ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଭିତ୍ତିଭୂମି ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ସହରର ୪ଟି ୱାର୍ଡରେ ୯୦ ଲକ୍ଷ ୩୯ ହଜାର ୭୩୪ ଟଙ୍କା ଅଟକଳ ମୂଲ୍ୟର ୭ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ ଓ ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଛନ୍ତି।
ସହରର ୮ ଓ ୧୩ ନମ୍ବର ୱାର୍ଡରେ ବୈରାମ ନଗର ଛକଠାରୁ ଲେଙ୍କା ମେସ୍ ପର୍ଯ୍ୟନ୍ତ ୧୯ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ, ୧୩ ନମ୍ବର ୱାର୍ଡରେ ୪ ଲକ୍ଷ ଟଙ୍କା ବ୍ୟୟରେ ରାଧାକୃଷ୍ଣ ମନ୍ଦିରର ନୂତନ ମଣ୍ଡପ ନିର୍ମାଣ ଏବଂ ୫ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିରଠାରୁ ମହାନ୍ତି ଘର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ସେହିପରି ୧୨ ନମ୍ବର ୱାର୍ଡର ଦାମୋଦରପୁରରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଶ୍ୟାମସୁନ୍ଦର ମନ୍ଦିର ଛକଠାରୁ ଲମ୍ବୋଧର ପ୍ରଧାନଙ୍କ ଘର ପର୍ଯ୍ୟନ୍ତ ପେଭର ବ୍ଲକ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ ଏବଂ ଅନ୍ୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଦନା ଦାସଙ୍କ ଘରଠାରୁ ବାବୁ ସୁନାରିଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ହୋଇଛି।
୨୯ ନମ୍ବର ୱାର୍ଡରେ ୨୩ ଲକ୍ଷ ୭୯ ହଜାର ୭୩୪ ଟଙ୍କା ବ୍ୟୟରେ ପିସି କେସଙ୍କ ଘରଠାରୁ ତୁଷାର ଦୋଷୀଙ୍କ ଘର ପର୍ଯ୍ୟନ୍ତ ପେଭର ବ୍ଲକ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ୮ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ କମଳାକାନ୍ତ ପ୍ରଧାନଙ୍କ ଘରଠାରୁ ଗୋପାଳଗାଁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ଗମନାଗମନ ସୁଗମ ହେବା ସହ ବର୍ଷାଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟାର ସମାଧାନରେ ସହାୟକ ହେବ। ଏଥିସହ ଧାର୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିର ବିକାଶ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ଉପକୃତ କରିବ।
ସହରର ପ୍ରତ୍ୟେକ ୱାର୍ଡରେ ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପର୍ଯ୍ୟାୟକ୍ରମେ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି। ଉନ୍ନତ ସଡ଼କ, ସୁବ୍ୟବସ୍ଥିତ ଜଳ ନିଷ୍କାସନ, ପରିଚ୍ଛନ୍ନ ପରିବେଶ ଓ ଆଧୁନିକ ନାଗରିକ ସୁବିଧା ମାଧ୍ୟମରେ ସହରବାସୀଙ୍କ ଜୀବନମାନ ବୃଦ୍ଧି କରିବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ବିଧାୟକ ପ୍ରକାଶ କରିଛନ୍ତି।
ଏହି ଅବସରରେ କାଉନସିଲର ପ୍ରତିମା ବେହେରା, ପ୍ରୀତିଲତା ସେଠୀ, ଅନିନ୍ଦ୍ୟ କୁମାର ପଣ୍ଡା, କାର୍ତ୍ତିକ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।