ନମସ୍ତେ ଦେବ ଦାମୋଦର

ଦ୍ୱାପର ଯୁଗର କଥା l ଗୋଲକ ବିହାରୀ ଶ୍ରୀବିଷ୍ଣୁ ଏହି ଧରାଧାମରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ଗୋପ ପୁରରେ ନନ୍ଦ ବାବା ଓ ମାଆ ଯଶୋଦାଙ୍କ ବାତ୍ସଲ୍ୟ ଡୋରରେ ବନ୍ଧା ହୋଇ ଥାନ୍ତି l ତାଙ୍କର ବାଲ୍ୟ ଲୀଳା ଅବଲୋକନ କରି ସମଗ୍ର ଗୋକୁଳ ଅମୋଦିତ ହେଉଥାଏ l ଦିନକର କଥା, ସକାଳୁ ସକାଳୁ ମା’ ଯଶୋଦା ଖୁଆଦଣ୍ଡ ଧରି ଦଧି ମନ୍ଥନ କରୁଥାନ୍ତି l ଏତିକିବେଳେ ନଟଖଟ କାହ୍ନା କୁଆଡ଼ୁ ଠୂକୁ ଠୁକୁ କରି ଚାଲି ଆସି ଯଶୋଦାଙ୍କ ପିଠିରେ ଲଥ କରି ଆଉଜି ପଡ଼ି କହିଲେ,’ମାଆ ମାଖନ’l କହ୍ନେଇକୁ କୋଳରେ ଧରି ମାଆ ବହୁତ ଗେହ୍ଲା କରି କହିଲେ,’ହଉ,ମୁଁ ତତେ ସର,ଲବଣୀ ସବୁ ଖୁଆଇଦେବି ଖାଲି ଦହି ମୁହାଁ ସରିଯାଉ l ଯାଆ ଭାଇ ବଳରାମ ସାଥିରେ ଖେଳୁ ଥାଆ’l ନଟଖଟ କାହ୍ନା କିନ୍ତୁ ଜିଦ ଧରି ବସିଲେ ମୁଁ ଏଇନେ ମାଖନ ଖାଇବି l ଏତିକିବେଳେ ଚୁଲିରେ ବସିଥିବା କ୍ଷୀର ଉତୁରୀ ପଡ଼ିବାରୁ ମାଆ ସେଆଡ଼େ ଧାଇଁଗଲେ l ବାଳକ କାହ୍ନାର କ୍ରୋଧ ବଢ଼ିଗଲା l ପାଖରେ ପଡ଼ି ଥିବା ଶିଳପୁଆଟିଏ ଆଣି ଦହି ହାଣ୍ଡିକୁ ପାହାରେ କଷି ଦେଲେ l ଦହିହାଣ୍ଡି ଭାଙ୍ଗି ଚୁନା ଚୁନାହୋଇ ଗଲା l ଦହି, ଦୁଧ,ସର,ମଖନ ସବୁ ଘରେ ଭାସୁ ଥାଏ l ଯଶୋମତି ଶବ୍ଦଶୁଣି ଦଉଡ଼ିଆସି ଦେଖନ୍ତି କାହ୍ନା ଏଭଳି କାଣ୍ଡ କରି ବସିଛି l ମାଆଙ୍କୁ ଆଉ ସମ୍ଭାଳେ କିଏ l କଳାକାହ୍ନୁଙ୍କ କାନଧରି କହିଲେ, ‘ଦୁଷ୍ଟ !!! ତୁ ସବୁ ଦହି ନଷ୍ଟ କଲୁ l ଆଜି ତୋ’ର ଦିନେ କୁ ମୋର ଦିନେ’l ଏମିତି କହି ଘରଭିତରୁ ଗାଈଛନ୍ଦଟିଏ ଆଣି କାହ୍ନୁଙ୍କୁ ବାନ୍ଧିବାକୁ ବସିଲେ l କିନ୍ତୁ ଏ କ’ଣ,ଯେତେ ଦଉଡ଼ି ଆଣୁଛନ୍ତି କାହ୍ଣୁଙ୍କୁ ତାହା ନିଅଣ୍ଟ ହେଉଛି lଶେଷରେ କାହ୍ନୁ ମାଆଙ୍କ ମମତା ପାଖରେ ହାର