କେନ୍ଦୁଝର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି।

କେନ୍ଦୁଝର: ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଅଡିଟୋରିୟମଠାରେ ଜିଲାର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅଡିଟୋରିୟମଠାରେ ଆୟୋଜିତ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ସଭାପତି ସୁଶ୍ରୀ ଲକ୍ଷ୍ମୀ ନାଏକ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଏଭଳି କାର୍ଯ୍ୟକ୍ରମ କେନ୍ଦୁଝରରେ ରାଜ୍ୟର ପ୍ରଥମ ବୋଲି ମତବ୍ୟକ୍ତ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ଏହି କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ପୂର୍ବତନ ଲୋକସଭା ସଦସ୍ୟ ମାଧବ ସର୍ଦ୍ଦାର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଆଦିବାସୀ ଉନ୍ନୟନ ସଂସ୍ଥା ଚମ୍ପୁଆର ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀ ମଲ୍ଲିକ, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜନଜାତିଙ୍କ ବହୁବିଧ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲାର ୧୩ଟି ବ୍ଲକରୁ ୧୦ଟି ଲେଖାଏଁ ଜନଜାତି ଦଳକୁ ମିଶାଇ ମୋଟ ୧୩୦ଟି ଦଳକୁ ପାରମ୍ପରିକ ବାଦ୍ୟନ୍ତ୍ର ଏବଂ ୩୦୮ଟି ଜନଜାତି ଦଳକୁ ଫୁଟବଲ ଓ ଭଲିବଲ ସମେତ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଶେଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.