ନକଲି

ବିଳାସ ଚନ୍ଦ୍ର ବେହେରା

ଯୁଗେ ଯୁଗେ ନକଲିର
ଅଛି ଇତିହାସ
ନକଲି ସୀତାଙ୍କୁ ନେଇ
ରାମ ବନବାସ l
ସୀତାଙ୍କୁ ହରିବା ପାଇଁ
ରାବଣ ଚିନ୍ତିଲା
ନକଲି ହରିଣ ସାଜି
ମାରିଚ ବୁଲିଲା l
ବିଂଶବାହୁ ଗଲା ବନି
ନକଲି ବାବାଜୀ
କୁଟୀରରୁ ଝାମ୍ପି ନେଲା
ସାଧୁ ବେଶ ସାଜି l
ନକଲି ସ୍ୱାମୀ ରୂପରେ
ଇନ୍ଦ୍ର ପହଁଚିଲେ
ମିଥ୍ୟା କଥା କହି ଇନ୍ଦ୍ର
ଅହଲ୍ୟା ହରିଲେ l
ଗୌତମ ପହଞ୍ଚି ସେଠି
ଦେଲେ ଅଭିଶାପ
ପାଷାଣ ପାଲଟି ଗଲା
ଅହଲ୍ୟାର ରୂପ l
ଅସଲି ବାବାଜୀ ଥିଲେ
ସନ୍ଥ ରାମଦାସ
ଗୁରୁ ରାମକୃଷ୍ଣ କର୍ମେ
ଅଗାଧ ବିଶ୍ୱାସ l
ଅସଲିକୁ କପି କରି
ନକଲି ସାଜିଲେ
ଧରାପଡ଼ି ଭଣ୍ଡ ବାବା
କଷଣ ଭୋଗିଲେ l
ନକଲି କୃଷକ କଲେ
କଲମରେ ଚାଷ
କାଳିଆ ଯୋଜନା ଅର୍ଥ
କରୁଛନ୍ତି ଗ୍ରାସ l
ନକଲି ପ୍ରମାଣ ପତ୍ରେ
ମିଳୁଛି ଚାକିରୀ
ନକଲି ପୋଲିସ ସାଜି
କରୁଛନ୍ତି ଚୋରି l
ସ୍ୱର୍ଗେ ଥାଇ ଗାନ୍ଧୀ ଦେଖେ
ନକଲି ଲୁଣକୁ
ନକଲି ଖାଦ୍ୟ ବେଉସା
ହାଟ ବଜାରକୁ l
ନକଲି ଔଷଧ କଥା
ନ କହିବା ଭଲ
ବଡ଼ ବଡ଼ ଲୋକ ସବୁ
ସାଜିଛନ୍ତି ଢାଲ l
ମଣିଷ ପିଆଏ ସ୍ନେହେ
ମଣିଷକୁ ବିଷ
ସଜାଗ ନହେଲେ ଦେଶ
ହେବ ସର୍ବନାଶ l
ନକଲି ର ଅଭିନୟ
କରନାହିଁ ପ୍ରଭୁ
ଅସଲି ରୂପରେ ଜାଗି
ଜାଳିଦିଅ ସବୁ l
ଅସଲି ଦୁନିଆ ଗଢ଼
ପ୍ରଭୁ ଜଗନ୍ନାଥ
କରନାହିଁ ଜନତାଙ୍କୁ
ଆଉ ହନ୍ତସନ୍ତ l

ଜୟ ଜଗନ୍ନାଥ 🙏🙏🙏🙏..

ନଳିତା ନିଳୟ
ବନ୍ତୁଣିଆ, 42 ମୋୖଜ଼ା,
କଟକ l

Comments are closed.