ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୋନିଆ ଗାନ୍ଧୀ ଓ କଂ‌ଗ୍ରେସ ଅଧ୍ୟକ୍ଷ ଖଡ଼ଗେ

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

ଫଟୋ ସେୟାର୍‌ କରି କଂ‌ଗ୍ରେସ ପାର୍ଟି ଲେଖିଛି: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିବନରେ ପହଞ୍ଚି ଜନ୍ମବାର୍ଷିକୀ ଅବସରରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ବିକାଶ ନିମନ୍ତେ ଅବଦାନ ଲାଗି ଦେଶ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କୁ ସ୍ମରଣ କରୁଛି।

ଏହାଛଡ଼ା, ଦଳମତ ନିର୍ବିଶେଷରେ ରାଜନେତାମାନେ ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜନ୍ମ ବର୍ଷିକୀ ଅବସରରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି। ଦେଶ ପ୍ରତି ତାଙ୍କ ଅବଦାନକୁ ମଧ୍ୟ ଆମେ ସ୍ମରଣ କରୁଛୁ।

ଟୁଇଟ୍‌ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି: ଆଧୁନିକ ଭାରତର ନିର୍ମାତା ପଣ୍ଡିତ ନେହେରୁ। ତାଙ୍କର ମହାନ୍‌ ଅବଦାନ ବିନା ୨୧ଶ ଶତାବ୍ଦୀ ଭାରତର ପରିକଳ୍ପନା କରାଯାଇ ପାରେନା।

ସ୍ମରଣଯୋଗ୍ୟ, ୧୮୮୯ରେ ଜନ୍ମିତ ନେହେରୁ ଥିଲେ ଭାରତର ପ୍ରଥମ ତଥା ଦୀର୍ଘ ଦିନ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ। ସେ ୧୯୪୭ ଅଗଷ୍ଟରୁ ୧୯୬୪ ମେ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୧୯୬୪ ମେ ୨୭ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା। ପିଲାମାନଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିବାରୁ ତାଙ୍କର ଜନ୍ମଦିନକୁ ‘ଶିଶୁଦିବସ’ ଭାବେ ପାଳନ କରାଯାଏ।

Comments are closed.