ଶ୍ରୀକ୍ଷେତ୍ରରେ ମହାମୁନି ଶୁକ

ଅର୍ଜୁନୀରା ଚରଣ ବେହେ

ଶ୍ରୀକ୍ଷେତ୍ରରେ ମହାମୁନି ଶୁକ
==============
ମାଆ ମହାଲକ୍ଷ୍ମୀ ହେଉଛନ୍ତି ମହାପ୍ରସାଦର ପାଚିକା ବା ପ୍ରସ୍ତୁତ କାରିଣୀ ଏବଂ ଏହାର ମାଲିକାଣି l ପୁଣି ମନ୍ଦିର ତାଙ୍କରି ନାମରେ ନାମିତ ଶ୍ରୀମନ୍ଦିର l ମାଆ ହେଉଛନ୍ତି ଶ୍ରୀକ୍ଷେତ୍ରର ଶ୍ରୀ ବା ଶିରି l
ମାର୍ଗଶୀର ମାସ ଶୁକ୍ଳଦ୍ୱାଦଶୀକୁ କୁହାଯାଏ ବ୍ୟଞ୍ଜନ ଦ୍ୱାଦଶୀ l ଏହିବ୍ୟଞ୍ଜନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମନ୍ଦିର ମାନଙ୍କରେ ଏକ ମହୋତ୍ସବର ଦିନ l କଳିଯୁଗରେ ମାନୁଷୀ ଲୀଳାପାଇଁ ବଡ଼ଭାଈ ବଳରାମ ଭଗ୍ନୀ ସୁଭଦ୍ରା ଚକ୍ରରାଜ ସୁଦର୍ଶନଙ୍କୁ ଧରି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିଛନ୍ତି ବଡ଼ ଖିଆ ଛପନଭୋଗୀ ମହାପ୍ରଭୁ ଶ୍ରୀଜଗନ୍ନାଥ l ତାଙ୍କ ମଣୋହି ନିମନ୍ତେ କେତେ କଣ ଅନ୍ନବ୍ୟଞ୍ଜନ ଖଞ୍ଜା ଯାଇଛି l ପ୍ରଭୁ ବଡ଼ଖିଆ ବୋଲି କଥା ରହିଛି :-
ଯେତେ ଦେଉଥିବୁ ସେତେ ଖାଉଥିଵି
ନ ଶୁଖିବ ମୋର ହାତ l
ଲୋକେ ବୋଲୁଥିବେ ଖାଇବା ଠାକୁର
ନୀଳାଚଳେ ଜଗନ୍ନାଥ ll
ଶ୍ରୀମନ୍ଦିର ପାଚିକା ମାଆ ମହାଲକ୍ଷ୍ମୀ ଗୌରୀ ପାକ, ସୌରୀ ପାକରେ ସିଦ୍ଧହସ୍ତା l ମହାପ୍ରଭୁଙ୍କ ନିମନ୍ତେ ଯେତେ ରାନ୍ଧଣା କଲେ ମଧ୍ୟ, ମାଆ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ l ମାଆ ହାତରେ ସୁନାଚଟୁ ଧରି ଛଅ ତିଅଣ ନଅ ଭଜା କରି ଦେଲା ପରେ, ପୁନଶ୍ଚ ପଶି ଯାଆନ୍ତି ହାଣ୍ଡି ଶାଳରେ l