ମହାପୁରାଣ ଲକ୍ଷ୍ମୀପୁରାଣ

ଅର୍ଜୁନୀ ଚରଣ ବେହେରା

ମହାପୁରାଣ ଲକ୍ଷ୍ମୀପୁରାଣ
=============
ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ ଏହା ଦେଖି ପରାଶରଙ୍କୁ ପ୍ରଶ୍ନ କରିଛନ୍ତି ଏ ବିଷୟରେ ଜାଣିବା ପାଇଁ l ପରାଶର କହୁଛନ୍ତି :-
ଏକ ଦିନେ ଶୁକଳ ଦଶମୀ ଗୁରୁବାର,
ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର ll
ପୁଣି ନାରଦ ପ୍ରଶ୍ନ କରିଛନ୍ତି :-
ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର l
ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ ଯେଉଁ ନର ll
ତହିଁରେ ସେ କେଉଁ ଶୁଭ ଫଳ ଲଭିଅଛି l
ଲକ୍ଷ୍ମୀଦ୍ରୋହୀ ହୋଇକରି କେ ଦୁଃଖପାଇଛି ll
ମୁନି ପରାଶର କଥା ଆରମ୍ଭ କରିଛନ୍ତି l ସେ ଦିନ ଗୁରୁବାର ଶୁକ୍ଳଦଶମୀ ସୁଦଶା ବ୍ରତ ପଡ଼ିଛି l ଏହା ଲକ୍ଷ୍ମୀଙ୍କ ବାର ଏଣୁ ମାଆ ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କୁ ନିବେଦନ କରିଛନ୍ତି ଆପଣ ଆଜ୍ଞା ଦେଲେ, ଆଜି ମୋ ବାରରେ ମୁଁ ଟିକିଏ ନଗର ବୁଲି ଆସନ୍ତି :-
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ l
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ll
ଶ୍ରୀଜଗନ୍ନାଥଙ୍କ ଆଜ୍ଞାପ୍ରାପ୍ତା ହୋଇ ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ପ୍ରଭାତରୁ ନଗର ପରିକ୍ରମାରେ ବାହାରି ଯାଇଛନ୍ତି l ପ୍ରଭାତରୁ ଯେଉଁ ମାନେ ଶଯ୍ୟା ଛାଡ଼ି ନାହାଁନ୍ତି, ଉଠି ଘରଦ୍ୱାର ପରିଷ୍କାର କରି ନାହାଁନ୍ତି ସେମାନଙ୍କୁ ପରିଚ୍ଛନ୍ନତା ବାର୍ତ୍ତା ଶୁଣାଇ ଆଜି ଗୁରୁ ବାର ଲକ୍ଷ୍ମୀପୂଜା କରିବାକୁ କହିଛନ୍ତି l ତା’ ପରେ ସେ ଜଣେ ସାଧବାଣୀ ଘରେ ପହଞ୍ଚି ତାର ପ୍ରଶ୍ନର ଉତ୍ତର ଦେଇ ଶ୍ରୀଲକ୍ଷ୍ମୀ ବ୍ରତ କିପରି ହେବ ତାହା ବୁଝାଇ ଦେଇଛନ୍ତି :-
ମାର୍ଗଶୀର ମାସେ ଯେଉଁ ଆଦ୍ୟ ଗୁରୁବାର l
ସେଦିନ ଉଷାରୁ ଶେଜ ଛାଡ଼ି ତତପର ll
ଗୋମୟ ଜଳରେ ଘର ଦୁଆର ଲିପିବ l
ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ll
ନୂଆମାଣ ଗୋଟିଏ ଅଣାଇ ଯତ୍ନେ ବେଗେ l
ଧୋଇଧାଇ କରି ତାକୁ ଶୁଖାଇବ ବେଗେ ll
