ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ ।

ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଜାପାନର ରାଜଧାନୀ ଟୋକିଓ ସମେତ ଅନ୍ୟାନ୍ୟ ଅଂଚଳରେ ଅନୁଭୂତ ହୋଇଛି । ତେବେ ଏଥିପାଇଁ ସୁନାମୀ ସତର୍କତା ଜାରି କରାଯାଇନଥିଲେ ବି ସ୍ଥିତି ଉପରେ ନଜର ରଖାଯାଇଛି ।

ଜାପାନର ସରକାରୀ ଗଣମାଧ୍ୟମ ଏନଏଚକେର ସୂଚନା ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ଫୁକୁସିମା ସହରରେ କମ୍ପନ ଅନୁଭବ ହୋଇଛି । ତେବେ ଏହି ସହରରେ ଥିବା ପରମାଣୁ କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ ।

ଟୋକିଓରେ ଭୂମିକମ୍ପ ଅନୁଭବ ହେବା ପରେ ସିନକାନସେନ ବୁଲେଟ ଟ୍ରେନ ଚଳାଚଳକୁ ଅ​ଳ୍ପ ସମୟ ପାଇଁ ବନ୍ଦ କରାଯାଇଥିଲା ।

୨୦୧୧ ମାର୍ଚ୍ଚ ମାସରେ ଜାପାନ ଉପକୂଳ ସମୁଦ୍ର ମଧ୍ୟରେ ଆସିଥିବା ପ୍ରଳୟଙ୍କରୀ ୯ ତୀବ୍ରତାର ଭୂମିକମ୍ପ ଯୋଗୁଁ ଜାପାନର ଅନେକ କ୍ଷତି ହୋଇଥିଲା । ଏହା ଯୋଗୁଁ ପ୍ରାୟ ୧୫,୮୯୯ ଲୋକ ପ୍ରାଣ ହରାଇଥିଲେ । ଏହା ଫଳରେ ସୁନାମୀ ଆସିଥିଲା । ଏହି ଭୂମିକମ୍ପ ଯୋଗୁଁ ଫୁକୁସିମା ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା । ୩ଟି ରିଆକ୍ଟର କ୍ଷତିଗ୍ରସ୍ତ ହେବାରୁ ତେଜସ୍କ୍ରିୟ ପଦାର୍ଥ ପାଣିରେ ମିଶିଥିଲା ।

Comments are closed.