କୂଅରେପଡି ଶିଶୁ ମୃତ୍ୟୁ ଘଟଣା : ବିଭିନ୍ନ ସ୍ତରରୁ ତଦନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତଳଗାଁ ପଂଚାୟତ ଗୋଛାବାରି ଗ୍ରାମରେ ଶୁକ୍ରବାର କୂଅରେ ପଡି ଶୁଭଙ୍କର ପ୍ରଧାନ (୪ବର୍ଷ୪ମାସ) ବୟସର ଜଣେ ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନୱାଡିରେ  ପାଠପଢୁଥିବା ଶିଶୁର ମୃତ୍ୟୁ ଘଟିଥିଲା । ଏଭଳି ସ୍ପର୍ଶକାତର ଘଟଣା ପରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାଷ୍ଟିନ୍ କୁଜୁରୁ, ହରଭଙ୍ଗା ଶିଶୁବିକାଶ ଅଧିକାରୀ ନିରୁପମା ପାଣି ଏବଂ ସୁପରଫାଇଜର ଯଜ୍ଞ ନନ୍ଦଙ୍କ ଏକ ତିନିଜଣିଆ ଟିମ୍ ତଳଗାଁ ପଂଚାୟତର ଗୋଛାବାରୀ ଗ୍ରାମରେ ତଦନ୍ତ ପାଇଁ ପଂହଚିଥିଲେ । ଘଟଣା ବିଷୟରେ ସାହି ପଡୀଶା, ମୃତ ଶିଶୁର ମାଆ ଉଷାରାଣୀ ପ୍ରଧାନଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତକାରୀ ଦଳ ଅଙ୍ଗନୱାଡି କର୍ମୀ ଗୀତାଞଳୀ ପ୍ରଧାନଙ୍କ ବୟାନ ରେକର୍ଡ କରିଛନ୍ତି । ତଦନ୍ତରୁ ଶିଶୁଟି ଶୁକ୍ରବାର ଅଙ୍ଗନୱାଡି କେନ୍ଦ୍ରରୁ ଆସି ଖେଳିବାକୁ ଯାଇଥିଲା। ସବୁଦିନେ ଖେଳିବା ପରେ ଖାଇବାକୁ ଆସେ। ମାତ୍ର ସେଦିନ ଫେରିବାରେ ବିଳମ୍ବ ଯୋଗୁଁ ତାର ସାଥି ଶ୍ରବଣକୁ ପରିବାର ଲୋକ ପଚରାଉଚରା କରିଥିଲେ ଏବଂ ପାଖ ସାହିରେ ଖୋଜାଖୋଜି କରିଥିଲେ। ଘର ପଛପଟ କୂଅ ପାଖ ବିଲରେ ତାର ଚପଲ ଭାସୁଥିବା ଦେଖି କୂଅରେ ପଡିଥିବା ସନ୍ଦେହ କରି ଖୋଜିଲା ପରେ ସେଠାରୁ ତାର ମୃତଦେହ ମିଳିଥିବା ବିଷୟରେ ସିଡିପିଓ ନିରୁପମା ପାଣି ସୂଚନା ଦେଇଛନ୍ତି। ମୃତ ଶିଶୁର ମାଆର ବୟାନ ରେକର୍ଡ ସହ ତଦନ୍ତ ରିପୋର୍ଟ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ପଠାଯାଇଥିବା ସିଡିପିଓ କହିଛନ୍ତି। ଅନ୍ୟପଟେ ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଥିବା ବେଳେ ହରଭଙ୍ଗା ପୁଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି। ତରୁନ୍ତ ମୃତକକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ ହେଉଛି।

Comments are closed.