ମାଗୁଣୀ ମୋହର ଏତିକି

ଅର୍ଜୁନୀ ଚରଣ ବେହେରା

ଜୟ ଜୟ ଜଗନ୍ନାଥ ହେ ଜୟ ଦାରୁ ମୂରତି l
ସୁପ୍ରଭାତ ଶୁଭପ୍ରଭାତେ ଘେନ ଦୀନ ପ୍ରଣତି ll
କି କହିବି ମହାପ୍ରଭୁ ହେ ତୁମ୍ଭ କରୁଣା ସୀମା l
କ୍ଷମାମୟ ଅପରାଧ ମୋ କେତେ କରିଛ କ୍ଷମା ll
ମାଗିବା ପୂର୍ବରୁ ପ୍ରଭୁ ହେ ସବୁ ଦେଇଛ ଯାଚି l
ମନ ବଳୁ ନାହିଁ ଆଉ ହେ ପ୍ରଭୁ ମାଗିବି କିଛି ll
ଲୋଡ଼ାନାହିଁ ମୋର ହେ ପ୍ରଭୁ ଧନଜନ ବୈଭବ l
ମାଗୁନାହିଁ ଆୟୁ,ସ୍ୱାସ୍ଥ୍ୟ ବା ପ୍ରଭୁ ଯଶ ଗୌରବ ll
ମାଗୁଣୀ ମୋହର ଏତିକି ଆହେ ଚକା ନୟନ l
ଚର୍ମ ନେତ୍ରେ ସଦା ସର୍ବତ୍ର କରେ ତୁମ୍ଭ ଦର୍ଶନ ll
କର୍ଣ୍ଣେ ଶୁଣେ ତୁମ୍ଭ ମହିମା ତୁମ୍ଭ ପୁଣ୍ୟପୁରାଣ l
ନାସା କରୁ ଛଡ଼ାତୁଳସୀ ଛଡ଼ାଫୁଲ ଆଘ୍ରାଣ ll
ତଵ ପଦ୍ମପାଦ ସେବାରେ ଲାଗୁ ଏ ଦୁଇକର l
ଉଚ୍ଚାରୁ ରସନା ମୋହର ନାମ କମଳା ବର ll
ଦର୍ଶନେ ତୁମ୍ଭର ପ୍ରେମାଶ୍ରୁ ସ୍ରବୁ ନୟନୁ ମୋର l
ବାସ କର ସଦା ପ୍ରଭୁହେ ମୋର ହୃଦ କନ୍ଦର ll
ଅକିଞ୍ଚନେ ଭିକ୍ଷା ଏତିକି ନ ହୋଇବ ବିମୁଖ l
କାହାକୁ ମାଗିବି ଭିକ୍ଷା ମୁଁ ଥାଉଁ କଳା ଶ୍ରୀମୁଖ ll
ଜଗତ ଠାକୁରେ ଜଗତ ବନ୍ଧୁ କରୁଣା ସିନ୍ଧୁ l
କରୁଣାସିନ୍ଧୁରୁ ଲାଳସା ମାତ୍ର ଗୋଟିଏ ବିନ୍ଦୁ ll
ମାନନୀୟ ମହାମାନ୍ୟଙ୍କୁ ମାତ୍ର ଏତିକି ଅଳି l
ଶ୍ରିଚରଣେ ତୁମ୍ଭ ଶରଣ ଆହେ ଶ୍ରୀଵନମାଳି ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ-୭୬୯୩୦୯୧୯୭୧

Comments are closed.