କେଶବ ଧୃତ ବାମନ ରୂପ

ଅର୍ଜୁନୀ ଚରଣ ବେହେରା

ସତ୍ୟ ଯୁଗର କଥା,ଭକ୍ତ ପ୍ରହଲ୍ଲାଦଙ୍କ ପୁତ୍ର ଥିଲେ ବିରୋଚନ l ତାଙ୍କ ପୁତ୍ର ଥିଲେ ଅସୁରରାଜ ବଳି l
ମହାବଳି ବହୁ ଯାଗ ଯଜ୍ଞାଦି କରି ଅସୀମ ଶକ୍ତିର ଅଧିକାରୀ ହୋଇଗଲେ l ଶୁକ୍ରାଚାର୍ଯ୍ୟ ତାଙ୍କ ଗୁରୁ ଥିଲେ l ଗୁରୁଙ୍କ ପରାମର୍ଶ କ୍ରମେ ଶହେ ଅଶ୍ଵମେଧ ଯଜ୍ଞ କରି ବଳି ସ୍ଵର୍ଗ ରାଜ୍ୟକୁ ଅଧିକାର କଲେ ଓ ଦେବତା ମାନେ ସ୍ୱର୍ଗ ପୁରୀରୁ ବିତାଡ଼ିତ ହେଲେ l ଦେଵମାତା ଅଦିତି ଏଥିରେ ବ୍ୟଥିତ ହୋଇ ଋଷି କଶ୍ୟପଙ୍କୁ କହିଲାରୁ, କଶ୍ୟପ ତାଙ୍କୁ ପୟୋବ୍ରତ କରିବା ପାଇଁ ଉପଦେଶ ଦେଲେ l ଏ ବ୍ରତ କଲେ ଭଗବାନ ତାଙ୍କର ପୁତ୍ର ରୂପେ ଜନ୍ମ ହେବେ ଏବଂ ଦେବ ଗଣଙ୍କ କଷଣ ଦୂର କରିବେ l ଅଦିତି ଏହି ବ୍ରତ କରି, ଦିନେ ସ୍ୱପ୍ନରେ ଚତୁର୍ଭୁଜ ନାରାୟଣଙ୍କ ଦର୍ଶନ ଲାଭ କରି ତାଙ୍କର ବନ୍ଦନା କଲା ଫଳରେ ତାଙ୍କ ଗର୍ଭରେ ନାରାୟଣ ପ୍ରବେଶ କଲେ l ଭାଦ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ, ଭଗବାନ ବାମନଙ୍କ ଜନ୍ମ ହେଲା ଚତୁର୍ଭୁଜ ନାରାୟଣ ରୂପେ l ଦଶାବତାର ତତ୍ତ୍ଵରେ ବାମନଙ୍କୁ ଭଗବାନଙ୍କ ପଞ୍ଚମ ଅବତାର କହି ଭକ୍ତକବି ଜୟଦେବ ଲେଖିଲେ:-
ଛଳୟସି ବିକ୍ରମଣେ ବଳିମଦଦ୍ଭୁତ ବାମନଂ
ପଦନଖନୀର ଜନିତ ଜନ ପାବନଂ
କେଶବ ଧୃତ ବାମନ ରୂପ
ଜୟ ଜଗଦୀଶ ହରେ !
