ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍ଜିରେ ହଙ୍ଗାମା ଘଟଣାକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଗିରଫ ହୋଇଥିବା ସମସ୍ତ ୧୧୩ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି। ହଙ୍ଗାମା ସମୟରେ ବ୍ୟବହୃତ ଓ ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହରେ ୩୫୪ଟି ଗାଡ଼ି ମଧ୍ୟ ପୁଲିସ ଜବତ କରିଛି।
ତେବେ ଘଟଣାରେ ଅଟକ ଥିବା ଲୋକଙ୍କ ମଧ୍ୟରୁ ୬୦ ଜଣଙ୍କୁ ସେମାନଙ୍କ ଭଲ ବ୍ୟବହାର ଓ ଅନ୍ୟାନ୍ୟ ପରିସ୍ଥିତିକୁ ବିଚାର କରି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୩୦ ଦଫା ଦାବି ନେଇ ଲୋୟର ପିଏମ୍ଜିରେ OLA, Uber ଓ Rapido ଡ୍ରାଇଭରମାନେ ଧାରଣା ଦେଇଥିଲେ। ଅନଲାଇନ୍ ଟ୍ୟାକ୍ସି ଭଡ଼ା ନିର୍ଦ୍ଧାରଣରେ ସରକାରୀ ନିୟନ୍ତ୍ରଣ ସହ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ୍ ଲାଗୁ କରିବାକୁ ସେମାନେ ଦାବି କରିଥିଲେ।
ସଂଗଠନ ପକ୍ଷରୁ ଦିନରେ କିଲୋମିଟର ପିଛା ୧୨ ଟଙ୍କା ଓ ରାତିରେ ୧୫ ଟଙ୍କା ଭଡ଼ା ଧାର୍ଯ୍ୟ କରିବାକୁ ଦାବି ହୋଇଥିଲା। ଏହାସହ ଇନ୍ଧନ ଦର ବୃଦ୍ଧି ହେଲେ ଭଡ଼ା ବଢ଼ାଇବା, ପିକ୍ ଆୱାର ଓ ସପ୍ତାହାନ୍ତ ବୋନସ୍, ଦୀର୍ଘଦୂର ପିକ୍ଅପ୍ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଭଳି ଦାବି ରହିଥିଲା।
ତେବେ ଆନ୍ଦୋଳନର ଦ୍ୱିତୀୟ ଦିନରେ ବିକ୍ଷୋଭକାରୀମାନେ ହଙ୍ଗାମା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପରିସ୍ଥିତି ନିୟନ୍ତ୍ରଣ ସହ ହଙ୍ଗାମାରେ ସମ୍ପୃକ୍ତ ବିକ୍ଷୋଭକାରୀଙ୍କ ବିରୋଧରେ ପୁଲିସ ଦୃଢ଼ ପଦକ୍ଷେପ ନେଇଥିଲା । ଏହି ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି।
Comments are closed.