ମିନି ଷ୍ଟାଡିୟମ ପାଇଁ ଆସିଥିବା ୬ କୋଟି ବାଟମାରଣା

ପାଲଟିଛି ଗୋରୁଗାଈଙ୍କ ଚରାଭୂଇଁ, ଏବେ ଉନ୍ନତୀକରଣ ପାଇଁ ଆସିଛି ୪.୨୦ କୋଟି

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଦୁଇଟି ପୌର ପରିଷଦ, ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨୬ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ମୋଟ୍ ୬ କୋଟି ଟଙ୍କା ଯୋଗାଇ ଦେଇଥିଲେ ସରକାର। ହେଲେ ଏହି ଯୋଜନା ମୟୂରଭଞ୍ଜ ଜିଲ୍ଲାରେ ବାଟବଣା ହେବାକୁ ବସିଛି। କେଉଁଠି ନିମ୍ନମାନର କାମ ହୋଇଛି ତ ଆଉ କେଉଁଠି ପାଚେରି ବୁଲାଇ ପଡ଼ିଆ ନିର୍ମାଣ କାମ ଶେଷ ହୋଇଯାଇଛି। ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ସହରାଞ୍ଚଳରେ ମିନିଷ୍ଟାଡିୟମ ନିର୍ମାଣ ହୋଇଛି ସତ ହେଲେ ରକ୍ଷଣାବେକ୍ଷଣ ଅଭାବରୁ ୨-୩ ବର୍ଷ ମଧ୍ୟରେ ତାହା ବ୍ୟବହାର ଅନୁ‌ପଯୋଗୀ ହୋଇପଡ଼ିଲାଣି। ବାକି ୨୬ ବ୍ଲକ୍‌ ମଧ୍ୟରୁ ୨୩ଟିରେ କାମ ଶେଷ ହୋଇଛି ବୋଲି କ୍ରୀଡ଼ା ବିଭାଗ କହୁଛି। ଜମିଜମା ବିବାଦରୁ ବାରିପଦା ଓ କୁଳିଅଣା ବ୍ଲକ୍‌ରେ କାମ ଆରମ୍ଭ ହୋଇ ପାରିନାହିଁ। ମୋରଡ଼ା ବ୍ଲକ୍‌ରେ ମିନି ଷ୍ଟାଡିୟମ ନିର୍ମାଣ କାମ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଏଯାଏ ଶେଷ ହୋଇନି।

ପ୍ରଥମ ପର୍ଯ୍ୟାୟ ଲକ୍ଷ୍ୟ ପୂରଣ ହୋଇନଥିବା ବେଳେ ଏବେ ପୁଣି ଆସିଛି ଟଙ୍କା। ଯେଉଁଠି କାମ ଶେଷ ହୋଇଛି ସେଠାରେ ପଡ଼ିଆର ଉନ୍ନତୀକରଣ ପାଇଁ ପ୍ରତି ମିନି ଷ୍ଟାଡିୟମକୁ ୧୫ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ୮ ବ୍ଲକ୍‌ରେ କାମ ଶେଷ ହୋଇଛି କହି ଏହି ୧୫ ଲକ୍ଷ ଟଙ୍କା ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୩-୪ ବର୍ଷ ପୂର୍ବେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଦିଆଗଲା‌। ଏହି ଟଙ୍କାର ସୁବିନିଯୋଗ ନ ହେବା ଫଳରେ ଷ୍ଟାଡିୟମଗୁଡ଼ିକ ଖେଳାଳିଙ୍କ କାମ‌ରେ ଲାଗି ପାରୁନି। ତାପରେ ପୁଣି କଣ ଆବଶ୍ୟକତା ପଡ଼ିଲା ଯେ ଉନ୍ନୀକରଣ ପାଇଁ ଆଉ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଲେ ସରକାର। ତେଣୁ ରାଜନୈତିକ ଅଭିସନ୍ଧି ରଖି ଏହି ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି। ୨୦୨୪ରେ ସାଧାରଣ ନିର୍ବାଚନ ପୂର୍ବରୁ ଖେଳାଳିଙ୍କ ମନ ଜିଣିବା ପାଇଁ ଓ ଠିକାଦାରଙ୍କୁ ପୋଷିବା ପାଇଁ ଏହା ବିଜେଡି ସରକାରଙ୍କ ଚାଲ୍ ବୋଲି ଅଭିଯୋଗ କଲେଣି ବିରୋଧୀ ବିଜେପି ଓ କଂଗ୍ରେସ।
ଜିଲ୍ଲା ସଦର ମହକୁମା ବାରିପଦା ମଧୁବନରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ ହୋଇଛି। ଭିତ୍ତିଭୂମି ଅସଜଡ଼ା ହୋଇଥିବାରୁ ବୁଲା ଗୋରୁ ଓ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି ଏହି ପଡ଼ିଆ। ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଷ୍ଟାଡିୟମ ଭିତରେ ଆଣ୍ଠୁଏ ପାଣି ଜମି ରହୁଛି। ଘାସ ସଫା ହେଉନି କି ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଫଳରେ ଏହା କୌଣସି କାମରେ ଆସୁନି। ଆଉ ଏବେ ଉନ୍ନୀକରଣ ବାବଦକୁ ଆସିଥିବା ୧୫ ଲକ୍ଷ ଟଙ୍କା କେଉଁଠି ଓ କିଭଳି ଖର୍ଚ୍ଚ ହେବ ତାହା ଦେଖିବା କଥା। ପ୍ରଥମେ ସାରା ଜିଲ୍ଲାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ୬ କୋଟି ଟଙ୍କା ଦେଇଥିବା ବେଳେ ଏବେ ଉନ୍ନତୀକରଣ ପାଇଁ ୪ କୋଟି ୨୦ ଲକ୍ଷ ଦେଉଛନ୍ତି। ଏହି ଅର୍ଥର ସଠିକ୍ ବିନିଯୋଗ ହୋଇଥିଲେ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ବେଶ୍‌ ସୁଦୃଢ଼ ହୋଇ ପାରିଥାନ୍ତା ବୋଲି କ୍ରୀଡାବିତ୍‌ମାନେ ମତ ଦେଇଛନ୍ତି। ଏ ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମୋହନ ମହାନ୍ତିଙ୍କୁ ପଚାରିବାରୁ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କେବଳ ବ୍ଲକ୍‌ସ୍ତରରେ ବିଡିଓ ଓ ସହରାଞ୍ଚଳରେ ପୌର ଅଧିକାରୀମାନେ କହି ପା‌ରିବେ। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। କାମର ଅଗ୍ରଗତି ନେଇ ସେମାନଙ୍କ ପାଖରୁ ରିପୋର୍ଟ ଆସିବା ପରେ ବିଭାଗ ପକ୍ଷରୁ କେବଳ ସରକାରଙ୍କୁ ସୂଚନା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।

Comments are closed.