ଭୁବନେଶ୍ବର: ପୂର୍ବରୁ ଅସାଧୁ ବ୍ୟକ୍ତିମାନେ ସେମାନଙ୍କ କଳାଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ କିମ୍ବା ସୁନା ଓ ଜମି ଭଳି ସଂପତ୍ତି କିଣୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ସେମାନେ ନିଜର ସଂପର୍କୀୟମାନଙ୍କ ମାଧ୍ୟମରେ ବି ଏପ୍ରକାର କାରବାର କରି ସେମାନଙ୍କ କଳାସାମ୍ରାଜ୍ୟକୁ ବିସ୍ତାର କରୁଥିଲେ। କିନ୍ତୁ କ୍ରିପ୍ଟୋକରେନ୍ସି ଏବେ କଳାଟଙ୍କା ନିବେଶର ଏକ ବଡ଼ ବିକଳ୍ପ ବା ବଳିଷ୍ଠ ମାଧ୍ୟମ ପାଲଟି ଯାଇଛି। ନିକଟରେ ରାଜ୍ୟରେ ଧରାପଡ଼ିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କ୍ରିପ୍ଟୋକରେନ୍ସି କ’ଣ?
କ୍ରିପ୍ଟୋକରେନ୍ସି ଏକ ଅଦୃଶ୍ୟ ମୁଦ୍ରା। ବିଟକଏନ୍, ଇଥେରିୟମ, ଟିଥର, ବାଇନାନ୍ସ କଏନ, ଡଜିକଏନ ଭଳି ଭିନ୍ନ ଭିନ୍ନ ନାମରେ ଏହି ଅଦୃଶ୍ୟ ମୁଦ୍ରା ପ୍ରଚଳନରେ ରହିଛି। ସେଗୁଡ଼ିକର ମୂଲ୍ୟରେ ମଧ୍ୟ ପାର୍ଥକ୍ୟ ରହିଛି। ଉକ୍ତ ଅଦୃଶ୍ୟ ମୁଦ୍ରାର ମୂଲ୍ୟ କମ୍ପାନିର ସେୟାର ଭଳି ପ୍ରତି ଦିନ ବଢ଼ୁଛି ଏବଂ କମୁଛି। ତେଣୁ ଏଥିରେ ନିବେଶ କରି ଗୋଟିଏ ପଟେ ନିଜ ଧନକୁ ଲୁଚାଇବା ସହିତ ଅନ୍ୟପଟେ ଟଙ୍କାକୁ ବହୁଗୁଣିତ କରିବାର ସୁଯୋଗ ନିବେଶକଙ୍କ ପାଇଁ ରହୁଛି। ଭାରତ ଭଳି ବିଶ୍ବର ଅନେକ ଦେଶ କିନ୍ତୁ କ୍ରିପ୍ଟୋକରେନ୍ସିର କାରବାରକୁ ଅନୁମତି ଦେଇନାହାନ୍ତି। ଏଥିସହିତ ଏହି ବଜାରକୁ ନିୟନ୍ତ୍ରଣ କରିବାକୁ ମଧ୍ୟ କୌଣସି ନିୟାମକ ସଂସ୍ଥା ଏପର୍ଯ୍ୟନ୍ତ ସୃଷ୍ଟି କରାଯାଇନାହିଁ। ତେଣୁ କଳାଟଙ୍କା ଖଟାଇବା ଲାଗି ଏହା ଏକ ଉତ୍ତମ ମାଧ୍ୟମରେ ପରିଣତ ହେଲାଣି ବୋଲି ଅନେକ ମତ ଦେଉଛନ୍ତି। ଫଳରେ କ୍ରିପ୍ଟୋକରେନ୍ସି ବଜାର ଆକାର ଦ୍ରୁତଗତିରେ ଆଗକୁ ବଢ଼ୁଛି।
ନିୟାମକ ସଂସ୍ଥା ନାହିଁ
କ୍ରିପ୍ଟୋକରେନ୍ସି ବଜାରର ଏକ ବଡ଼ ଅସୁବିଧା ହେଲା ଏହାକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ କିମ୍ବା ସେବି ଭଳି କୌଣସି ନିୟାମକ ସଂସ୍ଥା ନାହିଁ। ତେଣୁ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ବ୍ୟକ୍ତି ବ୍ୟାଙ୍କ ଜରିଆରେ କାରବାର କରିଲେ ବି ସେସବୁ ନିବେଶର ପତ୍ତା ପାଇବା ବ୍ୟାଙ୍କଗୁଡ଼ିକ ପାଇଁ ସହଜ ହେଉନାହିଁ। କାରଣ କ୍ରିପ୍ଟୋକରେନ୍ସି ଆପ୍ ଗୁଡ଼ିକ କେବଳ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ଟଙ୍କା ଦେଶ ଭିତରେ ନିବେଶ ହେଲା କିମ୍ବା କଳାଟଙ୍କା ଓ ହାଓଲା ଆକାରରେ ବିଦେଶକୁ ଗଲା ତାହା ବ୍ୟାଙ୍କ ପକ୍ଷେ ଜାଣିବା କଷ୍ଟକର ବ୍ୟାପାର ହେଉଛି। ଏହାବ୍ୟତୀତ ଏଥିରେ ନିବେଶ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂପୃକ୍ତ ସଂସ୍ଥା ଛଡ଼ା ଅନ୍ୟ କାହାରି ପାଖରେ ରହୁନାହିଁ। ମୂଲ୍ୟ କମ୍ ଥିବା ସମୟରେ ଏହି