କେନ୍ଦ୍ରୀୟ ରୁଷରେ ଥିବା ବିଦ୍ୟାଳୟରେ ଅଜଣା ବନ୍ଧୁକଧାରୀର ଆକ୍ରମଣ: ୬ମୃତ, ୨୦ଆହତ

ନୂଆଦିଲ୍ଲୀ: ଋଷରେ ଆକ୍ରମଣ। ସୋମବାର ସକାଳେ ଜଣେ ବନ୍ଧୁକଧାରୀ କେନ୍ଦ୍ରୀୟ ରୁଷରେ ଥିବା ଏକ ବିଦ୍ୟାଳୟରେ ପଶି ଅତର୍କିତ ଗୁଳି ଚଳାଇବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୨୦ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡ଼ିଛି।

ଉଦମୁରଟିଆ ଅଞ୍ଚଳର ରାଜ୍ୟପାଳ ଆଲେକ୍ସଜାଣ୍ଡାର୍ ବ୍ରେଚାଲୋଭ ଏକ ଭିଡିଓ ବିବୃତିରେ କହିଛନ୍ତି ଯେ, ଅଜ୍ଞାତ ସୁଟର କେନ୍ଦ୍ରୀୟ ରୁଷରେ ଥିବା ଏକ ବିଦ୍ୟାଳୟରେ ପ୍ରବେଶ କରି ସେଠାରେ ଥିବା ଜଣେ ଅଙ୍ଗରକ୍ଷୀ ଏବଂ କିଛି ପିଲାଙ୍କ ଉପରକୁ ଗୁଳି ଚଳାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲରେ ପ୍ରଥମରୁ ଏକାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ। ତେବେ ଗୁଳି ଚଳାଇ ୬ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଥିଲା ହତ୍ୟାକାରୀ। ଏବେ ହତ୍ୟାକାରୀର ମୃତ୍ୟୁ ଘଟିଥିବା ବେଳେ ତା’ର ପରିଚୟ ଏବଂ ସେ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିପାରିନାହିଁ।

ଅନ୍ୟପକ୍ଷରେ ଏହି ଘଟଣା ପରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରାଉ କରାଯାଇଛି।

Comments are closed.