୧୨ ବର୍ଷରେ ମୋଦି ସରକାର; କାଲି ମୋଦି ଭାଙ୍ଗିବେ ନେହରୁଙ୍କ ରେକର୍ଡ

0

ଭୁବନେଶ୍ବର : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପୂରିଲା ୧୨ ବର୍ଷ। ମୋଦିଙ୍କ ତୃତୀୟ ଇନିଂସର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିକାଶ ଚିତ୍ରକୁ ନେଇ ପ୍ରତି ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି। ଆଜି ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମୋଦି ସରକାରଙ୍କ ୧୨ ବର୍ଷରେ ବିକାଶର ଲମ୍ବା ଚିଠି ଉପସ୍ଥାପନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡବଲ୍ ଇଞ୍ଜିନ ସରକାରର ଫାଇଦା ଗଣାଇଛନ୍ତି।

ଆସନ୍ତାକାଲି ମୋଦି ହେବେ ଦେଶର ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ। ଛଅ ଦଶନ୍ଧି ପରେ ଭାଗିଂବ ନେହରୁଙ୍କ ରେକର୍ଡ। ସେପଟେ ଏହି ୧୨ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ କରିଥିବା ବିକାଶ ଓ ଜନକଲ୍ୟାଣ କାମକୁ ନେଇ ଭୁବନେଶ୍ବରରେ ତଥ୍ୟ ରଖିଛନ୍ତି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମେଘୱାଲ କହିଛନ୍ତି, ପୂର୍ବ ସରକାର ସମୟରେ ଯୋଜନା ଥିଲା, ହେଲେ ମୋଦି କ୍ଷମତାକୁ ଆସିବା ପରେ ଯୋଜନାର ସ୍କେଲ୍ ଆଉ ସ୍ପିଡ୍ ବଢିଛି। ଯଦ୍ୱାରା ପିଏମ୍ ଆବାସ, ସ୍ୱଚ୍ଛ ଭାରତ ଭଳି ଯୋଜନାରେ ଅଗ୍ରଗତି ହୋଇଛି। ପିଏମ୍ ଆବାସରେ ପ୍ରାୟ ୪ କୋଟି ଗରିବ ଲୋକ ଘର ପାଇଛନ୍ତି। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୧ କୋଟି କୃଷକ ପାଇଛନ୍ତି ୪ ଲକ୍ଷ କୋଟି ଟଙ୍କା। ଭିତ୍ତିଭୂମି ବଜେଟ୍ ବଢି ୬ ଗୁଣା ହୋଇଛି।

ଅନ୍ୟପଟେ ଆସନ୍ତା ୧୨ ତାରିଖରେ ଓଡ଼ିଶାରେ ମୋହନ ସରକାରକୁ ପୁରିବାକୁ ଯାଉଛି ୨ ବର୍ଷ। ଏ ଦୁଇବର୍ଷ ଭିତରେ ଡବଲ୍ ଇଞ୍ଜିନ ସରକାରର ଉପଲବ୍ଧି ଗଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ କହିଛନ୍ତି, ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ବ ପାଇଁ ଦେଶ ଆଗକୁ ବଢ଼ି ଚାଲିଛି। ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି। ବିଶ୍ବରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ ସରକାରରୁ ମିଳିଥିବା ସଫଳତାର ତଥ୍ୟ ରଖି କହିଛନ୍ତି, ଆମ ରେଳ ବଜେଟ୍ ପରିମାଣ ୧୦ ହଜାର ୯୨୮ କୋଟିରେ ପହଞ୍ଚିଛି।

ଜାତୀୟ ରାଜପଥ ପାଇଁ ୮୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଜାତୀୟ ରାଜପଥକୁ ନେଇ ୨୩୦ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଆମ ରାଜ୍ୟ ସାରା ଦେଶରେ ପ୍ରଥମ। ରାଜ୍ୟରେ ବେକାରୀ ଦୂର କରିବାପାଇଁ ପ୍ରାୟ ୫୦ ହଜାର ନିଯୁକ୍ତି ଦିଆଯାଇଛି।… ସେହିପରି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ପକ୍ଷରୁ ଯାହା ସଂକଳ୍ପ ପତ୍ର ଦିଆଯାଇଥିଲା ତାହା ପୁରା କରାଯାଇଛି। ଯାହା ବାକି ଅଛି ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ।

୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୧୨ ବର୍ଷ ପୂର୍ତ୍ତି ଅବସରରେ ପିଏମ୍ ମୋଦି ଏକ୍ସରେ ଲେଖିଛନ୍ତି, ଗତ ୧୨ ବର୍ଷ ଧରି ଆମ ସରକାର ବିଶ୍ୱାସ, ବିକାଶ ଓ ଜନକଲ୍ୟାଣ ପ୍ରତି ସମର୍ପିତ ରହିଛି। ଦେଶବାସୀଙ୍କ ଆଶୀର୍ବାଦ ଓ ‘ରାଷ୍ଟ୍ର ପ୍ରଥମ’ର ଭାବନା ସହିତ, ଯୁବବର୍ଗ, ମହିଳା ଏବଂ କୃଷକ ଭାଇ-ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ କୌଣସି ପ୍ରୟାସରେ ଅଭାବ ରଖିନାହୁଁ। ଏହି ନିରନ୍ତର ପ୍ରୟାସର ଫଳସ୍ୱରୂପ ଆଜି ପୂର୍ବାଧାର ବିକାଶରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ, ଦେଶ ବିଶ୍ୱ ମଞ୍ଚରେ ଏକ ନୂତନ ପରିଚୟ ହାସଲ କରିଛି।

Leave A Reply

Your email address will not be published.