ତେନ୍ତୁଳୀଖୁଣ୍ଟି, ୨୭/୦୭/୨୦୨୬ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଦିଗୀ ଓ ତେନ୍ତୁଳୀଖୁଣ୍ଟି ପଞ୍ଚାୟତରେ ମ୍ୟାନକାଇଣ୍ଡ ଫାର୍ମା ଲିମିଟେଡ୍ର CSR ପଦକ୍ଷେପରେ ETPA ଫାଉଣ୍ଡେସନ ଦ୍ୱାରା ସମଗ୍ର ଗ୍ରାମୀଣ ବିକାଶ (PROSPER)ପ୍ରକଳ୍ପର ଶୁଭାରମ୍ଭ ତେନ୍ତୁଳୀଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା। ପ୍ରକଳ୍ପ ଅଧୀନରେ ସ୍ୱାସ୍ଥ୍ୟ ସେବା, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛତା, ଶିକ୍ଷା, ମହିଳା ସଶକ୍ତିକରଣ, ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ, କୃଷି ଓ ଜୀବିକାର ଉନ୍ନତି, ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ। ସ୍ଥାନୀୟ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମୁଦାୟର ସହଯୋଗରେ ପ୍ରକଳ୍ପ ରୂପାୟଣ କରାଯିବ, ଯାହାଦ୍ୱାରା ଗ୍ରାମବାସୀଙ୍କ ଜୀବନମାନର ସ୍ଥାୟୀ ଉନ୍ନତି ସୁନିଶ୍ଚିତ ହେବ।

କାର୍ଯ୍ୟକ୍ରମରେ ଉପସ୍ଥିତ ସଞ୍ଜୟ କୁମାର ପଣ୍ଡା, Founder & Director, ETPA କହିଥିଲେ ଯେ, ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ସ୍ୱାବଲମ୍ବୀ ଓ ସମୃଦ୍ଧ ଗ୍ରାମ ଗଠନ କରିବା।
ଏହି ଉଦ୍ଘାଟନୀ ସମାରୋହରେ ନୂତନ କୁମାର ସୋଗାରିଆ (Program Manager, ETPA), ଅଖିଲେଶ ଦିମ୍ରି (General Manager & CSR Head), ବିଶ୍ୱଜିତ ଚନ୍ଦ୍ର ବର୍ମନ (ADM, ନବରଙ୍ଗପୁର), ରୋଶନ କୁମାର କାର୍ତ୍ତିକ (Deputy CEO, ORMAS), ମନୋଜ କୁମାର ପାଣିଗ୍ରାହୀ (BDO, ତେନ୍ତୁଳୀଖୁଣ୍ଟି), ସଂଯୁକ୍ତା ପଣ୍ଡା (Board Member, ETPA) ରୋମା ପଟ୍ଟନାୟକ DSWO,ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଅଙ୍ଗନବାଡ଼ି କର୍ମୀ, କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
— ଶେଖର ଖୁରା,ଙ୍କ ରିପୋର୍ଟ ନବରଙ୍ଗପୁର