କ୍ଷୀରଚୋରା ହରି

ଅର୍ଜୁନୀ ଚରଣ ବେହେରା

କ୍ଷୀରଚୋରା ହରି
===========
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ ପୂର୍ବକ ଚୋଉଦ ବର୍ଷ ବନ ବାସରେ ଯାଇ ପରମ ପାବନ କ୍ଷେତ୍ର, ଚିତ୍ରକୂଟ ଠାରେ ମନ୍ଦାକିନୀ ତୀରରେ ଅବସ୍ଥାନ କଲେ l ଧରାରେ ବିରାଜ ମାନ କରିଥାଏ ବସନ୍ତ ଋତୁ l ଚିତ୍ରକୁଟର ବନ୍ୟ ପ୍ରଦେଶ ସ୍ବର୍ଗୀୟ ସୁଷମାରେ ଭରି ଉଠିଥାଏ l ଆମ୍ର କୁଞ୍ଜରୁ ପଞ୍ଚମ ତାନରେ କୋକିଳ କଣ୍ଠରୁ ନିର୍ଗତ ରାଗିଣୀ ଅରଣ୍ୟ ପ୍ରଦେଶକୁ ମୁଖରିତ କରୁ ଥାଏ l ବନସ୍ପତି ମାନେ, ନବ କିଶଳୟ ବିମଣ୍ଡିତ ହୋଇ ଅରଣ୍ୟର ଶୋଭା ବର୍ଦ୍ଧନ କରୁ ଥାନ୍ତି l ପ୍ରଭୁ ଶ୍ରୀରାମ ସୀତାଙ୍କ ସହିତ ଅରଣ୍ୟର ଶୋଭା ରାଶି ସନ୍ଦର୍ଶନ କରି ଅତି ହର୍ଷିତଚିତ୍ତରେ ଭ୍ରମଣ କରୁଥାନ୍ତି l କ୍ଲାନ୍ତହୋଇ ପ୍ରଭୁ ବିଶ୍ରାମ ନେବା ପାଇଁ, ପଡ଼ିଥିବା ଏକ ଶିଳା ଉପରେ ବସି ପଡ଼ିଲେ l
ପରସ୍ପର ବାର୍ତ୍ତାଳାପ ଭିତରେ ମାଆ ସୀତା ପ୍ରଭୁଙ୍କୁ ପଚାରିଲେ,’ପ୍ରଭୁ ! ଅତି ରମଣୀୟ ଏ ବସନ୍ତକାଳ ଆଜି ଅଛି କାଲିକୁ ରହିବନାହିଁ l ଆଜି ଆମ୍ଭେ ଏହି କ୍ଷଣ ସ୍ଥାୟୀ, ଜୀବନର, ବସନ୍ତ କାଳରେ, ସତରେ କେତେ ସୁଖରେ ଏ ମନୋରମ ଅରଣ୍ୟରେ ଭ୍ରମଣ କରୁଛନ୍ତି, କାଲି ଦେହତ୍ୟାଗ କଲେ ଏ ମାଟି ଦେହ ମାଟିରେ ମିଶିଯିବ’l ମାଆଙ୍କର ବିଷର୍ଣ୍ଣ ଭରା କଥା ଶୁଣି ପ୍ରଭୁ କହିଲେ,”ପ୍ରିୟେ ! ଏ ଜଡ଼ ଦେହ ରହିବ ନାହିଁ ସତ l କିନ୍ତୁ ଏ ଅବିନାଶୀ ଆତ୍ମା କେଉଁଆଡ଼େ ଯିବନାହିଁ,ଯେ କୌଣସି ସ୍ଥାନରେ ଜନ୍ମହେଲେ ମଧ୍ୟ ଆମର ଆତ୍ମା ପରସ୍ପର ପ୍ରତି ଆକର୍ଷିତ ହେଉଥିବ l”
