କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଆଶାୟୀଙ୍କ ଧାରଣା ଜାରି,

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି। କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି? କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରି ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା। କର୍ତ୍ତୃପକ୍ଷ କହିଛନ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ।

ବର୍ଷ ବର୍ଷ ଧରି ପାଠ ପଢ଼ିଲେ। ପ୍ରସ୍ତୁତି କଲେ। କିନ୍ତୁ ପରୀକ୍ଷା ଦେବା ପରେ ଫଳ ଆସିଲା ଓଲଟା। କମ୍ ମାର୍କ ରଖିଥିବା ପିଲାଙ୍କ ନାଁ ଯୋଗ୍ୟ ତାଲିକାରେ ରହିଲା। ହେଲେ, ଅଧିକ ନମ୍ବର ରଖିଥିବା ପିଲାଙ୍କ ନାଁ ତାଲିକାରେ ନାହିଁ। କନିଷ୍ଠ ଶିକ୍ଷକ ପଦରେ ଚାକିରି କରିବା ପାଇଁ ଆଶାୟୀ ଥିବା ପରୀକ୍ଷାର୍ଥ ଏମିତି ଅଭିଯୋଗ ଆଣିବା ସହ ଦୁଇ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଶତାଧିକ ଆଶାୟୀ ଧାରଣା ଦେଇଛନ୍ତି।

ଓସେପା କର୍ତ୍ତୃପକ୍ଷ। ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ। କିନ୍ତୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ୍ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି। ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବ ଏବଂ ସମସ୍ତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ। ୨୦ହଜାର କନିଷ୍ଠ ଶିକ୍ଷକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ମାତ୍ର ୧୮ ହଜାର ୭୮୮ଜଣ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି। ଏଥିସହ କେତେକ ନକଲି ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡ଼ିବା ପରେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ସନ୍ଦେହ କରାଯାଉଛି।

Comments are closed.