ଭଗବାନ ଚତୁର୍ଭୁଜନାରାୟଣ ରୂପେ ଜନ୍ମହେଲେ l
ଆଶ୍ଚର୍ଯ୍ୟ ହୋଇ, ଅଦିତି ଓ କଶ୍ୟପ ତାଙ୍କୁ ଦର୍ଶନ କରୁଛନ୍ତି ହଠାତ ତାଙ୍କର ଚତୁର୍ଭୁଜରୂପ ଅନ୍ତର୍ଧ୍ୟାନ ହୋଇ ସୁନ୍ଦର ସାତବର୍ଷର ବଟୁବାମନ ବ୍ରହ୍ମଚାରୀ ରୂପେ ପ୍ରଭୁ ଆବିର୍ଭୁତ ହେଲେ l ଭଗଵାନ ବାମନ ଯଜ୍ଞ ଉପବୀତ ଧାରଣପୂର୍ବକ ଗୁରୁଗୃହକୁ ଗଲେ l ସେ ଗୁରୁଙ୍କ ଉପଦେଶରେ ନର୍ମଦା ନଦୀ ତଟରେ ଯଜ୍ଞକରୁଥିବା ବଳିଦ୍ୱାରରେ ଭିକ୍ଷାପାଇଁ ବ୍ରହ୍ମଚାରୀ ରୂପେ ଉପସ୍ଥିତହେଲେ l ଅସୁରରାଜ ବଳି ଅଦ୍ଭୁତ ବ୍ରହ୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ପାଦ୍ୟ, ଅର୍ଘ୍ୟ ଏବଂ ଆସନଦେଇ ସତ୍କାର କଲେ l ବାମନ ବ୍ରହ୍ମଚାରୀଙ୍କ ସେବା କରି ସେ କୃତ କୃତ୍ୟ ହେଲେ l ବ୍ରହ୍ମଚାରୀ କିଛି ଦାନ ମାଗିବା ଉଦ୍ଦେଶ୍ୟ ନେଇ ଆସିଛନ୍ତି ଭାବି, ସେ ତାଙ୍କୁ ଜିଜ୍ଞାସା କଲେ, ବ୍ରାହ୍ମଣଦେବ ! ଆପଣ କି ଦାନ ମାଗୁଛନ୍ତି ମାଗନ୍ତୁ ମୁଁ ଦେବାକୁ ପ୍ରସ୍ତୁତ ଅଛି l ବାମନ କହିଲେ, ଏକ କ୍ଷୁଦ୍ର ବାଳକ ମୁଁ ମୋର ତ ସେମିତି କିଛି ବିଶେଷ ଆବଶ୍ୟକତା ନାହିଁ l କେବଳ ମୋହର ଏହି କୁନି କୁନି ପାଦରେ ତିନି ପାଦ ଭୂମି ଦରକାର, ଆପଣ ଏହିମାତ୍ର ଦାନ ଦେବାପାଇଁ ଶଙ୍ଖରେ ପାଣି ଟେକି ସତ୍ୟବଦ୍ଧ ହୁଅନ୍ତୁ l
ଗୁରୁ ଶୁକ୍ରାଚାର୍ଯ୍ୟ ବାମନଙ୍କ ଉଦ୍ଦେଶ୍ୟ ଜାଣି ପାରି ବଳିଙ୍କୁ ସତର୍କ କରାଇଦେଇ କହିଲେ,ବଳି ତୁମେ ଏଥିରୁ ବିରତ ହୁଅ l ଇଏ ଭଗବାନ ବିଷ୍ଣୁ, ତୁମର ସର୍ବସ୍ବ ହରଣ କରିବା ନିମନ୍ତେ, ବାମନ ରୂପରେ ଆସିଛନ୍ତି l ବଳି ଧର୍ମନିଷ୍ଠ ଓ ପରମଧାର୍ମିକ l ସେ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ” ମୁଁ ଏବେ ସତ୍ୟ ବଦ୍ଧ l ମୋର ଅହୋଭାଗ୍ୟ, ମୁଁ ଭଗବାନଙ୍କ ପୂଜା କଲି ଓ ତାଙ୍କୁ ହିଁ ଦାନ ଦେବାକୁ ଯାଉଛି l ଏଣୁ ଏଭଳି ପୁଣ୍ୟକର୍ମରୁ ମୋତେ ବିରତ ରହିବାପାଇଁ ଆପଣ କୁହନ୍ତୁ ନାହିଁ ଗୁରୁଦେବ l ଏହାକହି ବଳି ଶଙ୍ଖରେ ପାଣିଟେକି ସତ୍ୟ କରିବାକୁ ଉଦ୍ୟତ ହେଲେ l ଗୁରୁ ଶୁକ୍ରାଚାର୍ଯ୍ୟ ଏଥିରେ ରାକ୍ଷସ କୁଳର ଘୋର ଅନର୍ଥ ହେବ, ମନେକରି ଶଙ୍ଖରୁ ଜଳ ପ୍ରବାହିତ ନହେବା ପାଇଁ ଏକ ମାଛି ରୂପରେ ଶଙ୍ଖ ଭିତରେ ପଶି ଜଳପ୍ରବାହ ଦ୍ଵାର ଅବରୋଧକଲେ l ବାମନ ଏ କଥା ଜାଣି ପାରି, ତାଙ୍କ କୁଶ ବଟୁରେ ଶଙ୍ଖର ନିର୍ଗମ ଦ୍ୱାରକୁ ବିଦ୍ଧ କରିଦେଲେ l ଶୁକ୍ରାଚାର୍ଯ୍ୟଙ୍କ ଗୋଟିଏ ଚକ୍ଷୁ ଫୁଟି ଗଲା ଏବଂ ସେ ଚିତ୍କାର କରି ପ୍ରକଟହେଲେ l ସେହିଦିନଠାରୁ ସେ ହୋଇଗଲେ ଏକ ଆଖିଆ ଶୁକର l
ଏହା ପରେ ବଳି ଦାନ ଦେବାକୁ ପ୍ରସ୍ତୁତ ହେବାରୁ ବାମନ ତାଙ୍କର ଗୋଟିଏ ପାଦ ବଢ଼ାଇ ସମଗ୍ର ଭୂ ମଣ୍ଡଳକୁ ନେଇ ଗଲେ l ଦ୍ୱିତୀୟ ପାଦରେ ସମଗ୍ର ଅଧୋ ମଣ୍ଡଳକୁ ମାପି ନେଲେ l ସେ ସ୍ୱର୍ଗକୁ ପାଦ ବଢ଼ାଇ ଥିବା ବେଳେ ଚତୁର୍ମୁଖ ବ୍ରହ୍ମା ଇଚ୍ଛା କଲେ ତାଙ୍କ କମଣ୍ଡଳୁ ଜଳରେ ଭଗବାନଙ୍କ ପାଦ ଧୋଇ ଦେବାକୁ l ବ୍ରହ୍ମାଙ୍କ କମଣ୍ଡଳୁରେ ଗଙ୍ଗା ଅବସ୍ଥାନ କରୁଥିଲେ l ସେ ବିଷ୍ଣୁଙ୍କ ପାଦରେ ଜଳ ଢାଳିବାରୁ ଗଙ୍ଗା ଯାଇ ବିଷ୍ଣୁଙ୍କ ନଖ କୋଣରେ ଗୁପ୍ତ ହୋଇ ଗଲେ l ପରବର୍ତ୍ତୀ କାଳରେ, ଭଗୀରଥ ତପସ୍ୟା କରି ପତିତପାବନୀ ମାଆ ଗଙ୍ଗାଙ୍କୁ ଧରା ପୃଷ୍ଠକୁ ଅବତରଣ କରାଇ ଥିଲେ l
ଦୁଇପାଦ ଭୂମିଦାନ ପରେ ବଳିଙ୍କ ପାଖରେ ଆଉ କୌଣସି ଯାଗା ନଥିଲା ତୃତୀୟପାଦ ଭୂମିପାଇଁ l ଭଗବାନ, ବଳିଙ୍କୁ ତୃତୀୟ ପାଦ ଭୂମି ମାଗିଲେ l କୁଳର ଅନର୍ଥ ହେଉଛି ଦେଖି ଅସୁରମାନେ ଆସି ଯୁଦ୍ଧ କରିବେ ବୋଲି ଉପସ୍ଥିତ ହେଲେ l ଏଥିରେ ବ୍ୟଥିତ ହୋଇ ଭଗବାନଙ୍କର ଇଙ୍ଗିତରେ ଗରୁଡ଼ ଆସି ମହାବଳିଙ୍କୁ ବରୁଣପାଶରେ ବନ୍ଧନ କଲେ l
ଏହା ଶ୍ରୀମଦ ଭାଗବତରେ ବଳିବନ୍ଧନ ଆଖ୍ୟାନ ନାମରେ ବିଦିତ l ଏହି ସମୟରେ ରାଜା ବଳିଙ୍କ ପିତାମହ ପରମ ବିଷ୍ଣୁଭକ୍ତ ପ୍ରହ୍ଲାଦ ଓ ତାଙ୍କ ପତ୍ନୀ ବିନ୍ଧ୍ୟାବଳୀ ଆସି ଭଗବାନଙ୍କୁ ପ୍ରାର୍ଥନା କଲେ ଓ ବଳିଙ୍କୁ ବନ୍ଧନମୁକ୍ତ କରି ତୃତୀୟପାଦ ଦାନଦେବା ପାଇଁ କହନ୍ତେ, ବାମନ ଭଗବାନ ନାଭି କମଳରୁ ତୃତୀୟ ପାଦ ପ୍ରକଟ କଲେ l ବଳିଙ୍କ ପାଖରେ ତ ଆଉ ଭୂମି ନଥିଲା l ଏଣୁ ମାତାମହୀ ବିନ୍ଧ୍ୟାବଳୀ ମହାରାଜ ବଳିଙ୍କୁ କହିଲେ, ଭଗବାନଙ୍କର ପରମ ପାବନ ଏହି ପାଦକୁ, ତୁମର ମସ୍ତକ ପାତି ଧାରଣ କର, ତୁମର ଜୀବନ ଧନ୍ୟ ହୋଇଯିବ l ତାହାହିଁ କଲେ ଦୈତ୍ୟରାଜ ବଳି l
ସର୍ବସ୍ବ ସମର୍ପଣକରିସାରି ବଳି ଅତି ଦୀନ ହୋଇ ଯାଇ ଥିଲେ l ବାମନ ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନ ବଦ୍ଧତାରେ ଅତି ପ୍ରୀତ ହୋଇ କହିଲେ, ବଳି ! ମୁଁ ତୁମ ନିକଟରେ ଋଣୀ ହୋଇ ଗଲି l ଏଣୁ ମୁଁ ତୁମକୁ ଗୋଟିଏ ଦିବ୍ୟପୁର ଦେବି ଯେଉଁ ଠାରେ ତୁମେ ଆନନ୍ଦରେ ନିବାସ କରିବ l ଏହା କହି, ଭଗବାନ ମହାରାଜ ବଳିଙ୍କ ଶିରରେ ପାଦ ରଖି ପାତାଳ ପୁରକୁ ଚାପିଦେଲେ l ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, ପାତାଳ ଆଦି ସପ୍ତପାତାଳ ମଧ୍ୟରୁ ଉତ୍ତମ ସୁତଳ ବଳିଙ୍କର ବାସସ୍ଥାନ ହେଲା l
ପୁଣି ରାଜା ବଳିଙ୍କ ଅନୁରୋଧ କ୍ରମେ ମଙ୍ଗଳମୟ ଭଗବାନ ପାତାଳ ପୁରରେ ବଳିର ଦ୍ୱାର ପାଳ ଓ ସୁଦର୍ଶନ ତାଙ୍କର ସୁରକ୍ଷା ପାଇଁ, ନିଯୁକ୍ତ ହେଲେ l ବଳି ଶ୍ରୀବିଷ୍ଣୁଙ୍କ ଆଶୀର୍ବାଦ ଲାଭ ପୂର୍ବକ ପାତାଳ ପୁରୀରେ ପ୍ରବେଶ କଲେ ଏବଂ ଏହାକୁ ସ୍ଵର୍ଗରେ ପରିଣତ କଲେ l
ଏହି ବଳିବାମନ ଉପାଖ୍ୟାନରୁ ଆମକୁ ଶିକ୍ଷା ମିଳି ଥାଏ ଈଶ୍ୱରଙ୍କ ସାନ୍ନିଧ୍ୟ ପାଇବା ନିମନ୍ତେ ସବୁକିଛି ତାଙ୍କୁହିଁ ସମର୍ପଣ କରିବାକୁ ହେବ l ଭାଗବତରେ ଏଣୁ କୁହାଗଲା,’ମୁଁ ଯାକୁ ଅନୁଗ୍ରହବହି l ତା ସର୍ବ ସମ୍ପଦ ହରଇ l ଜନ୍ମ, କରମ, ବୟ ରୂପ l ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ l ଏ ଭାବେ ଯାର ଗର୍ବ ନାହିଁ l