ପ୍ରଭୁଙ୍କର ଏଭଳି ଗୂଢ଼ ବାକ୍ୟ ଶୁଣି, ମାଆ ଜାନକୀ କହିଲେ,” ପ୍ରଭୋ ! ମୁଁ ଆପଣଙ୍କର ଏ ଜଟିଳ ତତ୍ତ୍ୱ ବୁଝି ପାରୁନାହିଁ ଟିକିଏ ସ୍ପଷ୍ଟଭାବେ ମୋତେ ବୁଝାଇ ଦିଅନ୍ତୁ”l ଶ୍ରୀରାମ କହିଲେ,ଦେବୀ ସୀତେ ! ତୁମ୍ଭର ଜାଣିବାର ଉତ୍କଣ୍ଠା ଦେଖି ମୁଁ ଅତ୍ୟନ୍ତ ପ୍ରୀତ ହେଲି l ତେବେ କହୁଛି, ଶୁଣ l “ମୁଁ ଦୁଷ୍ଟ ଦଳନ ତଥା ଶିଷ୍ଟ ପାଳନ ପାଇଁ ଯୁଗେଯୁଗେ ଧରା ପୃଷ୍ଠରେ ଅବତାର ଗ୍ରହଣ କରେ l ମୋ କାର୍ଯ୍ୟ, ‘ଧର୍ମ ସଂସ୍ଥାପନାର୍ଥାୟ ସଂଭବାମି, ଯୁଗେ ଯୁଗେ l ବର୍ତ୍ତମାନ ତ୍ରେତା ଯୁଗ l ଏହା ପରେ ଆସିବ ଦ୍ୱାପର ଯୁଗ l ଦ୍ୱାପରରେ ମଧ୍ୟ ମୁଁ ଅବତାର ଗ୍ରହଣ କରିବି l ସେତେବେଳେ ତୁମେ ଗୋକୁଳରେ ମୋ ସେବାକାରିଣୀ ବୃଷଭାନୁ ଜେମା ହୋଇ ଜନ୍ମହେବ l ଗୋପ ପୁରରେ ସମସ୍ତ ଗୋପୀ ନିଷ୍କାମ ଭାବେ ସେବା କରି, ମୋର ଲୀଳା ସଙ୍ଗିନୀ ତଥା ଅନୁଗାମିନୀ ହେବେ l ମୁଁ ଗୋପୀନାଥ ଭାବେ ପରିଚିତ ହେବି’l ସୀତା ପଚାରିଲେ, ପ୍ରଭୁ ! ଆପଣ ଦ୍ୱାପରଯୁଗରେ ଏପରି କି ରୂପ ଧାରଣକରିବେ ଯେ ତହିଁରେ ଗୋପୀ ମାନେ ମୋହିତ ହୋଇ ଆପଣଙ୍କ ସେବା କରିବେ l ମୋତେ ସେହି ରୂପ ଟିକିଏ ଦୟା କରି ଦର୍ଶନ କରାନ୍ତୁ l ସେ ଅପୂର୍ଵ ରୂପ ଦେଖିବାକୁ ମୋର ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଉଛି l”
ପ୍ରଭୁ କହିଲେ,”ସୀତେ ! ତୁମ ମନର କଥା ମୁଁ ବୁଝି ପାରୁଛି l କିନ୍ତୁ ଜାଣିରଖ, ମୋର ସେ ରୂପଟି ଏଡ଼େ ମନଲୋଭା ଯେ, ତୁମ୍ଭେ ତାହା ଦେଖି, ଧୈର୍ଯ୍ୟ ଧରି ରହିପାରିବ ନାହିଁ l” ସୀତା ଅତ୍ୟନ୍ତ ବିନୀତ ହୋଇ କହିଲେ,” ପ୍ରଭୁ ! ଆପଣଙ୍କୁ ଏ ଦାସୀର ଅଭିଳାଷ ପୂରଣ କରିବାକୁ ହେବ l ସେହି ମନୋହର ରୂପକୁ ଆପଣ ମୋତେ ଅଙ୍କନକରି ଦେଖାଇ ଦିଅନ୍ତୁ l” ମାଆଙ୍କ ଠାରୁ ଏକଥା ଶୁଣିଲା ପରେ ପ୍ରଭୁ ଧାରଣ କରିଥିବା ତୁଣୀରରୁ ତୀରଟିଏ ବାହାର କରି ତୀର ମୁନରେ ବସିଥିବା ଶିଳାଉପରେ ଗୋପୀନାଥଙ୍କର ମନୋହର ମୂର୍ତ୍ତୀ ଗୋଟିଏ ଆଙ୍କିବାରେ ଲାଗିଲେ l ପ୍ରଭୁ ଆଙ୍କୁଥିବା ଚିତ୍ରରେ, ଗୋପୀନାଥଙ୍କ ଶ୍ରୀମୁଖ, ହସ୍ତ ଓ ମୁରଲୀ ଅଙ୍କିତ ହେବା ମାତ୍ରେ ମାଆ ସୀତା ଆଉ ଧୈର୍ଯ୍ୟଧରି ରହିନପାରି ମୂର୍ଛିତ ହୋଇଗଲେ l ମୂର୍ତ୍ତି ଅଙ୍କନ ସେହିଠାରେ ରହିଲା l ପ୍ରଭୁ ହତଚେତା ମାଆ ଜାନକୀଙ୍କୁ ଧରି ସେ ସ୍ଥାନରୁ ଅନ୍ୟତ୍ର ପ୍ରସ୍ଥାନ କଲେ l ପ୍ରସ୍ତରଖଣ୍ଡିକ ସେଇଠି ପଡ଼ିରହିଲା l
