କାଉ ରାବିଲେଣି କାଆ

ଅର୍ଜୁନୀ ଚରଣ ବେହେରା

କାଉ ରାବିଲେଣି କାଆ
==============
ଉଠ ଦୁଃଖିଧନ ମୋ ନୀଳରତନ
କାଉ ରାବିଲେଣି କାଆ l
ଉଠ ନୀଳମଣି ନେତ୍ରପ୍ରତିମା ମୋ
ଡାକନ୍ତି ଯଶୋଦା ମାଆ ll
ଘଣ୍ଟ, ଘଣ୍ଟା, ଝାଞ୍ଜ ବାଜଇ ମୃଦଙ୍ଗ
ଉଠ ଉଠ ତେଜ ଶେଯ l
ଉଦେହେଲେ ଭାନୁ ଶୁଭେ ସିଙ୍ଗାବେଣୁ
ଉଠ ମୋ ନେତ୍ରପଙ୍କଜ ll
ଆରେ ବଂଶୀଧର ନ କର ଉଛୁର
ଉଭା ତୋର ସଖାମାନେ l
ସୁଦାମ, ସୁବଳ ଡାକିଲେଣି ଆସି
ଆସ ଯିବା ବୃନ୍ଦାବନେ ll
ଧବଳୀ ଶ୍ୟାମଳୀ ଡାକନ୍ତି ହମାଳି
ଉଠ ମୋ ନୟନମଣି l
ବଳରାମ ଭାଇ ତରଭର ହୋଇ
ଉଠି ପରା ବସିଲେଣି ll
ସଜେଇ ରଖିଛି ଚନ୍ଦନେ ସୁବାସ
ପଥୁରୀରେ ବାସ ନୀର l
ଉଠ ଉଠ ବାବୁ ମୁଖ ପଖାଳିବୁ
ଦହି ମୁହାଁ ମୋ ଉଚ୍ଚୁର ll
ଗୋଟିକା ଅଧାମ ଖୁଆଇ ଦେବିରେ
ଉଠ ମୋ କଳା କହ୍ନାଇ l
ଶିରେ ବାନ୍ଧି ଦେବି ମୟୂର ଚନ୍ଦ୍ରିକା
ନାଚୁଥିବୁ ଥେଇ ଦେଇ ll
ପୀତାମ୍ବରୀ ପାଟ କାଛ ପିନ୍ଧାଇବି
ସୁବର୍ଣ୍ଣ କଙ୍କଣ ବାହି l
କଟିରେ ବକୁଳ ଦାମ ଦାମୋଦର
ଖଟାହେଲା ମୋର ଦହି ll
ପାଦେ ଦେବି ତୋର ସୁବର୍ଣ୍ଣ ନୁପୁର
ହସ୍ତେ ତୋ ସୁନାବଇଁଶୀ l
ଉଠ ଉଠ ବାବୁ ମୋ କଳାବଇଁଶୀ
ପାହିଗଲା ଏବେ ନିଶି ll
କେଡ଼େ ଭାଗ୍ୟବନ୍ତୀ ଯଶୋଦା ମାଆ
ତୁ ଧନ୍ୟ ପୁତ୍ର ନୀଳମଣି l
ରନ୍ଧା ମାଆ ହାତ ଘିଅ ମରା ଭାତ
ମଣୋହି ବିଶ୍ଵ ବିନ୍ଧାଣୀ ll
ନମଃ ନମଃ ପ୍ରଭୋ ଜଗତ ଠାକୁର
ବିଚିତ୍ର ଲୀଳା ତୁମ୍ଭର l
ପ୍ରଭାତେ ପ୍ରଣତି ଘେନ ବିଶ୍ୱପତି
ଆହେ ବିଶ୍ଵ କାରିଗର,
ଆହେ ବିଶ୍ୱ କାରିଗର ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.