ବିଜନ ବେଳାର ସାଥି

ଭାରତୀ ରଥ

ତୁମେ କିଏ ମୋର ପଚାରେ ଯଦି କେ
କି ଦେବି ତାକୁ ମୁଁ ଉତ୍ତର
ବିଜନ ବେଳାର ସାଥିଟିଏ ହୋଇ
ଆସିଲ ଜୀବନେ ମୋହର।

ଖସଡ଼ା ପଥରେ ବାଟ ଚାଲୁ ଚାଲୁ
ଧରିନେଲ ହାତ ମୋହର
ଅଙ୍କାବଙ୍କା ନଈ ବହିଯାଏ ମୁହିଁ
ସାଜିଲ ଯେ ତୁଠ ପଥର
ଚାଲିବାକୁ ମୋତେ ଦେଖାଇଲ ପଥ
ହେଉ ବା ଯେତେ ବନ୍ଧୁର ।
ବିଜନ ବେଳାର…..

ଏତେ ବଡ ଏଇ ଦୁନିଆଟା ଯେବେ
ହାତ ଛାଡ଼ି ଦେଲା ଠେଲି
ତୁମେ ହିଁ ତ ଥିଲ ଏକୋଇ ସାହାରା
ନେଇଥିଲ ହେ ସମ୍ଭାଳି
କି ନାମ ଦେବି ମୁଁ ଜାଣି ପାରେନାହିଁ
ଦେହାତୀତ ଏ ସମ୍ପର୍କର ।
ବିଜନ ବେଳାର …….

ଜୀବନ ମରୁରେ ମରୁଦ୍ୟାନ ସମ
ଆଶା-ଫଳ ଦେଲ ବିଞ୍ଚି
ମରୀଚିକା ପଛେ ଧାଇଁଲା ବେଳକୁ
ମାୟା-ଜଳ ଦେଲ ସିଞ୍ଚି
ତୁମ ଇଙ୍ଗିତରେ ତୁମକୁ ଖୋଜୁଛି
ଜଳ ସ୍ଥଳ ଚରାଚର ।
ବିଜନ ବେଳାର……

ମାୟା ଜାଲେ ପଡ଼ି ଖୋଜେ ହୃଦ ଖୋଲି
ତୁମ ସ୍ନିଗଧ ପରଶ
ଜୀବନ ପାତ୍ରରେ ଭର ହେ ଅମୃତ
ହରିନେଇ ସବୁ ବିଷ
ଦୁନିଆକୁ କିବା ବୁଝାଇ ପାରିବି
ତୁମେ ମୋ ପ୍ରିୟ ଠାକୁର।
ବିଜନ ବେଳାର……..

ଭାରତୀ ରଥ( ଶିକ୍ଷୟିତ୍ରୀ)
ରଗଡ଼ି, ବାଙ୍କୀ, କଟକ

Comments are closed.