ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି।

ମନ୍ତ୍ରୀ ନବ ଦାସଙ୍କ ଭଳି ଜୟନାରାୟଣ ମିଶ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥାଇପାରେ ବୋଲି ଅଭିଯୋଗ କରିଛି ବିଜେପି । ଗତ ମଙ୍ଗଳବାରଠୁ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ କରାଯାଇଥିବା ବେଳେ ଆଜି ତିନି ଦିନରେ ପହଞ୍ଚିଛି । ତେବେ ଏନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।

ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,  ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଗୋଲକ ମହାପାତ୍ର, ଭୃଗୁ ବକ୍ସିପାତ୍ର, ରମାରଂଜନ ବଳିୟାର ସିଂହ, ବାବୁ ସିଂହ, ସ୍ମୃତି ପଟ୍ଟନାୟକ, ସୁରମା ପାଢ଼ୀ ଓ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.