ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ ।

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ଦ୍ୱାରା ସର୍ମାନିତ୍ ହେବେ । ଅସାଧାରଣ ନେତୃତ୍ବ କୌଶ​ଳ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେପ୍ଟେମ୍ବର ୪ ତାରିଖ ଦିନ ସାଢେ ୧୧ଟା ବେଳେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟରିଅମଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ନିକଟରେ ଅବସର ନେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହି ଅବସରରେ ଉପସ୍ଥିତ ରହିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ.ପଟ୍ଟନାୟକ । ଏହି ପୁରସ୍କାର ସଂପର୍କରେ ଘୋଷଣା କରି କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଏକ ପରିର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ୨ ଦଶନ୍ଧିରେ ଓଡ଼ିଶା ଅନେକ କ୍ଷେତ୍ରରେ ବିକାଶ ହାସଲ କରିଛି । ତାଙ୍କ ସରଳତା, ଅସାଧାରଣ ସଚ୍ଚୋଟତା ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି । ୧୯୮୭ରେ ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ ଭାରତର ଅନ୍ୟତମ ସମ୍ମାନଜନକ ସ୍ବେଚ୍ଛାସେବୀ ସଂଗଠନ ଭାବେ ଜଣାଶୁଣା । ବିଭିନ୍ନ ପ୍ରସଙ୍ଗରେ ମତବିନିମୟ ପାଇଁ ଏହି ସଂସ୍ଥା ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରିଥାଏ । କ୍ୟାପିଟାଲ ଫାଉଣ୍ଡେସନର ବୋର୍ଡ ଅଫ ଗଭର୍ଣ୍ଣର୍ସ ମଧ୍ୟରେ ଅଛନ୍ତି ସୁପ୍ରିମକୋର୍ଟ ବିଚାରପତି, କ୍ୟାବିନେଟ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସାମରିକ ଅଧିକାରୀ ଅତ୍ୟାଦି ।

Comments are closed.