ଗୋଟିଏ ପରିବାରୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ସେ ଯାଇ ଲାଗି ପଡ଼ନ୍ତି l ମହାପ୍ରଭୁଙ୍କ ମନ ଜାଣି, ନଡ଼ିଆ ପାଚେଡ଼ି, ମୂଳା ରାଇତା, ସରୁଅନ୍ନ,ଘିଅ ଅନ୍ନ, ମେଣ୍ଢା ମୁଣ୍ଡିଆ ଖେଚୁଡ଼ି, କେତେରକମ ପିଠା, ମିଠା, ଲଡ଼ୁ କ୍ଷଣକ ମଧ୍ୟରେ ପ୍ରସ୍ତୁତ କରି ସଜାଇକି ରଖି ଦିଅନ୍ତି ମାଆ l ପାନୀୟପାଇଁ ପୁଣି ସଜାଇ ରଖନ୍ତି ଜାଇତିରି ମିଶା ସୁବାସିତ ଜଳ l ପାଟି ସୁଆଦ ନିମନ୍ତେ ପ୍ରସ୍ତୁତ କରି ରଖନ୍ତି କାଞ୍ଜି, ଖିରୀ, କ୍ଷୀରା l ପୁଣି ମୁଖବାସ ପାଇଁ ବିଡ଼ିଆ ତାମ୍ବୁଳଖିଲି l ଏମିତି ମହାପ୍ରଭୁଙ୍କ ସମାପନ ହୁଏ ମଧୁରେଣ ସମାପୟେତ୍ ନୀତି l
ସମସ୍ତ ଭୋଗସାମଗ୍ରୀ ପ୍ରସ୍ତୁତ କରି ପରସି ଦେଉ ଦେଉ ଦିନେ ମହାଲକ୍ଷ୍ମୀ କହିଲେ,ପ୍ରଭୁ ! ଜ୍ୟେଷ୍ଠ ତ ସବୁଦିନେ କହୁଛନ୍ତି ବୋହୁ ସାଆନ୍ତାଣୀ ହାତ ରନ୍ଧା କୁଆଡ଼େ ଭାରି ସୁଆଦିଆବୋଲି l ନଣନ୍ଦ ସୁଭଦ୍ରା ବି ତାଙ୍କ କଥା ଶୁଣି ମୁରୁକି ମୁରୁକି ହସି ତାଙ୍କୁ ସମର୍ଥନ କରୁଛନ୍ତି l ମୋ ଗେଲ୍ହାପୁଅ ହନୁମାନ ତ ରାନ୍ଧୁରାନ୍ଧୁ ଅଥୟ l ମୁଁ ତାକୁ କହିଲି ତୁ ଦେଢ଼ପାହୁଣ୍ଡ ଘୁଞ୍ଚିଯା l କଥାମାନି ସେ ଯାଇ ଶିରୁଳିଠାରେ ଅପେକ୍ଷାକରିଛି l ଆପଣଙ୍କ ଭୋଗ ମାଆ ବିମଳାଙ୍କୁ ସମର୍ପଣ ହୋଇ ମହାପ୍ରସାଦ ହେଲେ ମୁଁ ତା ଭାଗ ପଠାଇଦେଉଛି l ସିଏ ବି କହୁଛି ମାଆଙ୍କ ହାତରନ୍ଧା ଅମୃତ l ସତରେ କଅଣ ମୋ ହାତ ରନ୍ଧା ଏମିତି !!! ପ୍ରଭୁଙ୍କୁ ଗୋଟିଏ ମିନତି ! ଆପଣଙ୍କ ଜଣେ ଭକ୍ତଙ୍କୁ ନିମନ୍ତ୍ରଣ କରନ୍ତୁ !
ମୋ ହାତରନ୍ଧା ଭୋଜନ କରାଇ ତାଙ୍କର ମତାମତ ଲୋଡ଼ିବି l ମହାପ୍ରଭୁଙ୍କ ରଙ୍ଗଅଧରରେ ଫୁଟିଉଠିଲା ଭୁବନ ମୋହନ ହସ l
ହସିହସି ମହାପ୍ରଭୁ କହିଲେ, ଭଲ କଥାଟିଏ କହିଛ ମହାଲକ୍ଷ୍ମୀ ! ଏହି ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ଦର୍ଶନ ନିମନ୍ତେ ମୋର ଜଣେ ପରମଭକ୍ତ ଶ୍ରୀକ୍ଷେତ୍ର ଆସୁଛନ୍ତି l ତାଙ୍କଠାରୁ ଏ କଥାଟିକୁ ପରଖି ନେବା l ସେ ଖାଲି ଭକ୍ତ ନୁହଁନ୍ତି l ସିଏ ପରମ ଜ୍ଞାନୀ, ଆଜନ୍ମ ବ୍ରହ୍ମଚାରୀ, ବ୍ରହ୍ମଜ୍ଞାନୀ l ତାଙ୍କୁ ତୁମ ରାନ୍ଧଣା ଚଖାଇ ତାଙ୍କରି ମତା ମତ ଲୋଡ଼ିବା l ଦେଖିବା ଭକ୍ତ କଅଣ କହୁଛନ୍ତି l ସେହି ଭକ୍ତ ଜଣକ ଆଉ କେହି ନୁହଁନ୍ତି l ସେ ହେଉଛନ୍ତି ପରମ ଭାଗବତ ମହାମୁନି ଶୁକ l
ମହାଲକ୍ଷ୍ମୀ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ଦିନ ଭିନ୍ନ ଭିନ୍ନ ଅନ୍ନବ୍ୟଞ୍ଜନ ପ୍ରସ୍ତୁତକରି ରଖିଲେ l ଯଥା ସମୟରେ ମହାମୁନି ଶୁକ ଆସି ପହଁଚିଲେ l ତାଙ୍କୁ ପାଦ୍ୟ ଅର୍ଘ୍ୟ ଦେଇ ପୂଜା ସାରିବାପରେ ପ୍ରସ୍ତୁତ ଭୋଜନ ସାମଗ୍ରୀ ସବୁରେ ମୁନିଙ୍କୁ ଠା’ ବାଢ଼ିଦେଲେ ମା’ ମହାଲକ୍ଷ୍ମୀ l ଶୁକଦେବ ଆସନରେ ଉପବେଶନକରି ଅନ୍ନବ୍ରହ୍ମଙ୍କୁ ଭକ୍ତିପୂତ ପ୍ରଣାମକରି ଗାଇ ଉଠିଲେ :-
ତତ୍ରାନ୍ନ ପାଚିକା ଲକ୍ଷ୍ମୀ ସ୍ୱୟଂ ଭୋକ୍ତା ଜନାର୍ଦ୍ଦନଃ l
ତସ୍ମାଦ୍ଭଦନ୍ନଙ୍ ଦ୍ବିପ୍ରଷେଇ ଦୈବତୈରପି ଦୁର୍ଲଭମ୍ l
ଅର୍ଥାତ, ସର୍ବ ଶାସ୍ତ୍ର ଅନୁମୋଦିତ, ମାଆ ମହାଲକ୍ଷ୍ମୀ ହେଉଛନ୍ତି ପବିତ୍ର ଏହି ମହା ପ୍ରସାଦର ପାଚିକା ବା ପ୍ରସ୍ତୁତ କାରିଣୀ l ବୈକୁଣ୍ଠ ବିହାରୀ ଜନାର୍ଦ୍ଦନ ସ୍ୱୟଂ ଶ୍ରୀବିଷ୍ଣୁ ହେଉଛନ୍ତି, ଏହାର ଭୋକ୍ତା l
ଶୁକଦେବଙ୍କ କଥାଶୁଣି ମହାପ୍ରଭୁ ଟିକିଏ ସ୍ମିତହାସ୍ୟ କରି ମାଆଙ୍କୁ ଚାହିଁ କହିଲେ,’ବୁଝିଲ ତ ସିନ୍ଧୁଜେମା ମହାମୁନିଙ୍କ କଥା’l ମହାଲକ୍ଷ୍ମୀ ନିର୍ବାକ ହୋଇ ଚାହିଁ ରହିଥିଲେ l ପରମତୃପ୍ତିରେ ମୁନି ଶୁକଦେବ ପ୍ରସ୍ଥାନ କଲେ l ଗଲା ବେଳେ ତାଙ୍କ ତୁଣ୍ଡରେ ଥିଲା :-
ଜଗନ୍ନାଥସ୍ୟ ନୈବେଦ୍ୟମ୍
ମହାପାତକ ନାଶନମ୍ l
ଭକ୍ଷ୍ୟଣାତ୍ ଫଳମାପ୍ନୋତି
କପିଳା କୋଟି ଦାନବମ୍ ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀରା ଚରଣ ବେହେ

ମୋ -769309197

Comments are closed.