ଏହା ମଧ୍ୟରେ ତ୍ରେତୟା ଓ ଦ୍ୱାପର ଯୁଗ ବିତିଗଲା l ଦ୍ୱାପରଯୁଗ ଲୀଳା ଶେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ପୁନର୍ଗମନ ଉପରାନ୍ତେ କଳିକାଳ ଉପଗତ ହେଲା l ମୁସଲମାନରାଜତ୍ୱର ସମୟ l ଜଣେ ହିନ୍ଦୁ ରାଜା ସେହି ବାଟ ଦେଇ ଯାଉଥିବା ବେଳେ ସେହି ମୂର୍ତ୍ତିକୁ ଦେଖିଲେ l ମୂର୍ତ୍ତିଟିକୁ ଦେଖି ରାଜା କହିଲେ ତୁ ସତେ ଯଦି ଦେବତା ହୋଇଥିବୁ ତେବେ ମୋର କାର୍ଯ୍ୟ ସିଦ୍ଧିହେବ l ଏହା କହି ରାଜା ସେହି ମୂର୍ତ୍ତିକୁ ମୁଣ୍ଡିଆଟିଏ ମାରି ତାଙ୍କ ପଥରେ ଚାଲିଗଲେ l ଯଥା ସମୟରେ ରାଜାଙ୍କର କାର୍ଯ୍ୟ ସିଦ୍ଧି ହେଲା l ଫେରି ଆସି, ସେ ସେହି ପଥର ବିଗ୍ରହଟିକୁ ସାଙ୍ଗରେ ଧରି ନିଜ ରାଜ୍ୟ ଅଭିମୁଖେ ଚାଲିଲେ l ପଥରେ ପଡ଼ିଲା ରେମୁଣା ଗ୍ରାମ l ସେଠାରେ ପ୍ରସ୍ତର ବିଗ୍ରହଟି ଏତେ ଭାରି ହୋଇଗଲା ଯେ, ବାହକ ମାନେ ତାକୁ ବୋହି ନେବା ସମ୍ଭବ ହେଲାନାହିଁ l ଅଗତ୍ୟା ରାଜା ମୂର୍ତ୍ତିକୁ ସେହିଠାରେ ରଖିଦେଇ ଆଗେଇ ଗଲେ l
କିଛିକାଳ ପରେ, ରେମୁଣା ଗ୍ରାମର ଲୋକେ ମୂର୍ତ୍ତିକୁ ପାଇ ତାକୁ ପ୍ରତିଷ୍ଠାକରି ପୂଜା କରିବାକୁ ଲାଗିଲେ l ରେମୁଣାରେ ଆବିର୍ଭୁତ ହେଲେ ପ୍ରଭୁ ଗୋପୀନାଥ l
ଏକଦା ମାଧବେନ୍ଦ୍ରପୁରୀ ନାମକ ଜଣେ ବୈଷ୍ଣବଙ୍କୁ ଗୋପୀନାଥ ସ୍ୱପ୍ନାଦେଶ ଦେଲେ,”ମୁଁ ରେମୁଣାରେ ଆବିର୍ଭୁତ ହୋଇଛି l ଶ୍ରୀକ୍ଷେତ୍ରରୁ କୁଙ୍କୁମ ଆଣି ମୋ ଶ୍ରୀଅଙ୍ଗରେ ତୁ ଲେପନ କରିବୁ”l ପ୍ରଭୁଙ୍କ ଆଦେଶ ଅନୁସାରେ, ମାଧବେନ୍ଦ୍ର, ଶ୍ରୀକ୍ଷେତ୍ରରୁ କୁଙ୍କୁମ ଘେନି ଆସି, ଗୋପୀନାଥଙ୍କ ଶ୍ରୀଅଙ୍ଗରେ ଲେପନ କଲେ l ରାତ୍ରି ହୋଇଗଲା l ମନ୍ଦିରସଂଲଗ୍ନ ଏକ ଅଗଣାରେ ଆଶ୍ରୟ ନେଲେ ମାଧବେନ୍ଦ୍ର l ଅନାହାରରେ ଶୋଇ ଥାନ୍ତି l ଭକ୍ତବତ୍ସଳ ପ୍ରଭୁ ଗୋପୀନାଥ ଭକ୍ତର ଦୁଃଖ ସହି ପାରିଲେ ନାହିଁ l ଗୋଟିଏ କ୍ଷୀର ପୂର୍ଣ୍ଣ ତାଟିଆ ନେଇ ପ୍ରଭୁ ମାଧବେନ୍ଦ୍ରଙ୍କୁ ଦେଇ ଆସିଲେ l ମାଧବେନ୍ଦ୍ର ପ୍ରସାଦ ସେବନ କରି ସଙ୍ଖୁଡି ତାଟିଆଟି ରଖି ଶୋଇପଡ଼ିଲେ l ତହିଁ ପରଦିନ ସେବକମାନେ ଦେଖିଲେ ଠାକୁରଙ୍କ ସୁନାତାଟିଆରୁ ଗୋଟିଏ ଉଣା ହେଉଛି l ଚହଳ ପଡ଼ି ଗଲା, ରାତିରେ ପ୍ରଭୁଙ୍କ ସୁନା ତାଟିଆଟିଏ ଚୋରିଯାଇଛି l ସମସ୍ତେ ଦୋଷଦେଲେ ସେବକଙ୍କୁ l ସେବକମାନେ ଖୋଜି ଖାଜି ଦେଖିଲେ ଜଣେ ଅଜଣା ବୈଷ୍ଣବ ପାଖରେ ତାଟିଆଟି ସଙ୍ଖୁଡି ହୋଇ ପଡ଼ିଛି l ଚୋରଭାବି ବୈଷ୍ଣବ ଉପରେ ମାଡ଼ ଗାଳି, ବର୍ଷଣ ଆରମ୍ଭ ହୋଇଗଲା l ସମସ୍ତେ ସେହି ବୈଷ୍ଣବ ତାଟିଆକୁ ଚୋରି କରିଛି ବୋଲି କହିଲେ l କିଛି ସମୟ ପରେ ମୁଖ୍ୟ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ଶାନ୍ତକଲେ ଓ ମାଧବେନ୍ଦ୍ରଙ୍କୁ ପଚାରିଲେ, “ତୁମ୍ଭେ ଏ ତାଟିଆଟି କିପରି ପାଇଲ l” ବୈଷ୍ଣବ କହିଲେ, ଆଜ୍ଞା, କାଲିରାତିରେ ଜଣେ ବୃଦ୍ଧ ବ୍ରାହ୍ମଣ ଖାଇବା ପାଇଁ ଏ ତାଟିଆରେ ମୋତେ କ୍ଷୀର ଦେଇ ଯାଇଥିଲେ l ଖାଇବାପରେ ସେହି ତାଟିଆକୁ ମୁଁ ଏଇଠି ରଖି ଦେଇଛି ନେଇଯିବେ ବୋଲି l
କଥାଟା କିନ୍ତୁ କାହା ମନକୁ ପାଇଲା ନାହିଁ l ସମସ୍ତେ କହିଲେ ଚୋରି କରି ଇଏ ମିଛ କଥା କହୁଛି l ମୁଖ୍ୟ ପୂଜକ ତାଟିଆଟି ମିଳିଯାଇ ଥିବାରୁ ସଭିଙ୍କୁ ବୁଝାଇ କହିଲେ,ତାଟିଆ ତ ମିଳିଗଲାଣି, ଲୋକଟା ଗୁଡ଼ାଏ ମାଡ଼ଗାଳି ଖାଇଲାଣି,ତାକୁ ଆଉ କିଛି କୁହ ନାହିଁ l ଏହା ଶୁଣି ସମସ୍ତେ ଶାନ୍ତ ହେଲେ l
