଶୁମାନେ ଆନନ୍ଦ ପ୍ରକାଶ କରିବା ସହ ଏହି ସୁନ୍ଦର ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଥିଲେ। ନୂତନ ଉତ୍ସାହ ଓ ଆନନ୍ଦର ସହିତ ଦୁର୍ଗାପୂଜା ପାଳନ କରିବା ପାଇଁ ସେମାନେ ସ୍ୱାମୀଜୀଙ୍କ ମୂଲ୍ଯ ବୋଧ ଭରା ବାଣୀ ଦ୍ବାରା ଅନୁପ୍ରେରିତ ହୋଇଥିଲେ।ରିପୋର୍ଟ: ସନାତନ ମହାକୁଡ଼।