ମୌନ ବ୍ରତ ଧାରଣ କରିଛନ୍ତି ସିଦ୍ଧୁ

ଚଣ୍ଡିଗଡ଼ : ଏକ ୩୪ ବର୍ଷ ପୁରୁଣା ହତ୍ୟା ମାମଲାରେ ପଂଜାବର ପାତିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ଚଳିତ ନବରାତ୍ରୀ ଅବସରରେ ମୌନବ୍ରତ ଧାରଣ କରିଛନ୍ତି ।

ସୋମବାର ଠାରୁ ଆରମ୍ଭ ହୋଇଥିବା ନଅ ଦିନିଆ ନବରାତ୍ରୀ ମହୋତ୍ସବରେ ସିଦ୍ଧୁ ଦୈନିକ ଉପବାସ ସହ ମୌନବ୍ରତ ପାଳନ କରିବେ ବୋଲି ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସିଦ୍ଧୁଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ନବରାତ୍ରୀ ସମୟରେ ନୀରବତା ପାଳନ କରିବେ ଏବଂ ଅକ୍ଟୋବର ୫ ପରେ ତାଙ୍କୁ ଭେଟିବାକୁ ଚାହୁଁଥିବା ଲୋକମାନଙ୍କୁ ଭେଟିବେ ।

୧୯୮୮ ମସିହାରେ ଏକ ପାର୍କିଂରେ ଗୁରନାମ ସିଂ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ଯୁକ୍ତି ତର୍କ ପରେ ସିଦ୍ଧୁ ରାଗିଯାଇ ତାଙ୍କ ସହ ହାତାହାତି କରିଥିଲେ  । ଫଳରେ ଘଟଣାସ୍ଥ​ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୁପ୍ରିମକୋର୍ଟ ଚଳିତ ବର୍ଷ ମେ ୧୯ରେ ତାଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଥିଲେ । ଏହାର ପରିଦିନ ଅର୍ଥାତ ମେ ୨୦ରେ ସିଦ୍ଧୁ ପାତିଆଲା ଜେଲରେ ଆତ୍ମସମର୍ପଣ କରିଥିଲେ ।

ତେବେ ପ୍ରଥମ ଥର ପାଇଁ ସିଦ୍ଧୁ ମୌନ ବ୍ରତ ଧାରଣ କରିନାହାନ୍ତି । ଗତ ଅକ୍ଟୋବର ୨୦୨୧ରେ ସେ ଲକ୍ଷ୍ମୀପୁର ଖେରି ମାମଲାରେ ପୀଡି଼ତାଙ୍କ ଘରେ ମୌନବ୍ରତ ଧାରଣ କରିଥିଲେ ।

Comments are closed.