ସଡ଼କ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ପରିବାରକୁ ୩ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ଗୋଲାମୁଣ୍ଡା ବ୍ଲକ ଡୋକରି ପଡା ଠାରେ ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକମାନେ ଆଜି ପୂର୍ବାହ୍‌ଣରେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ। ସେଠାରେ କାମ ସାରି ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଶ୍ରମିକମାନେ ଘରକୁ ଫେରୁଥିଲେ। ପିକ୍‌ଅପ୍‌ ଭ୍ୟାନ୍‌ ଡୋକରିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ୪୨ ଜଣ ଆହତ ହୋଇଛନ୍ତି।

Comments are closed.