ଜୟ କମଳ ଆରୁଢ଼େ

ଅର୍ଜୁନୀ ଚରଣ ବେହେରା

ଆସି ଅଛି ଆସି ଅଛି ପୁଣ୍ୟ ମାର୍ଗଶୀର l
ଏ ପୁଣ୍ୟମାସ ଅଟଇ ମାଆ ଲକ୍ଷ୍ମୀଙ୍କର ll
ମାର୍ଗଶୀର ମଧ୍ୟେ ଆଜ ପୁଣ୍ୟ ଗୁରୁବାର l
ମାଣ ବସା ଓଷା ଆଜି ଜଗନ୍ମାତାଙ୍କର ll
ଉତ୍କଳର ଘରେ ଘରେ ପଡ଼ିଅଛି ଝୋଟି l
କୂଳବଧୁ ମାନେ ସର୍ବେ ପ୍ରଭାତରୁ ଉଠି ll
ଲିପି, ପୋଛି, କରିଛନ୍ତି ଗୃହ ପରିଷ୍କାର l
ଖଟୁଲି ସଜାଇଲେଣି ଲକ୍ଷ୍ମୀ ମାଆଙ୍କର ll
ଶୁକ୍ଳଧାନ୍ୟ ନୂଆ ମାଣ ମଧ୍ୟେ ଭରି ରଖି l
ସୁନ୍ଦରେ ସଜାଇ ପଦ୍ମାଳୟା ପଦ୍ମ ଆଖି ll
ଶ୍ଵେତପଦ୍ମ, ସର୍ଷପ କୁସୁମ, ଧାନ ବେଣ୍ଟ l
ଛିଟକନାଲାଜେ ମାଆ ଦିଶନ୍ତି କେମନ୍ତ ll
ପୂଜା ନଇବେଦ୍ୟ ଥାଳି ଥୁଆଅଛି ବଢ଼ା l
ସିନ୍ଧୁଜେମା ଆସି ପ୍ରତି ଭକ୍ତପୁରେ ଛିଡ଼ା ll
ଜୟ ଜୟ ଜୟ ମାଆ ସାଗର ଦୁଲାଳୀ l
ଘଣ୍ଟ ଘଣ୍ଟା ନାଦେ ଶୁଭେ ଶୁଭ ହୁଳହୁଳି ll
ଉତ୍କଳର ଘରେ ଘରେ ଶୁଭେ ଗୁଞ୍ଜରଣ l
ଶ୍ରୀବଳରାମ ଦାସଙ୍କ ଶ୍ରୀଲକ୍ଷ୍ମୀ ପୁରାଣ ll
ଛାର ଚଣ୍ଡାଳୁଣି ଅଇଶ୍ୱର୍ଯ୍ୟ ଭୋଗକଲା l
ଲକ୍ଷ୍ମୀଙ୍କର ସୂଦୟାରୁ ଏମନ୍ତ ହୋଇଲା ll
ଜୟ ଜୟ ଜୟ ମାଆ ବିଶ୍ଵଠାକୁରାଣୀ l
ଜୟ ପଦ୍ମାଳୟା ମାଆ ବିଷ୍ଣୁଙ୍କ ଘରଣୀ ll
ଜୟ କମଳ ଆରୁଢ଼େ କମଳେ ଚଞ୍ଚଳେ l
ମାଣବସାପୁଜା ଆଜି ତୋହର ଉତ୍କଳେ ll
ପଦ୍ମ ପଦେ ଆଶ୍ରିତ ମା ଚରାଚର ପ୍ରାଣୀ l
ଦୟା ରଖି ଥିବୁ ପଦ୍ମେ ସାଗର ଦୁଲଣୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.