ପଞ୍ଚାନନ କାନୁନଗୋଙ୍କ ମିଥ୍ୟା ଅଭିଯୋଗକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ: ମହାପ୍ରଭୁଙ୍କ ଜମି ହଡ଼ପ ପ୍ରମାଣିତ ହେଲେ ଛାଡ଼ିବି ରାଜନୀତି

0

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଏବଂ ଆତ୍ମସାତ୍‌କୁ ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଆଗତ ବ୍ୟକ୍ତିଗତ ଅଭିଯୋଗ ଉପରେ କଡ଼ା ଏବଂ ଭାବବିହ୍ୱଳ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ ମନ୍ତ୍ରୀଙ୍କ ନାମରେ ମିଥ୍ୟା ଓ ଶସ୍ତା ଆରୋପ ଲଗାଇ ଆଇନମନ୍ତ୍ରୀ କିମ୍ବା ତାଙ୍କ ପରିବାର ମହାପ୍ରଭୁଙ୍କ ଜମି ମାଡ଼ି ବସିଛନ୍ତି କି ନାହିଁ ଶପଥ ପାଠ କରି କୁହନ୍ତୁ ବୋଲି ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସଙ୍ଗରେ ମୌନତା ଭଙ୍ଗ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତ୍ୟନ୍ତ ଆବେଗପୂର୍ଣ୍ଣ କଣ୍ଠରେ ନିଜର ପକ୍ଷ ରଖିବା ସହ ଶ୍ରୀ କାନୁନଗୋଙ୍କ ଭଳି ବରିଷ୍ଠ ରାଜନେତାଙ୍କଠାରୁ ଏଭଳି ଭିତ୍ତିହୀନ କୁତ୍ସାରଟନା ଆଶା କରାଯାଉନଥିଲା ବୋଲି ପ୍ରକାଶ କରିଛନ୍ତି। ସତ୍ୟତାକୁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖକୁ ଆଣିବା ପାଇଁ ସେ ଆଜି ଏହି କଡ଼ା ଜବାବ ଦେବାକୁ ବାଧ୍ୟ ହୋଇଛନ୍ତି।

ନିଜର ଶ୍ରଦ୍ଧା ଓ ବିଶ୍ୱାସ ପ୍ରକଟ କରି ମନ୍ତ୍ରୀ କହିଛନ୍ତି ଯେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଓ ପରମ ଭକ୍ତ। ନିଜ ଜୀବନର ସମସ୍ତ ସୁଖ, ଦୁଃଖ, ଭଲ, ମନ୍ଦ ଏବଂ ନିଜର ସମସ୍ତ ସମ୍ପତ୍ତି ସେ କାଳିଆ ସାଆନ୍ତଙ୍କ ପାଦପଦ୍ମରେ ସମର୍ପଣ କରିଦେଇଛନ୍ତି। ସେହି ମହାପ୍ରଭୁଙ୍କ ସାମାନ୍ୟ ସେବା କରିବା ପାଇଁ ତାଙ୍କୁ ଆଜି ସୁଯୋଗ ମିଳିଛି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟବର୍ଦ୍ଧନ, ବ୍ୟବସ୍ଥାକୁ ସୁଶୃଙ୍ଖଳିତ କରିବା, ମହିମାର ପ୍ରଚାର ପ୍ରସାର ଏବଂ ଏହାକୁ ଦେଶର ଶ୍ରେଷ୍ଠତମ ତୀର୍ଥକ୍ଷେତ୍ର ଭାବେ ଗଢ଼ିତୋଳିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରହିଛି। ଶ୍ରୀମନ୍ଦିରର ସ୍ଥାବର-ଅସ୍ଥାବର ସମ୍ପତ୍ତିର ପୁନରୁଦ୍ଧାର ଏବଂ ରତ୍ନଭଣ୍ଡାରର ଗଣତି-ମଣତି ପ୍ରକ୍ରିୟା ଶୃଙ୍ଖଳିତ ଭାବେ ଚାଲୁରହିଛି। ଆଇନ ବିଭାଗ, ରାଜସ୍ୱ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ରଖିବା ପାଇଁ ଦୃଢ଼ ସଂକଳ୍ପ ସହ କାର୍ଯ୍ୟ କରାଯାଉଛି।

ଏହିପରି ସମୟରେ ତାଙ୍କ ଏବଂ ତାଙ୍କ ପରିବାର ନାମରେ ମହାପ୍ରଭୁଙ୍କ ଜମି ହଡ଼ପ କରିବାର ଯେଉଁ ମିଥ୍ୟା ଅପବାଦ ଦିଆଯାଉଛି, ତାହାର ପ୍ରତ୍ୟୁତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିରୋଧୀଙ୍କୁ ଏକ ସ୍ପଷ୍ଟ ଓ ଖୋଲା ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଙ୍କ ନାମରେ କିମ୍ବା ତାଙ୍କ ପରିବାର ନାମରେ ଗୋଟିଏ ଇଞ୍ଚ ଜମି ଦାଖଲ ଥିବାର କିମ୍ବା ଗୋଟିଏ ଟଙ୍କାର ଭ୍ରଷ୍ଟାଚାରର ପ୍ରମାଣ କେହି ଦେଇପାରିବେ, ତେବେ ସେ ନିଜର ସମ୍ପୂର୍ଣ୍ଣ ରାଜନୈତିକ ଜୀବନରୁ ସନ୍ନ୍ୟାସ ନେବେ ଏବଂ ରାଜନୀତି ପରିତ୍ୟାଗ କରିବେ। ଅପରପକ୍ଷରେ, ଯଦି ଅଭିଯୋଗକାରୀ ପ୍ରମାଣ ଦେବାରେ ବିଫଳ ହୁଅନ୍ତି, ତେବେ ସେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ୍ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ରାଜନୀତିକୁ ସେ ଏକ ନିଷ୍ଠାପର ସେବାର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଷ୍ଠାର ସହ ଜନସେବା କରିଚାଲିବେ ବୋଲି ସଂକଳ୍ପ ନେଇଛନ୍ତି। ନିଜ କର୍ତ୍ତବ୍ୟ ପଥରେ ବାଧକ ସାଜି ମିଥ୍ୟା କୁତ୍ସାରଟନା ମାଧ୍ୟମରେ ମାନସିକ ଯନ୍ତ୍ରଣା ଦେଉଥିବା ଲୋକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଉଚିତ ନ୍ୟାୟ ଦେବେ ବୋଲି ଆଇନ ମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.