ମାଣକୁ ଝୋଟି ଦେଇ ଚିତ୍ରିତ କରିବ l ଖଟୁଲିଟିଏ ଧୋଇ ଧାଇ ଚିତ୍ରିତ କରିବ l ମାଣରେ ନୂଆ ଧାନ ମାପି ଖଟୁଲିରେ କୁଢାଇବ l ନୂଆ ଧାନରେ ମାଣ ପୁରାକରି ଖଟୁଲିରେ ରଖିବ l ମାଣ ଉପରେ ଧାନ କେଣ୍ଡାରେ ମେଣ୍ଟା ତିଆରିକରି ରଖିବ,ତିନିଗୋଟି ଗୁଆକୁ ଧୋଇଧାଇ ରଖିବ l ମୂଳା,ଆଖୁ,କଦଳୀ ଆଦିରେ ଚୁଳକୁ ସଜାଇବ l ରଙ୍ଗୀନ ଲୁଗା ଦେଇ ମେଣ୍ଟାକୁ ଆବୃତ୍ତକରି ଧୂପଦୀପ ଦାନରେ ଲକ୍ଷ୍ମୀଙ୍କୁ ଆରାଧନା କରିବ l ତା ପରେ ଭୋଗ ଲଗାଇବ :-
ପ୍ରଥମରେ ବାଳଧୂପ ତା ପରେ ସଙ୍ଖୁଡି l
ଏପରି କରିବ ତିନି ଧୂପକୁ ସଜାଡି ll
ସେ ସାଧବାଣୀକୁ ଲକ୍ଷ୍ମୀ ଏହିପରି ପୂଜା ଵିଧିମାନ ବତାଇଛନ୍ତି l ପରେ ସାଧବାଣୀ ପ୍ରଶ୍ନ କରିବାରେ ଲକ୍ଷ୍ମୀ ପୁଣି ଗୁରୁବାର ଦିନ କେଉଁ କାର୍ଯ୍ୟ ନିଷିଦ୍ଧ ତାହା ବତାଇଛନ୍ତି l କଥା ମାଧ୍ୟମରେ ଲକ୍ଷ୍ମୀ ବକ୍ର ଶେଯପାରି ଶୋଇବା,ଶାଶୁ ଶଶୁରଙ୍କୁ ନ ମାନିବା, ସଭାରେ ବସି ମିଛ କହିବା, କଥା କହୁ କହୁ ସବୁ ବେଳେ ହସିବା, ଏ ସବୁ ଅନୀତି ବିଷୟରେ କହି ଶେଷରେ ନାରୀଧର୍ମ କିପରି ପାଳନ କରିବ ତାହା ବୁଝାଇଛନ୍ତି l ଏହାପରେ ଲକ୍ଷ୍ମୀ ଯାଇ ପହଞ୍ଚିଛନ୍ତି ଚାଣ୍ଡାଳ ସାହିରେ ଶ୍ରୀୟା ଚଣ୍ଡାଳୁଣୀ ଘରେ l
ଶ୍ରୀୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର l
ତାହାର ମହିମା ଯେ ଦେବଙ୍କୁ ଅଗୋଚର ll
ପ୍ରତିଦିନ ଖରକଇ ଗୁଣ୍ଡିଚା ମନ୍ଦିର l
ବିଷ୍ଣୁ ଭକତିରେ ସେ ଅତି ତତପର ll
ସେଦିନ ଶ୍ରୀୟା ଶୁଦ୍ଧପୂତ ଭାବେ ଲକ୍ଷ୍ମୀପୂଜା ଏବଂ ମାଣବସା ପୂଜାପାଇଁ ସମସ୍ତ ଆୟୋଜନ କରିଛି l ଯୋଗକୁ ସେଦିନ ସୁଦଶା ବ୍ରତଟି ପଡିଛି l ଶ୍ରୀୟା ଆଙ୍କିଥିବା ଝୋଟି ପଦ୍ମ ଫୁଲ ଉପରେ ଯାଇ ଠିଆ ହୋଇଛନ୍ତି ମାଆ ପଦ୍ମାଳୟା l ଶ୍ରୀୟାର ପୂଜାରେ, ଶୁଦ୍ଧପୂତତାରେ ମାଆ ସନ୍ତୁଷ୍ଟହୋଇ ଶ୍ରୀୟାକୁ ବର ଦେଇଛନ୍ତି l ଚଣ୍ଡାଳୁଣୀ ଘର ଧନ ଧାନ୍ୟରେ ପୁରି ଉଠିଛି l
ତା ପରେ ଲକ୍ଷ୍ମୀ ଫେରି ଆସିଛନ୍ତି ଶ୍ରୀ ମନ୍ଦିରକୁ l ଦୁଆରେ ପହଞ୍ଚି ଦେଖିଲେ ଜଗାବଳିଆ ଦୁଇଭାଈ ବସିଛନ୍ତି l ତାଙ୍କୁ ଲକ୍ଷ୍ମୀ କହିଲେ ବାଟ ଛାଡ଼ନ୍ତୁ ମୁଁ ଶ୍ରୀ ମନ୍ଦିର ଗଲେ ମଣୋହି ତିଆରି କରିବି l କିନ୍ତୁ ଲକ୍ଷ୍ମୀ ଚଣ୍ଡାଳ ସାହି ଯାଇ ଅପବିତ୍ର ହୋଇଛନ୍ତି ! କିପରି ମନ୍ଦିରକୁ ପ୍ରବେଶ କରିବେ l ଏହି କଥାଟିକୁ ଅଡ଼ି ବସିଛନ୍ତି ଦୁଇଭାଈ :-
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ l
ଚଣ୍ଡାଳ ସାହିକୁ ଯାଇ ଥିଲ କାହିଁପାଇଁ ll
ଆମ୍ଭେ ନଦେଖୁଣୁ ଯେ ଦେଖିଲେ ବଡ଼ଭାଈ l
ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ ll
ଲକ୍ଷ୍ମୀ ଯେତେଯାହା ବୁଝାଇଲେ ମଧ୍ୟ ବଡ଼ଠାକୁର ଓ ଜଗନ୍ନାଥ ବୁଝିନାହାଁନ୍ତି l ଶେଷକୁ ଲକ୍ଷ୍ମୀ ବାଧ୍ୟହୋଇ ସେଠାରୁ ପ୍ରସ୍ଥାନ କରିଛନ୍ତି l ଗଲାବେଳେ ସେ ଦୁଇ ଭାଇଙ୍କୁ ଅଭିଶାପ ଦେଇ ଯାଇଛନ୍ତି :-
ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ l
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ll
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ l
ଅନ୍ନବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ll
ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ l
ଭୋଜନ କରିବ ତେବେ କାଳୀୟ ଗଞ୍ଜନ ll
ଲକ୍ଷ୍ମୀ ଯାଇ ସାଗର କୂଳରେ ବିଶ୍ଵକର୍ମାଙ୍କ ନିର୍ମିତ ନବରରେ ନିବାସ କରିଛନ୍ତି ଓ ବେତାଳ ମାନଙ୍କ ଦ୍ୱାରା ଶ୍ରୀ ମନ୍ଦିରର ସମସ୍ତ ସମ୍ପଦକୁ ହରଣ କରି ଆଣିଛନ୍ତି l ବଳଭଦ୍ର ଓ ଜଗନ୍ନାଥ ତା ପରେ ଭିକ ମାଗି ବୁଲିଛନ୍ତି l ଲକ୍ଷ୍ମୀଛଡ଼ା ହୋଇଥିବାରୁ କେଉଁ ଠାରେ ଭିକ୍ଷା ମିଳିନାହିଁ l ଲକ୍ଷ୍ମୀଛଡ଼ା ଜଗନ୍ନାଥ ଓ ବଳରାମଙ୍କୁ ଲୋକେ ଦୂର ଦୂର ମାର ମାର କହି ତଡ଼ି ଘଉଡ଼େଇ ଦେଇଛନ୍ତି l ଏପରିକି ମିଳି ଥିବା ଭିକ୍ଷା ମଧ୍ୟ ତାଙ୍କୁ ପ୍ରାପ୍ତ ନ ହୋଇ ପବନରେ ଉଡ଼ି ଯାଇଛି l ଶେଷରେ ଯାଇ ସେମାନେ ମା’ଲକ୍ଷ୍ମୀଙ୍କ ଦୁଆରେ ଭିକ୍ଷା ମାଗିଛନ୍ତି l ତାଙ୍କ ହାତରନ୍ଧା ଖାଇ ତାଙ୍କୁ କ୍ଷମା ମାଗି ପୁନଶ୍ଚ ଶ୍ରୀ ମନ୍ଦିରକୁ ଫେରାଇ ଆଣିଛନ୍ତି l
ଏହା ହିଁ ଲକ୍ଷ୍ମୀ ପୁରାଣର କଥାବସ୍ତୁ l ଏହି କଥାକୁ ନେଇ କେତେ କାବ୍ୟ, କବିତା, ନାଟକ,ଚଳଚ୍ଚିତ୍ର, ଦୂରଦର୍ଶନ ସିରିଏଲ ପ୍ରସ୍ତୁତ ହୋଇଛି l ଏଥିପାଇଁ ବୋଧହୁଏ ବଳରାମଦାସ କୃତ ଏ କ୍ଷୁଦ୍ର ପୁସ୍ତିକାଟି ଏକ ମହା ପୁରାଣ ଭାବରେ ଖ୍ୟାତି ଲାଭ କରିଛି l ଏହାର ଖ୍ୟାତି ଦିନେ ପଡୋଶୀ ପଶ୍ଚିମ ବଙ୍ଗରେ ବ୍ୟାପ୍ତ ଥିଲା l ପଶ୍ଚିମବଙ୍ଗର କବି ଦେବକୀନନ୍ଦନ ତାଙ୍କ ବୈଷ୍ଣବ ବନ୍ଦନା ଗ୍ରନ୍ଥରେ ଲେଖିଛନ୍ତି :-
ବନ୍ଦେ ଉଡ଼ିଆ ବଳରାମ ଦାସ ମହାଶୟ l
ଜଗନ୍ନାଥ ବଳରାମ ଯା’ର ବଶ ହୟ ll
