ହେ ମହାମାନଵ ଶାନ୍ତିଦୂତ

ଅର୍ଜୁନୀ ଚରଣ ବେହେରା

ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ,
ପୁରାଣ ପ୍ରସିଦ୍ଧ ସେ କାଶୀଧାମ,
ଲାଲ ବହାଦୁର ପାଶେ ଜନମିଲେ
ଅକଟୋବର ଦୁଇ ତାରିଖେ ଜାଣ ll
ଶାରଦା ପ୍ରସାଦ ରାମ ଦୁଲାରୀ,
ପାଳିଲେ ପୁତ୍ରକୁ ଶରଧା କରି,
ବାପା ବାଲ୍ୟକାଳେ ହେଲେ ସ୍ଵର୍ଗବାସୀ
ଲାଲବାହାଦୁରେ ଅନାଥ କରି ll
ବାଲ୍ୟ କାଳୁ ସହି କେତେ କଷଣ,
ମାତୁଳ ଗୃହରେ ହେଲେ ପାଳନ,
ଦାରିଦ୍ର୍ୟରୁ ତାଙ୍କୁ ଶିକ୍ଷା ମିଳିଥିଲା
କୋମଳ ହୃଦୟ ବାହାରେ ଟାଣ ll
କାଶୀ ବିଦ୍ୟାପୀଠେ ଗରିବ ଲାଲ,
ବିଦ୍ୟା ସାଧନରେ କଲା କମାଲ,
ଦର୍ଶନ ବିଦ୍ୟାରେ ପ୍ରବୀଣ ହୋଇ,
ଫେରିଲା ସେ ଶାସ୍ତ୍ରୀ ଉପାଧି ନେଇ ll
ଫିଙ୍ଗିଦେଲା ଶ୍ରୀବାସ୍ତବ ସାଙ୍ଗିଆ,
ଶାସ୍ତ୍ରୀ ସାଙ୍ଗିଆରେ କଲା କିମିଆ,
ଗାନ୍ଧୀ ମହାତ୍ମାଙ୍କ ଡାକରେ ମାତି
ସ୍ୱାଧୀନ ସମରେ ପାତିଲା ଛାତି ll
ସତ୍ୟ ଅହିଂସାର ସମରେ ମିଳି,
ଖାଇଲା ପାହାର ଖାଇଲା ଗୁଳି,
ଗୁରୁ ଚେଲା ଦୁହେଁ ଅଂଟାକୁ ଭିଡ଼ି
ଇଂରେଜ ଶାସନ ଦେଲେଟି ତଡ଼ି ll
ସତ୍ୟାଗ୍ରହ ମନ୍ତ୍ରେ ହୋଇଲ ମନ୍ତୀ,
ହେଲ ଭାରତର ପ୍ରଧାନ ମନ୍ତ୍ରୀ,
ଦେଶୁ ଦୂର କଲ ଖାଦ୍ୟ କଷଣ
ଡାକ ଦେଇ ତୁମ୍ଭେ ଜୟ କିଷାନ ll
ନିଷ୍ଠୁର ଅଇରି ବଢାଇ ହାତ,
ସୃଷ୍ଟି କଲା କେତେ ରକତ ପାତ,
ସୈନିକେ ଡାକିଲ ଜୟ ଯବାନ
ପଦାନତ ହେଲା ଶତ୍ରୁର ଟାଣ ll
ଶତ୍ରୁକୁ ପୁଣି ବଢାଇ ହାତ,
ସାଜିଲ ଭାରତ ଶାନ୍ତି ଦୂତ,
ତାସକେଣ୍ଟ ନବରେ ଚହଳ ପଡିଲା
ଚୁକ୍ତି ହୋଇଛି ସ୍ବାକ୍ଷରିତ ll
ଏ ଦେଶକୁ ଆଉ ଫେରିଲ ନାହିଁ,
ଝୁରିଲା ଭାରତ ଜନନୀ ଚାହିଁ,
ଦିବ୍ୟ ଧାମେ ଗଲ ହେ ମହାଯତି
ଶାନ୍ତି ସନ୍ଦେଶ ବିଶ୍ୱେ ଦେଇ ll
ହେ ମହାମାନଵ ହେ ଶାନ୍ତି ଦୂତ,
ଆଶୀର୍ବାଦ ଦେଇ ବଢାଅ ହାତ,
ତୁମରି ଆଶିଷେ ସନ୍ତାନ ଗଣ
ସେବିବୁ ଭାରତ ମାତା ଚରଣ ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.