ମୋହର ଅନୁଗ୍ରହ ତହିଁ’ l
ଭଗବାନଙ୍କ ଆଶୀର୍ବାଦରୁ ବଳି ସଂସାରର ସାତ ଜଣ ଚିରଞ୍ଜୀଵୀଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି l
ଅଶ୍ୱତ୍ଥାମା ବଳିରର୍ବ୍ୟାସୋ
ହନୁମାନଶ୍ଚ ବିଭୀଷଣଃ l
କୄପଃ ପରଶୁରାମଶ୍ଚ
ସପ୍ତେଐତେ ଚିରଞ୍ଜିଵୀନଃ ll
ବଳି ଅତି ଦାନଧର୍ମ ଦ୍ୱାରା ତେଜସ୍ୱୀ ହୋଇ ଗର୍ବୀ ହୋଇଯାଇ ଥିଲେ ଯାହା ଫଳରେ ସ୍ୱର୍ଗରୁ ଇନ୍ଦ୍ରଙ୍କୁ ବିତାଡ଼ିତକରି ସେ ନିଜେ ଇନ୍ଦ୍ରପଦ ହସ୍ତଗତ କରି ଥିଲେ l ବଳିଙ୍କର ଏହି ଗର୍ବକୁ ଖର୍ବ କରିବା ପାଇଁ ଭଗବାନ ବାମନ ରୂପେ ଅବତୀର୍ଣ୍ଣ ହୋଇଥିଲେ l ଏଣୁ କୁହା ଯାଇଛି :-
‘ଅତିଦର୍ପେ ହତଲଙ୍କା ଅତିମାନେଶ୍ଚ କୌରବାଃ l
ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗର୍ହିତମ୍’ ll
ବଳି ବାମନ ଚରିତ ସହ ଆଉ ତିନୋଟି ରୋଚକ ଉପାଖ୍ୟାନ ରହିଛି l ପ୍ରଥମଟି ହେଲା –
ଯେତେ ବେଳେ ଭଗବାନ ବିଷ୍ଣୁ ପାତାଳରେ ବଳି ଦ୍ୱାରରେ ଦ୍ୱାରପାଳହୋଇ ରହିଗଲେ, ମା’ ଲଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନକରି ଜାଣିବାକୁ ପାଇଲେ ବିଷ୍ଣୁ ବଳି ପୁରରେ ଦ୍ୱାର ପାଳ ହୋଇ ରହିଛନ୍ତି l ତେଣୁ ଲକ୍ଷ୍ମୀ ଯାଇ, ବଳି ପୁରରେ ପହଁଚି ବଳିଙ୍କ ହାତରେ ରାକ୍ଷୀ ପିନ୍ଧାଇ ତାଙ୍କ ସହ ଭାଈ ସମ୍ପର୍କ ସ୍ଥାପନ କଲେ ଓ ତାଙ୍କଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ l ଏହି ଠାରୁ ହିଁ ଆମ ର ରକ୍ଷାବନ୍ଧନ ପର୍ବର ଉତ୍ପତ୍ତି l
ଦ୍ୱିତୀୟ ଉପାଖ୍ୟାନ :-