ଏହି କ୍ଷୁଦ୍ର ପୁସ୍ତିକାଟିର ଲୋକପ୍ରିୟତାକୁ ବିଚାରକୁ ନେଲେ ବୁଝାଯାଏ ପ୍ରକୃତ ପକ୍ଷେ ଏହା ଏକ ମହା ପୁରାଣ l ଲକ୍ଷ୍ମୀପୂରାଣ ମାଧ୍ୟମରେ କବି ବଳରାମ ସମାଜକୁ କେତେ ଯେ ବାର୍ତ୍ତା ଦେଇଛନ୍ତି ତାହାର ତୁଳନା ନାହିଁ l ନାରୀର ସ୍ୱାଧୀନତା ଓ ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ ଏଥିରେ ବାର୍ତ୍ତା ଅଛି :-
ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ l
ନାରୀଙ୍କୁ ପୁରୁଷ ମାନେ ଆଉ ନ ଲୋଡ଼ିବେ ll
ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର l
କଳି ଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ll
ଲକ୍ଷ୍ମୀ ଶ୍ରୀ ମନ୍ଦିର ଫେରିବା ପୂର୍ବରୁ ସର୍ତ୍ତ ରଖିଛନ୍ତି ଓ ପ୍ରଭୁ ତାହା ଗ୍ରହଣ କରିଛନ୍ତି l ସର୍ତ୍ତ ମାଧ୍ୟମରେ ଜାତି ପ୍ରଥା ବିରୁଦ୍ଧରେ ବାର୍ତ୍ତା ଦିଆଯାଇଛି :-
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ l
ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ll
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁ ଥିବେ ହସ୍ତ l
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ll
ଲକ୍ଷ୍ମୀପୁରାଣରେ ରହିଛି ସ୍ୱଚ୍ଛତା ଅଭିଯାନ ବାର୍ତ୍ତାl ନାରୀ ଜାଗରଣ ଓ ମହିଳା ସଶକ୍ତି କରଣ, ଜାତି ପ୍ରଥା ଓ ଅସ୍ପୃଶ୍ୟତା ନିବାରଣ, ଖାଦ୍ୟ ସୁରକ୍ଷା ଓ ପାରିବାରିକ ମୂଲ୍ୟ ବୋଧର ବାର୍ତ୍ତା l ଏକ ସୁନ୍ଦର ସ୍ଵଚ୍ଛ ପରିବେଶ ସୃଷ୍ଟି କରିବା ନିମନ୍ତେ ଗୁରୁ ବାର ମାଣବସା ବ୍ରତର ସୃଷ୍ଟି ଯାହା ଉତ୍କଳ ଭୂମିର ଏକ ଅନନ୍ୟ ପରମ୍ପରା l ନାରୀର ସ୍ବାଧୀକାର,କର୍ତ୍ତବ୍ୟ ପାଇଁ ଏହା ଏକ ସୁଦୂର ପ୍ରସାରୀ ବାର୍ତ୍ତା ଦେଇଛି l ଆଜି ମାର୍ଗଶୀର ପ୍ରଥମପାଳି ମାଣବସା ଗୁରୁବାର ଅବସରରେ ମା’ଲକ୍ଷ୍ମୀଙ୍କୁ ପ୍ରାର୍ଥନା ସେ ସୁଖ,ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସକଳ ଐଶ୍ୱର୍ଯ୍ୟ ପ୍ରଦାନ କରି ଜଗତ ବାସୀଙ୍କର କଲ୍ୟାଣ କରନ୍ତୁ,ସଭିଙ୍କ ଦୁଃଖ ହରଣ କରନ୍ତୁ !
କମଳେ କମଳାୠଢ଼େ
ଶକ୍ତି ପ୍ରଦାୟିନୀ ଦେବୀ l
ତ୍ରୈଲୋକ୍ୟପାଳିନୀ ଦେବୀ
ସତତଂ ତାଂ ନମାମ୍ୟହମ୍ ll
ବିଦେହୀ ଦେବୀ କଲ୍ୟାଣ
କଳୁଷମ୍ ଜନମଙ୍ଗଳମ୍ l
ମମାଭୀଷ୍ଟମ୍ ପ୍ରଦଂ ଭୃତ୍ୱା
ବାଞ୍ଛତାଥ୍ୟଂ ଚ ଦେହିମେ ll
ଓଁ ଶ୍ରୀ ମହାଲକ୍ଷ୍ମୀ ନମସ୍ତୁତେ !
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 76930 91971

Comments are closed.