ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

କଟକ : ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ୪.୭୦ କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା ପାଇଁ ମାତ୍ର ଗୋଟିଏ ଖାଦ୍ୟ ପରୀକ୍ଷାଗାର (ଫୁଡ୍‌ ଟେଷ୍ଟିଂ ଲବୋରୋଟାରୀ) ରହିଥିବାରୁ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଖାଦ୍ୟର ଗୁଣବତ୍ତା ନିୟନ୍ତ୍ରଣ ଏବଂ ଉପଯୁକ୍ତ ଯାଞ୍ଚ ବର୍ତ୍ତମାନ ଭିତ୍ତିଭୂମି ଅପର୍ଯ୍ୟାପ୍ତ ବୋଲି ଅଦାଲତ କହିଛନ୍ତି। ରାଜ୍ୟରେ ଖାଦ୍ୟର ମାନ ଯାଞ୍ଚ ଓ ନମୁନା ପରୀକ୍ଷଣରେ ବିଳମ୍ବ ହେଉଥିବାରୁ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଦାଲତ ମତ ଦେଇଛନ୍ତି।
ମୀରା ପାଣିଗ୍ରାହୀ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ପ୍ରତି ଜିଲାରେ ଅତ୍ୟାଧୁନିକ ଖାଦ୍ୟ ପରୀକ୍ଷାଗାର ସ୍ଥାପନ ସହ ଆବଶ୍ୟକ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଫେବୃଆରୀ ୨୪ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସମଗ୍ର ଓଡ଼ିଶାରେ କେବଳ ଗୋଟିଏ ମାତ୍ର ଖାଦ୍ୟ ପରୀକ୍ଷାଗାର ରହିଛି। ଜଣେ ମାତ୍ର ଚିଫ ଫୁଡ୍‌ ଆନାଲିଷ୍ଟ ଓ ସୀମିତ ସଂଖ୍ୟକ ବୈଷୟିକ କର୍ମଚାରୀଙ୍କୁ ନେଇ ପରୀକ୍ଷାଗାର ଚାଲିଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଦୋକାନ, ହୋଟେଲ ପ୍ରଭୃତିରୁ ଖାଦ୍ୟ ନମୁନା ସଂଗ୍ରହ କରନ୍ତି। ନମୁନା ପରୀକ୍ଷା ରିପୋର୍ଟ ବିଳମ୍ବ ହେଉଥିବାରୁ ମାମଲା ଆଇନଗତ ଭାବେ ଦୃଢ଼ ହେଉନାହିଁ। ମିଶ୍ରିତ ଓ ନିମ୍ନମାନର ଖାଦ୍ୟରୁ ଫୁଡ୍‌ ପଏଜନିଂ ଭଳି ରୋଗ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧଙ୍କ ଅଧିକ ପ୍ରଭାବ ପଡ଼େ।

ପ୍ୟାକେଜ୍ଡ ଫୁଡ୍‌, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ୍‌ ଫୁଡ୍‌ର ନିରୀକ୍ଷଣ ଜରୁରୀ। ରାଜ୍ୟରେ ପରୀକ୍ଷାଗାର ସଂଖ୍ୟା କମ ଥିବାରୁ ଖାଦ୍ୟ ପରୀକ୍ଷା ଯଥାସମ୍ଭବ ହୋଇପାରୁନାହିଁ। ଖାଲି ସେତିକି ନୁହେଁ ଯେଉଁ ଗୋଟିଏ ପରୀକ୍ଷାଗାର ଅଛି ସେଠାରେ ସୀମିତ ସଂଖ୍ୟକ କର୍ମଚାରୀ ରହିଛନ୍ତି। ଜନସାଧାରଣଙ୍କ ସ୍ବାର୍ଥ ସହ ଏହା ଜଡ଼ିତ ଥିବାରୁ ଅଦାଲତ ଏହାକୁ ଗୁରୁତର ସହ ନେବା ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି

Comments are closed.