କୋଟିଆମୁହାଁ ମହାବଳ; କୋରାପୁଟ ବନ ବିଭାଗ ସଜାଗ, ଟିମ୍‌ ମୁତୟନ

୨ଦିନ ତଳେ ଗାଈ ମାରି ଖାଇଥିଲା, ୨୦କିମି ମଧ୍ୟରେ ରହିଛି: ଡିଏଫ୍‌ଓ

କୋରାପୁଟ : ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଆତଙ୍କର କାରଣ ସାଜିଥିବା ମହାବଳ ବାଘ ଏବେ କୋରାପୁଟ ଜିଲ୍ଲା ସୀମାରେ ବୁଲୁଛି। କୋଟିଆ ଗ୍ରାମପୁଞ୍ଜ ପାଖାପାଖି ଚାଲି ଆସିଥିବା ସୂଚନା ମିଳିଛି। ଶନିବାର ଦିନ ଆନ୍ଧ୍ରପ୍ରଦେଶର କାସପାଭାଲସା ବନ ବିଭାଗ ଅନ୍ତର୍ଗତ ଅଞ୍ଚଳ ଓ କୋଟିଆ ସୀମାରେ ଘଞ୍ଚ ଜଙ୍ଗଲରେ ବାଘର ଗତିବିଧି ଠାବ କରାଯାଇଛି। କୋଟିଆ ଅଞ୍ଚଳରେ ପଶିବାର ଭୟ ମଧ୍ୟ ରହିଛି। ଏଥିପାଇଁ ଉଭୟ ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ ତତ୍ପରତା ପ୍ରକାଶ କରିଛି।

ଦୁଇଦିନ ତଳେ କାସପାବାଲସା ‌ଠାରୁ ୭୫ କିଲୋମିଟର ଦୂରରେ ବାଘ ଖାଦ୍ୟ ସନ୍ଧାନରେ ରହିଥିଲା। ଏହି ଅଞ୍ଚଳରେ ଗାଈ ମାରି ଖାଇଥିବା ସୂଚନା ମିଳିଥିଲା। ଗତକାଲି କିମ୍ବା ଆଜି ଶିକାର କରି ନଥିବା ଜଣାପଡ଼ିଛି। ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ କୋଟିଆ ସୀମାଠାରୁ ୩୫ କିଲୋମିଟର ଅଞ୍ଚଳରେ ରହିଥିବା ଅନୁମାନ କରାଯାଉଛି। ସେହିପରି ଶନିବାର ରାତି କିମ୍ବା ରବିବାର ଦିନ ଶିକାର କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ କୋରାପୁଟ ବନଖଣ୍ଡ ଓ ସେମିଳିଗୁଡା ରେଞ୍ଜ ପକ୍ଷରୁ ଏହି ଅଞ୍ଚଳକୁ ବିଭାଗୀୟ କର୍ମଚାରୀଙ୍କୁ ନେଇ ଗଠନ ହୋଇଥିବା ଟିମ୍‌କୁ ପଠାଯାଇଛି। ଏହି ଟିମ୍‌ ସନ୍ଦିଗ୍ଧ ସ୍ଥାନରେ ବାଘର ସନ୍ଧାନ କରୁଥିବା ଜଣାପଡ଼ିଛି। ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜଙ୍ଗଲିଆ ଅଞ୍ଚଳକୁ ନ ଯିବା, ଘର ବାହାରେ ନ ଶୋଇବା ଏବଂ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଗତ ରବିବାର ଦିନ ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ବାଘ ସଂପର୍କରେ ସୂଚନା ଦେଇଥିଲେ। ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ବୁଲି ଗାଈଗୋରୁଙ୍କୁ ଶିକାର କରୁଥିବା ସ୍ପଷ୍ଟ କରିଥିଲେ। ଗୋଟିଏ ଦିନରେ ୬୦ରୁ ୭୦ କିଲୋମିଟର ଅଞ୍ଚଳ ଅତିକ୍ରମ କରୁଥିବା ଜଣାପଡିଛି। ଗୋଟିଏ ସ୍ଥାନରୁ ଆନ୍ଧ୍ର ବନବିଭାଗ ଅଧିକାରୀ ୧୨ସେଣ୍ଟିମିଟର ବିଶିଷ୍ଟ ବାଘର ପଞ୍ଝା ଚିହ୍ନ ଦେଖିଥିଲେ। ଏ ନେଇ କୋରାପୁଟ ଡିଏଫ୍ଓ ଅମିତାରାଣୀ ରାୟଙ୍କ କହିବା ହେଲା, କୋଟିଆ ଗ୍ରାମପୁଞ୍ଜର ୨୦ରୁ ୩୫ କିଲୋମିଟର ଦୂରରେ ମହାବଳ ବାଘର ଗତିବିଧି ଲକ୍ଷ୍ୟ କରାଯାଇଛି। ମାନ୍ୟମ ବନ ବିଭାଗ, ପାର୍ବତୀପୁରମ ରେଞ୍ଜରଙ୍କ ସହ କୋରାପୁଟ ବନ ବିଭାଗ ଅଧିକାରୀ ଯୋଗାଯୋଗରେ ରହିଛନ୍ତି। ଆଜି ଗୋଟିଏ ଟିମ୍‌ ଏହି ଅଞ୍ଚଳକୁ ପଠାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଦୁଇ ରାଜ୍ୟର ବନ ବିଭାଗ ମିଳିତ ଭାବେ କାମ କରୁଥିବା ଡିଏଫ୍‌ଓ କହିଛନ୍ତି।

Comments are closed.