ନବରାତ୍ରରେ କୁମାରୀ ପୂଜନ

ଅର୍ଜୁନୀ ଚରଣ ବେହେରା

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ବଧ ନିମନ୍ତେ ଶରତକାଳରେ ମାଆ ଦୁର୍ଗାଙ୍କୁ ଆବାହନ କରିଥିଲେ ବୋଲି ରାମାୟଣରୁ ଜଣା ଯାଇଥାଏ l ଏହା ‘ଅକାଳବୋଧନ’ ନାମରେ ବିଦିତ, କାରଣ ଶରତକାଳରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ହୋଇ ଥାଏ l ଶ୍ରାବଣମାସରୁ ପୌଷମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ ଦକ୍ଷିଣାୟନ ଏବଂ ମାଘରୁ ଆଷାଢ଼ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉତ୍ତରାୟଣ lଦକ୍ଷିଣାୟନ ଦେବ ମାନଙ୍କର ରାତ୍ରି l ତେଣୁ ଉତ୍ତରାୟଣ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ lରାବଣ ବ୍ରହ୍ମାଙ୍କ ବର ଲାଭକରି ଅପାରଶକ୍ତିର ଅଧିକାରୀ ହୋଇଥିବାରୁ ତାକୁ ବଧକରିବା ନିମନ୍ତେ ଦେବୀଙ୍କ କୃପା ଏକାନ୍ତ ଆବଶ୍ୟକ l ତେଣୁ ବ୍ରହ୍ମା ରାମଙ୍କୁ ଶରତକାଳରେ ଦେବୀଙ୍କ ପୂଜା କରିବାକୁ ନିର୍ଦ୍ଦେଶ ଦେଲେ l ପ୍ରଭୁ ଶ୍ରୀରାମ ଦ୍ୱନ୍ଦ୍ୱରେ ପଡ଼ିଲେ l ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ l ପ୍ରଶ୍ନ, ଦେବୀ ଜାଗ୍ରତ ନା ନିଦ୍ରିତ? ଦେବୀ ଏବେ ଜାଗ୍ରତ ହୋଇ ଆବିର୍ଭୂତ ହେବେ ତ? ଶ୍ରୀରାମ ଧ୍ୟାନ ମଗ୍ନ ହୋଇ ଜାଣି ପାରିଲେ ଦେବୀ ତ୍ରିଶାଖା ବିଲ୍ୱ ପତ୍ର ଉପରେ କୁମାରୀ କନ୍ୟା ରୂପରେ ଶାୟିତ l ଏହା ଦେଖି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବା ଚିନ୍ତାକରି ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀ ଦିନ ପ୍ରଭୁ ବିଲ୍ୱାଧିବାସ କଲେ l ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜାକଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନାହିଁ l ଅଷ୍ଟମୀରେ ଯୋଗିନୀ ମାନଙ୍କୁ ଆବାହନ କରି ବିଶେଷ ପୂଜା କଲେ ଶ୍ରୀରାମ l ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ ସନ୍ଧିକ୍ଷଣରେ ପ୍ରଭୁ ଦେଵୀ ଦୁର୍ଗାଙ୍କ ପୂଜା କଲେ l ଏହା‘ସନ୍ଧିପୂଜା’ ନାମରେ ବିଦିତ l ଚାମୁଣ୍ଡାଦେବୀଙ୍କ ସହାୟତାରେ ଶ୍ରୀରାମ ଏହି ‘ସନ୍ଧିପୂଜା’ କରିଥିଲେ l ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଓ ପୁନର୍ବାର କୁମାରୀରୂପରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନଦେଲେ l ଏଣୁ ନବରାତ୍ର ଅବସରରେ ନବମୀଦିନ କୁମାରୀ ପୂଜାର ପ୍ରଚଳନ ହେଲା l ସପ୍ତମୀ ଓ ଅଷ୍ଟମୀରେ ମଧ୍ୟ କେତେକ ସ୍ଥାନରେ କୁମାରୀପୂଜନ ଅନୁଷ୍ଠିତ ହୋଇଥାଏ l କୁମାରୀ ସାକ୍ଷାତ ଯୋଗିନୀ,ପରମା ଦେବୀ ଓ ପରମ ପ୍ରକୃତି l ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି,’ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ l ଅର୍ଥାତ୍‌ ସମସ୍ତ ମାତୃ ଜାତି, ବ୍ରହ୍ମମୟୀ, ମହାମାୟୀ ତଥା ଜଗତ ଜନନୀଙ୍କର ଏକ ଅଂଶ l ପ୍ରତ୍ୟେକ ନାରୀ ମାଆ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ସତ୍ତା ବିଶେଷଭାବରେ ପ୍ରକାଶିତ l ତନ୍ତ୍ର ମତେ ଷୋଳ ବର୍ଷ ପର୍ଯ୍ୟନ୍ତ ଅପ୍ରାପ୍ତ ବୟସ୍କା ଅବିବାହିତା କନ୍ୟାଙ୍କୁ କୁମାରୀ କୁହା ଯାଇ ଥାଏ l କୁମାରୀ କନ୍ୟା କୁସୁମ ପ୍ରାୟ ପବିତ୍ର l ସେ ଦେବ ସେବା ଯୋଗ୍ୟା l
ଶ୍ରୀ ରାମକୃଷ୍ଣ ପରମହଂସ ଓ ତାଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ପରବର୍ତ୍ତୀ କାଳରେ କନ୍ୟାପୂଜନର ବହୁଳ ପ୍ରଚାର କରିଥିଲେ ଓ ରାଣୀ ରାସମଣୀଙ୍କ ଦ୍ୱାରା କୁମାରୀପୂଜା କରାଇ ଏହାକୁ ସାର୍ବଜନୀନ କରାଇଥିଲେ l କଥିତ ଅଛି,ଯେଉଁମାନେ କୁମାରୀ ପୂଜାକରନ୍ତି ବା ଦର୍ଶନକରନ୍ତି,ସେମାନେ ଚତୁବର୍ଗ ଫଳ ପ୍ରାପ୍ତ ହୋଇଥାନ୍ତି l କୁମାରୀ ପୂଜନ ହେଉଛି ମାତୃ ଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ବିଶେଷ l
ପୁରାଣ ବର୍ଣ୍ଣନାମତେ କୁମାରୀକନ୍ୟା ପୂଜନ ଦ୍ୱାରା ମା’ ଦୁର୍ଗା ସନ୍ତୁଷ୍ଟା ହୋଇଥାନ୍ତି l କନ୍ୟା ପୂଜନରେ
ସାଧାରଣତଃ ଦୁଇବର୍ଷ ବୟସରୁ ଦଶବର୍ଷ ବୟସ ବାଳିକାମାନଙ୍କୁ ଚନ୍ଦନ ଓ କୁଙ୍କୁମରେ ସଜ୍ଜିତକରି, ମୁଣ୍ଡରେ ନାଲି ଓଢ଼ଣା ଦେଇ, ନବବଧୂ ବେଶରେ ସଜ୍ଜିତ କରା ଯାଏ l ପାଦ୍ୟ, ଅର୍ଘ୍ୟ ପ୍ରଦାନ ପୂର୍ବକ ନବଦୁର୍ଗା ଭାବେ ତାଙ୍କୁ ବନ୍ଦାପନା କରାଯାଏ l ଏ କୁମାରୀ କନ୍ୟାଗଣ ଯଥାକ୍ରମେ କୁମାରୀ, ତିମୂର୍ତ୍ତି, କଲ୍ୟାଣୀ,କାଳିକା,ଚଣ୍ଡିକା,ଶାମ୍ଭବୀ,ଦୁର୍ଗା,ସୁଭଦ୍ରା ଓ ରୋହିଣୀ ଭାବରେ ଆରାଧିତା ହୁଅନ୍ତି l କଥିତ ହୁଏ,ଏହି ରୂପରେ କୁମାରୀ ମାନଙ୍କୁ ପୂଜନ କଲେ ମନୁଷ୍ୟର ଦୁଃଖ,ଦାରିଦ୍ର୍ୟ ଏବଂ ଶତ୍ରୁନାଶ ହୋଇ ଥାନ୍ତି l ଧନଧାନ୍ୟ ବୃଦ୍ଧି ପାଏ l ରୋଗ ନାଶ ହୁଏ ଏବଂ ସର୍ବ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l
