ସ୍ୱାଧୀନତା ଦିବସ ଅବସରରେ ୯୫୪ ପୁଲିସ କର୍ମୀଙ୍କୁ ମିଳିବ ପୁଲିସ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ବୀରତା ପାଇଁ ସିଆରପିଏଫ୍ କର୍ମୀ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ ରାଷ୍ଟ୍ରପତି ପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିବାକୁ ଥିବା ବେଳେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ର ପୁଲିସ କର୍ମୀ, ୫୫ ଜଣ ଜାମ୍ମୁକାଶ୍ମୀର ପୁଲିସ କର୍ମୀ, ୨୪ ଜଣ ଛତିଶଗଡ଼, ୨୨ ଜଣ ତେଲଙ୍ଗାନା, ୧୮ ଜଣ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମୀ ରହିଛନ୍ତି । ଓଡ଼ିଶାରୁ ସାହସିକତା ପୁଲିସ ପଦକ ପାଇବାକୁ ମନୋନୀତ ପୁଲିସ କର୍ମୀ ହେଲେ ସୁବେଦାର ପ୍ରହ୍ଲାଦ ହିମିରକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ କନେଷ୍ଟବଳ ସୁଜିତ କୁମାର ରଣା। ସେହିପରି ଆମ ରାଜ୍ୟରୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ବିବେଚିତ ହୋଇଥିବା ଅଧିକାରୀ ହେଲେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସଞ୍ଜୟ କୁମାର ଏବଂ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଅତିରିକ୍ତ ପୁଲିସ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀ। ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ପୁଲିସ ପଦକ ପାଇବାକୁ ଥିବା ୧୧ ଜଣ ପୁଲିସ କର୍ମୀ ହେଲେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଆଇଜି ଡକ୍ଟର ଦୀପକ କୁମାର, ଭୁବନେଶ୍ୱରସ୍ଥିତ ଅତିରିକ୍ତ ପୁଲିସ ଅଧୀକ୍ଷକ ଅନନ୍ତ ଚରଣ ପତି, କଟକରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଅଧୀକ୍ଷକ ବେଣୁଧର ନାୟକ, ବ୍ରହ୍ମପୁର ସହର ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପୁଲିସ ଉପଅଧୀକ୍ଷକ ଅମିତା ତ୍ରିପାଠୀ, ମୟୂରଭଞ୍ଜରେ କାର୍ଯ୍ୟରତ ସିଆଇ ପୁଲିସ ହାବିଲଦାର କୃଷ୍ଣ ଚନ୍ଦ୍ର ମହନ୍ତ, ଦେବଗଡ଼ ପୁଲିସ ରିଜର୍ଭ କାର୍ଯ୍ୟାଳୟର କନେଷ୍ଟବଳ ପିଟର ତିର୍କୀ, ଖୋର୍ଦ୍ଧାରେ କର୍ତ୍ତବ୍ୟରତ ପୁଲିସ ଅତିରିକ୍ତ ଉପନିରୀକ୍ଷକ ଗୁପ୍ତ ପ୍ରସାଦ ମହାନ୍ତି, ସମ୍ବଲପୁରରେ ନିୟୋଜିତ ପୁଲିସ ଉପନିରୀକ୍ଷକ (ସଶସ୍ତ୍ର) ଦିଲୀପ କୁମାର ନାୟକ, ଭୁବନେଶ୍ୱରରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଭୁବନେଶ୍ୱରରେ କର୍ତ୍ତବ୍ୟରତ ପୁଲିସ ନିରୀକ୍ଷକ ଉମାକାନ୍ତ ପ୍ରଧାନ। ଧନଜୀବନ ବଞ୍ଚାଇବା କିମ୍ବା ଅପରାଧ ରୋକିବା ଅଥବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ ବିଶିଷ୍ଟ ବୀରତ୍ୱ ପ୍ରଦର୍ଶନ ଆଧାରରେ ବୀରତା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ। ପୁଲିସ ସେବାରେ ସ୍ୱତନ୍ତ୍ର ବିଶିଷ୍ଟ କାର୍ଯ୍ୟ ରେକର୍ଡ ରହିଥିବା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଥାଇ ମୂଲ୍ୟବାନ ସେବା ଯୋଗାଇ ଦେବା ନିମନ୍ତେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ।

Comments are closed.