ରାତିରେ ମୁଖ୍ୟପୂଜକଙ୍କୁ ସ୍ୱପ୍ନାଦେଶ ହେଲା, ଯେଉଁ ବୈଷ୍ଣବକୁ ତୁମ୍ଭେସବୁ ଚୋର କହି ମାଡ଼ଗାଳି ଦେଇ ଏତେ ଅପମାନିତ କଲ, ସିଏ ମୋର ପରମ ଭକ୍ତ l ରାତିରେ ସେ ଉପାସରେ ଶୋଇଥିଲା l ତାହା ସହି ନପାରି ତାକୁ ତାଟିଆରେ ମୁଁ କ୍ଷୀର ଦେଇଆସିଥିଲି l ସେ ଚୋର ନୁହେଁ ମୁଁ ଚୋର l” ତା ପରଦିନ ପୂଜକ ଏକଥା ସମସ୍ତଙ୍କୁ କହିଲେ l ଚାରିଆଡ଼େ ବୈଷ୍ଣବଙ୍କୁ ଖୋଜା ଚାଲିଲା l କିନ୍ତୁ ବୈଷ୍ଣବ ଗୋସାଇଁଙ୍କ ଆଉ ପତ୍ତା ମିଳିଲା ନାହିଁ l ଭକ୍ତ ପାଇଁ କ୍ଷୀର ଚୋରି କରି ପ୍ରଭୁ ଗୋପୀନାଥଙ୍କ ତହୁଁ ନାମ ହେଲା କ୍ଷୀରଚୋରା ଗୋପୀନାଥ l ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଲେଖିଲେ :-
ମାଧବାନନ୍ଦ ପୁରୀ,
ଯାର ଜନ୍ୟ ଗୋପୀନାଥ କ୍ଷୀର କୈଲ ଚୁରି l
କିଶୋରୀ ମୋହନ କାବ୍ୟରତ୍ନ ତାଙ୍କ “କ୍ଷୀରଚୋରା ଗୋପୀନାଥ” ପୁସ୍ତକରେ ଲେଖିଲେ :-
ପୂର୍ବେ ମାଧବ ପୁରୀ ଜନ୍ୟ କ୍ଷୀର କୈଲ ଚୁରି l
ଅତଏବ ନାମ ହୈଲ କ୍ଷୀରଚୋରା ହରି ll
ପୁଣି ବୈଷ୍ଣବ କବି ନରୋତ୍ତମ ଦାସ ଲେଖିଲେ :-
ଜୟ ଜୟ ଗୋପୀନାଥ ପ୍ରଭୁ ପ୍ରାନ ମୋର
ପୁରୀ ଗୋସାଇଁ ଲାଗି ଯା ନାମ କ୍ଷୀରଚୋର ll
ଅନ୍ୟଏକ କିମ୍ବଦନ୍ତୀରୁ ଜଣାଯାଏ ମାଧବେନ୍ଦ୍ର ପୁରୀ ମାଧ୍ୱାଚାର୍ଯ୍ୟ ସମ୍ପ୍ରଦାୟର ପଞ୍ଚଦଶତମ ଶିଷ୍ଯଥିଲେ l ସେ ବୃନ୍ଦାବନଧାମରେ ଗୋପାଳଙ୍କ ପ୍ରମୁଖ ସେବକ ଥିଲେ l ଏକଦା ତାଙ୍କୁ ପ୍ରଭୁ ଶ୍ରୀଗୋପାଳ ସ୍ବପ୍ନାଦେଶ କଲେ ନୀଳାଚଳରୁ ମଳୟ ଚନ୍ଦନ ଆଣି ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲେପନ କରିବା ପାଇଁ l ମାଧବେନ୍ଦ୍ର ପୁରୀ ଶ୍ରୀକ୍ଷେତ୍ର ଆସିଥିଲେ ମଳୟଚନ୍ଦନ ପାଇଁ l ଆସିବା ପଥରେ ରେମୁଣାରେ ସେ ଶ୍ରୀଗୋପୀନାଥଙ୍କୁ ଦର୍ଶନ କରି କୃତକୃତ୍ୟ ହେଲେ l ଶୁଣିଲେ, ଗୋପୀନାଥଙ୍କ ଠାରେ ଲାଗି ହେଉଥିବା ଅମୃତ ତୁଲ୍ୟ ଅମୃତକେଳି କ୍ଷୀରଭୋଗ ବିଷୟରେ l ଅମୃତକେଳି ପାଇବାପାଇଁ ତାଙ୍କର ବଡ଼ ଇଚ୍ଛାହେଲା l କିନ୍ତୁ କାହାକୁ ମାଗିବେ ! କିଏ ଦେବ ! ମାଧବେନ୍ଦ୍ର ନିଜ ଇଛାକୁ ମନରେ ରଖି ରହିଲେ l ସନ୍ଧ୍ୟା ଆଳତି ଦର୍ଶନ କରି ଅନାହାରରେ ବିଶ୍ରାମ କଲେ ମନ୍ଦିର ପଛପାଖ ଅଗଣାରେ l ସଂଧ୍ୟା ଧୂପରେ କ୍ଷୀରାଭୋଗ ବା ଅମୃତକେଳି ଲାଗି ହେଲା ମହାପ୍ରଭୁଙ୍କ ପାଖରେ l ବାରଟି ମାଟି ଓଳିରେ ବଢ଼ା ହୋଇଥାଏ କ୍ଷୀରାଭୋଗ l ପୂଜକ ଗୋସାଇଁ ଭୋଗ ଲଗାଇ ସାରି, ଦେଖନ୍ତି ତ ବାରଟି ଓଳିରୁ ଏଗାରଟି ମାତ୍ର ଅଛି l ପୂଜକ ଭାବିଲେ ବୋଧହୁଏ କିଛି ଭୁଲ ହୋଇଛି l ସେଦିନ ମନ୍ଦିର ପହଡ଼ ପଡ଼ିଲା l
ଠାକୁର ଉଭାନହୋଇଥିବା ସେ ଓଳି ଗୋଟିକୁ ନିଜ ଉତ୍ତରୀୟ ଭିତରେ ଲୁଚାଇରଖିଥାନ୍ତି l ରାତି ନିସ୍ତବ୍ଧ ହୋଇ ଆସିଲା l ଠାକୁର ଲୁଚେଇ ରଖିଥିବା କ୍ଷୀରା ଓଳିଟିକୁ ଧରି, ମାଧବେନ୍ଦ୍ର ପୁରୀଙ୍କ ପାଖରେ ପହଞ୍ଚି କହିଲେ,” ବାବାଜୀ ମହାଶୟ ! ତୁମେ ପରା କ୍ଷୀରା ଭୋଗ ଖାଇବ କହୁଥିଲ, ଏଇ ନିଅ ଆଣିଛି l ୟାକୁ ପୂଜାରୀ ଅଜାଣତରେ ମୁଁ ମୋ ପାଟ ପୀତାମ୍ବରୀରେ ତୁମପାଇଁ ଲୁଚାଇ ରଖି ଦେଇଥିଲି l କାଲି ତ ତୁମେ ପୁରୀ ଚାଲିଯିବ, ନିଅ ଏହାକୁ ଖାଇଦିଅ l”
ଅର୍ଦ୍ଧନିଦ୍ରିତ ଅବସ୍ଥାରେ ପୁରୀ ‘ପ୍ରାପ୍ତ ମାତ୍ରେଣ ଭକ୍ଷ୍ୟ’ ପ୍ରସାଦକୁ ପାଇ ଦେଲେ l ସକାଳେ ଖାଲି ପାତ୍ରଟିକୁ ଦେଖି ମାଧବେନ୍ଦ୍ରଙ୍କ ରାତ୍ରି କଥା ସ୍ମରଣକୁ ଆସିଲା l ତାଙ୍କ ଆଖିରେ ଲୁହ ଆସିଗଲା, ଭାବବିହ୍ଵଳ ହୋଇ ସେ କହିଲେ ମହାପ୍ରଭୁ ଆପଣ ଆଜି ଅକିଞ୍ଚନ ପାଇଁ ଏ କଅଣ କଲେ !! ଶେଷକୁ କ୍ଷୀରା ଚୋରି କଲେ l ଆପଣ ଗୋପୀନାଥ ନୁହଁନ୍ତି !! ଆପଣ କ୍ଷୀରଚୋରା ଗୋପୀନାଥ l ଘଟଣାଟି ପ୍ରଘଟ ହୋଇଗଲା, ଆଉ ଗୋପୀନାଥ ହେଲେ କ୍ଷୀରଚୋରା ଗୋପୀନାଥ l
ମାଧବେନ୍ଦ୍ର ପୁରୀ ଶ୍ରୀକ୍ଷେତ୍ରରୁ ମଳୟ ଚନ୍ଦନ ଘେନି ଆସିଲା ବେଳେ, ବୃନ୍ଦାବନର ଗୋପାଳଙ୍କ ନିର୍ଦ୍ଧେଶ କ୍ରମେ ଆଉ ବୃନ୍ଦାବନ ଗଲେ ନାହିଁ ଏବଂ ଆଣିଥିବା ଶ୍ରୀଖଣ୍ଡଚନ୍ଦନରେ ରେମୁଣା ଗୋପୀନାଥଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି କରାଗଲା l ସେହିଦିନ ଠାରୁ ବର୍ଷରେ ଦୁଇଥର, ଅକ୍ଷୟ ତୃତୀୟା ଓ ଚନ୍ଦନ ପୂର୍ଣ୍ଣିମା ଦିନ ପ୍ରଭୁଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥାଏ l ରମଣୀୟ ବିଗ୍ରହ, ପ୍ରଭୁ କ୍ଷୀରଚୋରା ଗୋପୀନାଥ ବିରାଜ ମାନ କରୁ ଥିବାରୁ ଓ ଏହା ଏକ ରମଣୀୟ ସ୍ଥାନ ହୋଇ ଥିବାରୁ, ଏହି ସ୍ଥାନଟି ପ୍ରସିଦ୍ଧ ହୋଇଛି ରେମୁଣା ନାମରେ l ବାଲେଶ୍ଵର ସହରଠାରୁ ଅନତି ଦୂରରେ ଅବସ୍ଥିତ ଏହି ପୀଠ, କାଳକ୍ରମେ ପ୍ରତିଷ୍ଠିତ ହୋଇଛି, ଏକ ପ୍ରଖ୍ୟାତ ବୈଷ୍ଣବ ତୀର୍ଥ, ଭାବରେ l
ଏକଦା ଏଠାକୁ ପଶ୍ଚିମ ବଙ୍ଗ ଗୋପୀବଲ୍ଲଭ ପୁରର ବୈଷ୍ଣବ ଭକ୍ତ ରସିକାନନ୍ଦ ସ୍ୱାମୀ ଶ୍ରୀଜୀଉଙ୍କ ଦର୍ଶନ ସମୟରେ ପ୍ରେମାବିଷ୍ଟ ହୋଇ ଠାକୁରଙ୍କୁ ଆଲିଙ୍ଗନ କରି ପକାଇବାରୁ ସଙ୍ଗେସଙ୍ଗେ ଠାକୁରଙ୍କ ଅଙ୍ଗରେ ଲୀନ ହୋଇଗଲେ l ତାଙ୍କ ସମାଧି, ମନ୍ଦିର ପ୍ରାଙ୍ଗଣ ମଧ୍ଯରେ ରହିଛି l
ମହାପ୍ରଭୁ ଶ୍ରୀଚୈତନ୍ୟ, ଶ୍ରୀକ୍ଷେତ୍ର ଗମନ କାଳରେ ଶ୍ରୀକ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରିଥିଲେ l ଏହାକୁ ବର୍ଣ୍ଣନାକରି କିଶୋରୀ ମୋହନ କାବ୍ୟରତ୍ନ ଉଲ୍ଲେଖ କରିଛନ୍ତି :-
ରେମୁଣାତେ ଗୋପୀନାଥ ପରମ ମୋହନ l
ଭକ୍ତିକରି କୈଲ ପ୍ରଭୁ ତାର ଦରଶନ ll
ବୃନ୍ଦାବନର ତିନିଠାକୁର ଶ୍ରୀମଦନମୋହନ ଶ୍ରୀ ଶ୍ରୀ ଗୋବିନ୍ଦ, ଶ୍ରୀ ଶ୍ରୀଗୋପୀନାଥ ଏଠାରେ ବିଜେ କରି ଥିବାରୁ ଏହାକୁ ଗୁପ୍ତବୃନ୍ଦାବନ ଧାମ ବୋଲି ଅଭିହିତ କରାଯାଏ l ଦିନେ ଭକ୍ତ ସାଲବେଗ ଗୋପୀନାଥଙ୍କ ମନୋହର ରୁପକୁ ବର୍ଣ୍ଣନା କରି ଗାଇଥିଲେ :-
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ !
କନ୍ଧେ ସୁନା ପଇତା, କପାଳେ ଠିଆ ଚିତା,
ଗଳାରେ ଦୋସରି ମୁକୁତା ll
ଓଁ
ବସୁଦେବସୂତଂ ଦେବଂ କଂସ ଚାଣୁର ମର୍ଦ୍ଧନମ୍ l
ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍ ll
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.