ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସେ ପ୍ରଭାବରୁ ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।

ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଜନସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ ସାମଗ୍ରୀର ମହଜୁଦ ଏବଂ ଉଦ୍ଧାରକାରୀ ଦଳର ନିୟୋଜନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଛି।  ତେବେ, ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୁଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁଁ କମ୍ ଅଛି।  ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି।  କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୌଣସି ଜଣେ ଲୋକକୁ ମଧ୍ୟ ସ୍ଥାନାନ୍ତରଣ କିମ୍ବା ସହାୟତା ଆବଶ୍ୟକ ଥିଲେ ତାହାକୁ ଗୁରୁତ୍ଵର ସହିତ ଦୃଷ୍ଟିରେ ରଖି ସହଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି। ଆନନ୍ଦପୁର ଏବଂ ଓକୁଆପଡାଠାରେ ବୈତରଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ଘଟିଥିଲେ ମଧ୍ୟ ବିପଦ ସ୍ତରଠୁଁ ଖୁବ୍ କମ୍ ଅଛି। ବିଭିନ୍ନ ନଦୀର ଜଳପତ୍ତନ ସ୍ତର ଉପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି। ତେବେ ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି। ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି।

ତେବେ, କିଛି ଅଞ୍ଚଳରେ ଚାଷଜମି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲେ ଜିଲ୍ଲାପ୍ରଶାସନକୁ ତାହାର ସର୍ଭେ ଏବଂ କ୍ଷତି ଆକଳନ କରି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କ୍ଷୟକ୍ଷତିର ଚବିଶ ଘଣ୍ଟା ପୂରଣ ହେବା ପୂର୍ବରୁ ହିଁ କ୍ଷତିପୂରଣ ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।

ଏଥିସହିତ ରଥଯାତ୍ରା ପରେ ତିରିଶଟି ଜିଲ୍ଲା ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକି ଆଗାମୀ ଦିନରେ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ତ ପ୍ରକାର ବିପଦର ପରିଚାଳନା ନିମନ୍ତେ ବିସ୍ତ୍ରୁତ ଆଲୋଚନା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ପଲିଥିନ ଏବଂ ଅନ୍ୟାନ୍ୟ ସମସ୍ତ ରିଲିଫ୍ ସମାଗ୍ରୀ ମହଜୁଦ ଥିବା ସହିତ ଓଡ୍ରାଫ୍ ଟିମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି। ସେହିପରି ଜନସାଧାରଣଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟମିତ ପୂର୍ବ ସତର୍କ ସୂଚନା ପ୍ରଦାନ କରାଯାଉଛି।

ଏହି ବୈଠକରେ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ପଦ୍ମନାଭ ବେହେରା ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲାବେଳେ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

Leave A Reply

Your email address will not be published.