ମାନିଲେ l କହ୍ନେଇ ସୁନା ପିଲାଟି ପରି ହାତ ଯୋଡ଼ି ଦେଲେ l ଦଉଡ଼ିରେ କହ୍ନେଇକୁ ବାନ୍ଧି ଦେଇ ଯଶୋଦା ତାଙ୍କୁ ଗୋଟିଏ ଉଦୁଖଳରେ ନେଇ ଖଟେଇଦେଲେ l କହିଲେ, “ଯାଃ ! ଦୁଷ୍ଟ ଏଥର କୁଆଡ଼େ ଯାଉଛୁ ଯା “l କି ବିଚିତ୍ର ଦୃଶ୍ୟ ସେ l ଯିଏ ସମଗ୍ର ସଂସାରକୁ ନିଜ ମାୟାରେ ବନ୍ଧନ କରି ରଖିଛି ତାକୁ ଗୋପାଳୁଣୀ ଯଶୋଦା ବାନ୍ଧୁଛି :-
ଯେ ହରି ତିନି ଗୁଣେ ଛନ୍ଦି l
ସଂସାର କରି ଅଛି ବନ୍ଦୀ ll
ତାକୁ ବାନ୍ଧିଲା ନନ୍ଦ ନାରୀ l
ପୂର୍ବେ ଅନେକ ତପ କରି ll
ଯଶୋମତି କହ୍ନେଇକୁ ବାନ୍ଧି ଦେଇ ଘର କାମରେ ଲାଗି ଗଲେ l କାହ୍ନା ଗୁରୁଣ୍ଡି ଗୁରୁଣ୍ଡି ଉଦୁଖଳଟିକୁ ସାଥିରେ ଟାଣିନେଇ ଇଆଡ଼େ ଯାଇ ପହଞ୍ଚିଗଲେ ଅଗଣାରେ କେଉଁ କାଳରୁ ଥିବା ଯାଆଁଳା ଦୁଇଟି ଅର୍ଜୁନ ବୃକ୍ଷ ପାଖରେ l ସେ ଯାମଳ ଅର୍ଜୁନ ବୃକ୍ଷ ଥିଲେ କୁବେରଙ୍କର ଦୁଇ ପୁତ୍ର ନଳ କୁବେର ଓ ମଣିଗ୍ରୀବ lପୂର୍ବେ ସେମାନେ ଗଙ୍ଗାନଦୀରେ ଜଳ କ୍ରୀଡ଼ା କରୁଥିବା ସମୟରେ ଦେବର୍ଷି ନାରଦଙ୍କୁ ଅବମାନନା କରି ଶାପଗ୍ରସ୍ତ ହୋଇ ଵୃକ୍ଷରୂପରେ ଜନ୍ମ ହୋଇଥିଲେ l ଶାପ ପାଇ ସେମାନେ ମୁକ୍ତି ପାଇଁ ନାରଦଙ୍କୁ ପ୍ରାର୍ଥନା କରିଥିଲେ l ନାରଦମୁନି ଦୟାପରବଶହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ତୁମେ ଦୁହେଁ ଗୋପ ପୁରରେ ଯାମଳାର୍ଜୁନ ବୃକ୍ଷ ହୋଇ ନନ୍ଦବାବାଙ୍କ ଅଗଣାରେ ଥିବ l ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ବାଲ୍ୟକ୍ରୀଡ଼ା କରି ତୁମ ମାନଙ୍କୁ ମୁକ୍ତି ପ୍ରଦାନ କରିବେ l