ଅଦୃଶ୍ୟ ମୁଦ୍ରା କିଣିଥିବା ବ୍ୟକ୍ତି ବିକିବା ବେଳେ ଯଦିଓ କେତେକ ସମୟରେ କ୍ଷତି ସହୁଛନ୍ତି ତଥାପି ଅଧିକାଂଶ ବ୍ୟକ୍ତି ଲାଭ ଆଶାରେ ଏହି ସଟ୍ଟା ବଜାରରେ ପ୍ରବେଶ କରୁଛନ୍ତି। ମୁଖ୍ୟତଃ ଏଥିରେ ନିବେଶ କରିଲେ ନିବେଶକଙ୍କ ପରିଚୟ ପଦାକୁ ଆସୁନି। ଦ୍ବିତୀୟତଃ ସୁନା, ଜମି, ସେୟାର, ମ୍ୟୁଚୁଆଲ ଫଣ୍ଡ ଆଦି ତୁଳନାରେ ଏଥିରେ ଲୋକମାନେ ବହୁ ଅଧିକ ରିଟର୍ଣ୍ଣ ପାଉଥିବା କହୁଛନ୍ତି। ଏହାବ୍ୟତୀତ ବ୍ୟାଙ୍କ ଆକାଉଣ୍ଟରେ କଳାଟଙ୍କା ରଖିଲେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଧରାପଡ଼ିବା ସହଜ ହେଉଛି। ପାନ୍ କାର୍ଡ ଓ ଆଧାର କାର୍ଡରୁ କାହା ନାମରେ କେତେ ଆକାଉଣ୍ଟ ବା ଟଙ୍କା ଜମା ରହିଛି ତାହା ଜଣାପଡ଼ିଯାଉଛି। ତେଣୁ ତଦନ୍ତକାରୀ ସଂସ୍ଥା ଧରିଲେ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବାର ଭୟ ରହୁଛି। କିନ୍ତୁ କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ଏହା କଷ୍ଟକର। ତେଣୁ ଆଇନର ଗଳାବାଟ ଖୋଜୁଥିବା କଳାଟଙ୍କାଧାରୀମାନେ କ୍ରିପ୍ଟୋକରେନ୍ସିକୁ ନିବେଶର ଏକ ବଡ଼ ମାଧ୍ୟମ ଭାବେ ଗ୍ରହଣ କରିନେଲେଣି। ବ୍ୟାଙ୍କ ଶାଖାଗୁଡ଼ିକ ଯଦିଓ କେତୋଟି କାରବାର କ୍ଷେତ୍ରରେ ଆଲର୍ଟ ବା ସତର୍କ ବାର୍ତ୍ତା ପାଉଛନ୍ତି ତଥାପି ତାହାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ କରିବା ଛଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେମାନଙ୍କ ପାଖରେ ଅନ୍ୟ କୌଣସି ସାଧନ ନାହିଁ ବୋଲି ଜଣେ ବ୍ୟାଙ୍କ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।
କେମିତି ହେଉଛି କାରବାର?
କ୍ରିପ୍ଟୋକରେନ୍ସିରେ ନିବେଶ କରିବା ପାଇଁ ସେୟାର ବଜାର ଭଳି ବିଭିନ୍ନ ଆପ୍ ଉପଲବ୍ଧ ହେଉଛି। ସେଗୁଡ଼ିକୁ ଡାଉନଲୋଡ କରି ଧନୀକ ଶ୍ରେଣୀର ନିବେଶ ପ୍ରିୟ ବ୍ୟକ୍ତିମାନେ ଏଥିରେ ନିବେଶ କରୁଛନ୍ତି। ସେହି ଆପ୍ ମୋବାଇଲରେ ଡାଉନଲୋଡ କରିବା ପରେ ସେଥିରେ ଏକ ୱାଲେଟ ମଧ୍ୟ ଖୋଲିବାକୁ ହୋଇଥାଏ। ସଂପୃକ୍ତ ବ୍ୟକ୍ତିଙ୍କୁ ସେହି ୱାଲେଟକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡ଼ିବାକୁ ହୋଇଥାଏ। ବ୍ୟାଙ୍କରୁ ସେହି ୱାଲେଟକୁ ଟଙ୍କା ଆସିଥାଏ ଏବଂ ତାହାପରେ ସେଠାରୁ କ୍ରିପ୍ଟୋକରେନ୍ସିରେ ନିବେଶ ହୋଇଥାଏ। ସେହିଭଳି ବିକ୍ରି ମଧ୍ୟ ଅନୁରୂପ ଭାବେ ହୋଇପାରୁଛି। ଗୁଗୁଲପେ ଓ ପେଟିଏମ ୱାଲେଟ ଭଳି ଏହାକୁ ପରିଚାଳନା ଲାଗି ଲଗଇନ ଓ ପାସୱାର୍ଡର ଆବଶ୍ୟକତା ରହିଥାଏ। ସ୍ମାଟଫୋନ ଜରିଆରେ ସହଜରେ ଆପ୍ ଡାଉନଲୋଡ଼ ଓ ୱାଲେଟ ଖୋଲି କ୍ରିପ୍ଟୋକରେନ୍ସିରେ ନିବେଶ ଓ ଟଙ୍କା ସ୍ଥାନାନ୍ତର ସହଜରେ ହୋଇପାରୁଥିବାରୁ ଲୋକଙ୍କ ମଧ୍ୟରେ ଏହାର ଆଦୃତି ବଢ଼ୁଛି।
Comments are closed.