ରାୟଗଡା, ୭/୭: ପୁଣି ଶିକ୍ଷା ବିଭାଗର ଅଧିନରେ ରହିଥିବା ମଙ୍ଗଳ ବିଭାଗର ହଷ୍ଟେଲ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ମୃତକ ଜଣଙ୍କ ହେଲେ କୋଲନରା ବ୍ଲକ ସୂରୀ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୪ର୍ଥ ଶ୍ରେଣୀ ଛାତ୍ର ଚନ୍ଦୁ ଉଲାକା ୧୦ ବର୍ଷ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡିଛି ଗତ ୩/୪ ଦିନ ହେଲା ଚନ୍ଦୁଙ୍କୁ ଜ୍ବର ହୋଇଥିଲା । ଗତକାଲି ଚନ୍ଦୁଙ୍କ ଜ୍ବର ହୋଇଥିବା ନେଇ ବିଦ୍ୟାଳୟ କର୍ତୃପକ୍ଷ ସୂରୀ ଗ୍ରାମରେ କାର୍ଯ୍ୟରତ ଏଏନଏମଙ୍କୁ ସୂଚନା ଦେବା ପରେ ଗତକାଲି ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରେ ମ୍ୟାଲେରିଆ ପଜିଟିଭ ରିପୋର୍ଟ ଆସିଥିବା ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି । ମ୍ୟାଲେରିଆ ପଜିଟିଭ୍ ଆସିବା ପରେ ଏଏନଏମ ଜଣଙ୍କ ଚନ୍ଦୁଙ୍କୁ ଓୗଷଧ ମଧ୍ୟ ଦେଇଥିଲେ । ଆଜି ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଚନ୍ଦୁର ବାପା ରମେଶ ଉଲାକା ବିଦ୍ୟାଳୟରେ ପହଁଚିଥିଲେ । ଚନ୍ଦୁର ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ଦରଖାସ୍ତ ଦେଇ ଆଜି ପରିବାରବର୍ଗ ନିଜ ଗ୍ରାମ ଲାଲିବି ନେଇଯାଇଥିଲେ । କିନ୍ତୁ ଅପରାହ୍ନରେ ଚନ୍ଦୁଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ନଆସିବାରୁ ବାଇକ ଯୋଗେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସିଏଚସିରେ ପହଁଚିବା ପରେ ଚନ୍ଦୁଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଛାତ୍ର ମୃତ୍ୟୁ ପରେ ପରିବାର ଲୋକେ ମହାପ୍ରୟାଣ କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ପାଇନଥିଲେ। ଶେଷରେ ନିରାଶ ହୋଇ ମୃତ୍ ଚନ୍ଦୁ ର ବାପା ନିଜ ବାଇକ ଯୋଗେ ଶବକୁ ଘରକୁ ନେଇଯାଇଥିଲେ। ମଙ୍ଗଳ ବିଭାଗ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପାଇଁ ପ୍ରଶାସନ ତାଗିଦ କରୁଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷଙ୍କ ମାନସିକତା ପରିବର୍ତନ ହେଉନାହିଁ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ତାଡିଙ୍ଗି ସୂଚନା ପ୍ରଦାନ କରି କହିଛନ୍ତି ଯେ ଗତକାଲି ମେଡିକାଲ ଟିମ ବିଦ୍ୟାଳୟ ଆସିଥିଲେ ଏବଂ ରକ୍ତ ପରୀକ୍ଷା କରାଯାଇଥିଲା ଏଥିରେ ୨ଜଣଙ୍କ ମ୍ୟାଲେରିଆ ପଜିଟିଭ ବାହାରିଥିଲା । କୌଣସି ସୂତ୍ରରୁ ଖବର ପାଇ ଆଜି ପରିବାର ଚନ୍ଦୁକୁ ନେଇଥିଲେ ଏବଂ ଏଭଳି ଘଟଣା ଘଟିଛି ବୋଲି ଶ୍ରୀ ତାଡିଙ୍ଗି ସୂଚନା ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.