ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ମୃତ୍ୟୁ

ଜୟପୁର: ଗତ ୨୦୧୮ମସିହାରେ ଡିସେମ୍ବରରେ ଜୟପୁର ସଦରଥାନା ସିଆଡିମାଳରେ ହୋଇଥିବା ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ଉପଖଣ୍ଡ କାରାଗାରରେ ରହି ଆସୁଥିବା ବିଚାରାଧୀନ ଅନ୍ତେବାସୀ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସଦର ଥାନା ଅଞ୍ଚଳ ଗାଗାନାପୁର ଫାଣ୍ଡିର ସିଆଡିମାଳ ଗାଁର କମଲୋଚନ ଦଣ୍ଡସେନା(୩୦)।

ସେ ଆଜି ଭୋର ୫ଟା ବେଳେ ଅଚାନକ ଭାବେ ଅସୁସ୍ଥ ଅନୁଭବ କରିବା ସହ ଛାତି ଜଳୁଥିବା ଜେଲର ୱାର୍ଡରଙ୍କୁ କହିଥିଲେ। ସେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଥିବା ଡାକ୍ତର କମଲୋଚନଙ୍କର ବାଟରେ ହିଁ ମୃତ୍ୟୁ ହୋଇଥିବା କହିଥିଲେ। ତାଙ୍କୁ ଶବଗାରରେ ରଖାଯିବା ସହ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। ଜୟପୁର ଟାଉନଥାନା ପୁଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୮ମସିହା ଡିସେମ୍ବରରେ ଜୟପୁର ସଦରଥାନା ଅର୍ନ୍ତଗତ ସିଆଡିମାଳ ଗାଁରେ ଜୈନେକା ବିବାହିତା ମହିଳା ଓ ତାଙ୍କ ସ୍ବାମୀଙ୍କୁ ମୃତ କମଲୋଚନ ଓ ଅନ୍ୟ ଜଣେ ଅଭିଯୁକ୍ତ ରମେଶ ଦଣ୍ଡସେନା ପ୍ରଚୁର ପରିମାଣର ମଦ ପିଆଇଥିଲେ। ପତି ନିଶାସକ୍ତ ଅବସ୍ଥ‌ାରେ ପଡ଼ିଥିବା ବେଳେ ନିଶାସକ୍ତ ମହିଳାଙ୍କୁ ଉଭୟ ଅଭିଯୁକ୍ତ ଗଣଦୁଷ୍କର୍ମ କରି ପ୍ରବଳ ମାଡ଼ ମାରିଥିଲେ। ଏଥିରେ ମହିଳା ଜଣକ ଗୁରୁତର ହୋଇ ପଡ଼ିବା ସହ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

୨ ଅଭିଯୁକ୍ତ କମଲୋଚନ ଓ ରମେଶଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ସଦରଥାନା ପୁଲିସ କେସ ନଂ ୨୧୧/୨୦୧୮ରେ ଦଫା ୩୭୬, ୩୦୨ରେ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ଏହି ମାମଲାରେ ରେଡ୍ ପ୍ଲାଗ୍ ମାମଲା ମଧ୍ୟରେ ରହି ଆସିଛି। ମୃତ ଅଭିଯୁକ୍ତ କମଲୋଚନ ଜୟପୁର ଉପଖଣ୍ଡକାରାଗାରରେ ଗତ ୪ବର୍ଷ ୨ ମାସ ହେବ ରହି ଆସୁଥିଲେ। କାରାଗାରରେ ତାଙ୍କ ଉତ୍ତମ ବ୍ୟବହାର, ଶାଳୀନତା, ମେଳାପୀ, ମିଷ୍ଟଭାଷୀ, ସାଧାସିଧା ହୋଇଥିବାରୁ ତାଙ୍କୁ ଅ‌ନ୍ତେବାସୀମାନଙ୍କର ଜଗିବା କାମ ବି କରି ଆସୁଥିଲେ ବୋଲି କହିଛନ୍ତି ଜୟପୁର ଉପଖଣ୍ଡକାରାଗାର ଅଧୀକ୍ଷକ ଉମାଶଙ୍କର ମାଝୀ।

‌ସେ ଜେଲକୁ ଆସିବା ପରଠାରୁ କେବେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ନଥିଲା କି କେବେ ବି ସେ କୌଣସି ଔଷଧ ଖାଇନାହାନ୍ତି ବୋଲି କହିଛନ୍ତି ଜେଲ ଅଧୀକ୍ଷକ ଶ୍ରୀ ମାଝୀ। ଗତକାଲି ରାତିରେ ସେ ଭାତ, ଡାଲି ଓ ଘାଣ୍ଟ ତରକାରୀ ଆଦି ଖାଇଥିଲେ। ଆଜି ଭୋର ୫ଟା ବେଳେ ଅଚାନକ ଭାବେ ଛାତି ଜଳୁଛି ବୋଲି କହିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ‌ତେବେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା କହିଛନ୍ତି ଜେଲ ଅଧୀକ୍ଷକ। ତେବେ ତାଙ୍କ ମୃତ୍ୟୁର କାରଣକୁ ନେଇ ପରିବାରବର୍ଗ ସନ୍ଦେହ ପ୍ରକାଶ କରିଛନ୍ତି। ଜୟପୁର ଟାଉନଥାନା ପକ୍ଷରୁ ଏକ ଅପମୃତ ମାମଲା ରୁଜୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକାଧିକ ଡାକ୍ତରଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଟାଉନଥାନା ଆଇଆଇସି ସମ୍ବିତ କୁମାର ବେହେରା।

Comments are closed.