ସେହି ଯାମଳାର୍ଜୁନଙ୍କ ମୁକ୍ତି ସମୟ ଆସି ଉପଗତ ହୋଇ ଥିଲା l ଦୁଇ ଗଛଙ୍କ ମଧ୍ୟରେ ବାଳକ କୃଷ୍ଣ ଗୁରୁଣ୍ଡି ଗୁରୁଣ୍ଡି ପଶିଗଲେ l ଲଟକି ରହିଗଲା ଦୁଇ ବୃକ୍ଷଙ୍କ ମଧ୍ୟରେ ଉଦୁଖଳଟି l କୃଷ୍ଣ ଅଣ୍ଟାରେ ବନ୍ଧା ହୋଇଥିବା ରସି ସାହାଯ୍ୟରେ ଉଦୁଖଳକୁ ଧୀରେ ଧୀରେ ଆକର୍ଷଣ କଲେ l ହଠାତ ଯାମଳ ଅର୍ଜୁନ ବୃକ୍ଷଦୁଇଟି ଭୟଙ୍କର ଶବ୍ଦକରି ଭୂପତିତହେଲେ l ଶବ୍ଦଶୁଣି ଗୋପୀ ଗୋପାଳ ସବୁ ଧାଇଁ ଆସିଲେ l ସେମାନେ ଦେଖିଲେ ବୃକ୍ଷ ଦ୍ୱୟରୁ ଦୁଇଜଣ ଦିବ୍ୟ ତେଜୋମୟ ପୁରୁଷ ବାହାରି ବାଳକୃଷ୍ଣଙ୍କୁ ପ୍ରଣାମ କରି ଶୂନ୍ୟ ମାର୍ଗରେ ଉଭେଇ ଗଲେ l ମାଆ କି ଜାଣନ୍ତି ଭଗବାନଙ୍କ ଲୀଳା କଥା l ସେ ତ ସ୍ନେହ କାଙ୍ଗାଳୁଣୀ ମାଆ l ପୁତ୍ର ସ୍ନେହରେ ବାଇ ହୋଇ ଯଶୋଦା ଦଉଡ଼ି ଆସିଲେ ଏବଂ ‘ମୋ କାହ୍ଣୁରେ ‘ କହି ତାଙ୍କୁ ବନ୍ଧନମୁକ୍ତ କଲେ l କାହ୍ନୁକୁ କାଖରେ ତୋଳି ଧରି ବାରମ୍ବାର ଚୁମ୍ବନ ଦେଇ କାନମୋଡ଼ି ହୋଇ କହିଲେ,”ଆଉ ଦିନେ ମୁଁ ଏ ଭଳି ଭୁଲ କରିବି ନାହିଁ “l
ଏହାହିଁ ହେଉଛି ଶ୍ରୀମଦ ଭାଗବତର ଯାମଳାର୍ଜୁନ ମୋକ୍ଷ କାହାଣୀ l ଭଗବାନ ଶ୍ରୀକୃଷ୍ଣଙ୍କ ଉଦର ବା ପେଟ ଦାମ ବା ଦଉଡ଼ିରେ ବନ୍ଧା ହୋଇ ଥିବାରୁ ତାଙ୍କର ବହୁ ନାମ ମଧ୍ୟରୁ ଗୋଟିଏ ନାମ ହେଲା ଦାମୋଦର l ପୁଣ୍ୟ ମାସ କାର୍ତ୍ତିକରେ ଶ୍ରୀବିଷ୍ଣୁଙ୍କୁ ଦାମୋଦର ରୂପରେ ପୂଜା କରାଯାଏ ଓ ପାଳିତ ହୁଏ ରାଇ ଦାମୋଦର ବ୍ରତ l ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରାଇଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ l ଭଗବାନଙ୍କ ନାମ କାର୍ତ୍ତିକ ମାସରେ ଦାମୋଦର l ଏଣୁ ଭକ୍ତକବି ମହାଦେବ ଦାସ କାର୍ତ୍ତିକମାହାତ୍ମ୍ୟ ଗ୍ରନ୍ଥ ଆରମ୍ଭରେ ଭଗବାନ ଦାମୋଦରଙ୍କୁ ବନ୍ଦନା କରିଛନ୍ତି :-
ନମସ୍ତେ ଦେବ ଦାମୋଦର l
ଯା ନାମ ଶରଣ ସୋଦର ll
ଅଶେଷ ବ୍ରହ୍ମାଣ୍ଡର ନାଥ l
ଯାର ଚରିତ ପୁଣ୍ୟ ପଥ ll

ଓଁ ନମଃ କମଳାକାନ୍ତାୟ ନମସ୍ତେ
ଜଳଶାୟୀନେ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.