୨୦ ଫୁଟ୍‌ ଗଭୀର ପରିତ୍ୟକ୍ତ ନଳକୂପରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସମ୍ବଲପୁର: କଥାରେ ଅଛି ରଖେ ହରି ମାରେ କିଏ? ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ଦିନ ଘଟିଥିବା ଘଟଣା ଏହି ଉକ୍ତିକୁ ପ୍ରମାଣିତ କରିଛି। ନବଜାତକୁ ମାରିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ଉଦ୍ଧାରକାରୀ ଟିମ୍‌ ସଫଳତାର ସହିତ ଶ୍ରୀରାମ ବୁଢା ଜଙ୍ଗଲରେ ପରିତ୍ୟକ୍ତ ନଳକୂପରୁ ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପ୍ରତକ୍ଷ୍ୟଦର୍ଶୀ ଓ ରାଜ୍ୟବାସୀ ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ ଟିମ୍‌ର କର୍ମଚାରୀଙ୍କ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୦ ଫୁଟ୍‌ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁସାରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍‌ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ଖବର ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀର ଟିମ୍‌ ଅପରାହ୍‌ଣ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରିତ୍ୟକ୍ତ ନଳକୂଅରୁ ନବଜାତକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ହୋଇଯିବାରୁ ଜେନେରେଟର ଲଗାଇ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ଜେସିବିକୁ ନିୟୋଜିତ କରାଯାଇଥିଲା। ଜେସିବିରେ ପ୍ରାୟ ୧୩ ଫୁଟ୍‌ ପର୍ଯ୍ୟନ୍ତ ଖୋଳାଯାଇଥିଲା। ଏହା ପରେ ଦମକଳ ବାହିନୀ, ପୁଲିସ ଓ ଓଡ୍ରାଫ୍‌ର କର୍ମୀମାନେ ବହୁ ସତର୍କତାର ସହିତ ମାନୁଆଲରେ ନଳକୂର ଚତୁଃପାର୍ଶ୍ବରେ ଖୋଳିଥିଲେ। ଶିଶୁର ଶ୍ବାସକ୍ରିୟା ପାଇଁ ଯେଭଳି ଅସୁବିଧା ନହେବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପରିତ୍ୟକ୍ତ ନଳକୂପ ପାଇପ୍‌ରେ ଅମ୍ଲଜାନ ଲଗାଯାଇଥିଲା। ଶେଷରେ ନଳକୂପରୁ ନବଜାତକୁ ଉଦ୍ଧାର କରାଯାଇଥିଲା।

Comments are closed.