ବଳି ଯେତେ ବେଳେ ଭଗବାନଙ୍କ ପାଦ ପାତରେ ପାତାଳଗାମୀ ହେଲେ, ସେ ଭଗବାନଙ୍କୁ ପ୍ରାର୍ଥନା କଲେ ତା’ ପୁରରେ ନିବାସ କରିବାପାଇଁ l ବଳିଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ, ଭଗବାନ ତାଙ୍କୁ ବର ଦେଲେ ତା’ ପୁରରେ ବର୍ଷରେ ଚାରି ମାସ ନିବାସ କରିବେ l ଏଣୁ ଭଗବାନ ଆଷାଢ଼ଶୁକ୍ଳ ଏକାଦଶୀ (ଦେବ ଶୟନ ଏକାଦଶୀ) ଠାରୁ କାର୍ତ୍ତିକର ଶୁକ୍ଳ ଏକାଦଶୀ (ଦେବୋତ୍ଥାନ ଏକାଦଶୀ) ଯାଏ ଚାରି ମାସ ପାତାଳ ପୁରୀରେ ନିବାସ କରନ୍ତି, ଯାହାକୁ ଚାତୁର୍ମାସ୍ୟ କୁହାଯାଏ l
ତୃତୀୟ ଉପାଖ୍ୟାନ ହେଲା :-
ଜନ୍ମ ସମୟରେ, ବାମନଙ୍କ ଖର୍ବ ମନୋହର ବଟୁ ଵାମନ ରୁପକୁ ଦେଖି, ବଳିଙ୍କ ଭଉଣୀ ରତ୍ନମାଳା ଏହି ଭଳି ପୁଅଟିଏକୁ କୋଳରେ ଧରିବାକୁ ଆଶା ପୋଷଣ କରି ଥିଲେ l ତାହାର ଏହି ଆକାଂକ୍ଷାକୁ ଭଗବାନ ପୂରଣ କରି ଥିଲେ ଦ୍ୱାପର ଯୁଗର କୃଷ୍ଣ ଅବତାରରେ l ରତ୍ନମାଳା ରାକ୍ଷସୀ ପୁତନା ରୁପେ ଜନ୍ମ ହୋଇଥିଲେ ଓ ଶିଶୁ କୃଷ୍ଣଙ୍କୁ ବିଷଭରା ସ୍ତନ ପାନ କରାଇ, କୋଳରେ ଧରି ମୃତ୍ୟୁ ବରଣ କରି ମୋକ୍ଷ ଲାଭ କରିଥିଲେ l
ବାମନ ଜନ୍ମ ଦିନ ଆମ ଓଡିଶାରେ ସୁନିଆଁ ପର୍ବ ପାଳନ କରା ଯାଇଥାଏ l ଗଜପତି ମହାରାଜାଙ୍କ ଏହିଦିନଠାରୁ ନୂଆ ଅଙ୍କ ଆରମ୍ଭହୁଏ l ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନବେଶ ହୁଅନ୍ତି ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ବେଶକୁ ଦର୍ଶନ କରି କୃତାର୍ଥ ହୁଅନ୍ତି l
ଭଗବାନଙ୍କ ବାମନ ଅବତାରର ବିସ୍ତୃତ ବର୍ଣ୍ଣନା ଶ୍ରୀମଦ୍ଭାଗବତ, ବିଷ୍ଣୁପୁରାଣ, ହରିବଂଶ,ଶତପଥ ବ୍ରାହ୍ମଣ,ତୈତ୍ତିରୀୟ ସଂହିତା,ତୈତ୍ତିରୀୟ ବ୍ରାହ୍ମଣ ଇତ୍ୟାଦି ଗ୍ରନ୍ଥରେ ରହିଛି l ବାମନ ଚରିତ ଶ୍ରବଣ ଅଶେଷ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ l ଶ୍ରୀମଦ ଭାଗବତ କୁହନ୍ତି :-
ଅଦ୍ଭୁତ ଚରିତ ବାମନ l
ଯେ କରେ ଶ୍ରବଣ କୀର୍ତ୍ତନ ll
ସକଳ ବିଘ୍ନ ନାଶ ଯାଇ l
ଅନ୍ତେ ପରମଗତି ପାଇ ll
ଓଁ ନମଃ ଭଗବତେ ଵାସୁଦେବାୟଃ
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.