କୁମାରୀ ପୂଜନ ନିର୍ଦ୍ଦେଶ କରେ ଆମ ଭାରତୀୟ ସଂସ୍କୃତିରେ ନାରୀ ହିଁ ନାରାୟଣୀ l ଅର୍ଥାତ୍ ପ୍ରତି ଗୃହର ସେ ସର୍ବମୟକର୍ତ୍ତ୍ରୀ l ପାର୍ବତୀ ଭାବେ ସେ ବଶମ୍ବଦା ପତ୍ନୀ,ଲକ୍ଷ୍ମୀ ଭାବେ ସେ ଘରର ଗୃହିଣୀ ସରସ୍ୱତୀଭାବେ ସେ ପରିବାର ପରିଜନଙ୍କ ଆଦ୍ୟ ଶିକ୍ଷୟିତ୍ରୀ, ଅନ୍ନପୂର୍ଣ୍ଣା ଭାବରେ ପରିବାର ସଦସ୍ୟ ଓ ଅତିଥିମାନଙ୍କ ସେ କ୍ଷୁଧାତୃଷା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l କାଳୀ ରୂପରେ ସେ ଆବଶ୍ୟକ ସ୍ଥଳେ ଦଣ୍ଡବିଧାନ କରାଇ ଥାଏ l
ପୁରୁଷ ଶକ୍ତିମାନ,କିନ୍ତୁ ନାରୀଶକ୍ତି ବିନା ସେ କିଛି ମଧ୍ୟ କରିବାପାଇଁ ସମର୍ଥ ନୁହେଁ l ସ୍ୱୟଂ ଭଗବାନ ରାବଣବଧ ନିମନ୍ତେ ଦେବୀଙ୍କ ଆଶିର୍ବାଦ କାମନା କରିଥିଲେ l ମହିଷାସୁରକୁ ଦେବୀ ହିଁ ବଧ କରିବା ନିମନ୍ତେ ସମର୍ଥ ହୋଇ ଥିଲେ l ଆଦିକବି ଶାରଳା ଦାସଙ୍କ ବିଲଙ୍କା ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ବଧ ବିବରଣୀ ଦେଲାବେଳେ ମାଆସୀତା କହୁଛନ୍ତି :-
ଜାନକୀ ବୋଇଲେ ପ୍ରଭୁ ପ୍ରତିଜ୍ଞା ନକର l
ମୁହିଁ ନ ମାଇଲେ କାହୁଁ ମରନ୍ତା ଅସୁର ll
ଆମ ହିନ୍ଦୁଧର୍ମରେ ନବରାତ୍ରି ପର୍ବର ବହୁତ ମହତ୍ଵ ରହିଛି l ଏହା ମାନ୍ୟ ଯେ, କନ୍ୟା ମାନେ ମାଆଙ୍କ ସ୍ୱରୂପରେ ପୃଥିବୀରେ ବାସ କରିଥାନ୍ତି l ଶାସ୍ତ୍ରରେ ଦୁଇବର୍ଷର କନ୍ୟାକୁ ରୋହିଣୀ,ଛବର୍ଷର କନ୍ୟାକୁ କାଳିକା, ସାତବର୍ଷର ଝିଅକୁ ଚଣ୍ଡିକା, ଆଠ ବର୍ଷ ଝିଅକୁ ଶାମ୍ଭବୀ, ନଅବର୍ଷର କନ୍ୟାକୁ ଦୂର୍ଗା ଏବଂ ଦଶବର୍ଷ ବୟସ କନ୍ୟାକୁ ସୁଭଦ୍ରାବୋଲି ଅଭିହିତ କରାଯାଇଛି l ଭକ୍ତିରେ କରା ଯାଇଥିବା ଗୋଟିଏ ବର୍ଷ କନ୍ୟାପୂଜା ଦ୍ଵାରା ଐଶ୍ଵର୍ଯ୍ୟପ୍ରାପ୍ତ ହୋଇଥାଏ ଦୁଇ ବର୍ଷ କନ୍ୟା ପୂଜନ ଦ୍ଵାରା ଭୋଗ, ତିନି ବର୍ଷ ପୂଜନ ଦ୍ଵାରା ପୁରୁଷାର୍ଥ, ଚାରି ବର୍ଷ କନ୍ୟା ପୂଜନ ଦ୍ଵାରା ରାଜ ସମ୍ମାନ,ପାଞ୍ଚ ବର୍ଷ କନ୍ୟାପୂଜା ଦ୍ଵାରା ବୁଦ୍ଧି ବିଦ୍ୟା, ଛଅ ବର୍ଷ କନ୍ୟା ପୂଜା ଦ୍ଵାରା କାର୍ଯ୍ୟ ସିଦ୍ଧି, ସାତ ବର୍ଷ କନ୍ୟା ପୂଜା ଦ୍ଵାରା ପରମ ପଦ, ଆଠ ବର୍ଷ କନ୍ୟା ପୂଜା ଦ୍ଵାରା ଅଷ୍ଟଲକ୍ଷ୍ମୀ ଓ ନଅ ବର୍ଷ କନ୍ୟା ପୂଜାଦ୍ଵାରା ସବୁ ପ୍ରକାରର ସଫଳତା ପ୍ରାପ୍ତ ହୋଇଥାଏ l
ନେପାଳରେ କୁମାରୀଦେବୀ ପୂଜା ପରମ୍ପରା ଏକ ନିଆରା ବ୍ୟବସ୍ଥା l ଜଣେ କୁମାରୀ କନ୍ୟାକୁ ଏକ ବିଧିବଦ୍ଧ ପଦ୍ଧତିରେ ନିର୍ଵାଚନ କରାଯାଏ l ସେହି ନିର୍ବାଚିତ କନ୍ୟାଟି ୠତୁମତି ହେବାଯାଏ କୁମାରୀ ଦେବୀର ଆସନମଣ୍ଡନ କରନ୍ତି ଓ ପୂଜିତ ହୁଅନ୍ତି l ସେ ୠତୁମତି ହେବା ପୂର୍ବରୁ ଆଉ ଜଣେ କୁମାରୀ ଦେବୀଙ୍କୁ ଚୟନ କରାଯାଇ ଥାଏ l
ଜୟ ମାଆ ଦୁର୍ଗା
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.