ଜାନକୀ ସ୍ଵୟଂବର
ଅରଣ୍ୟରେ ରାକ୍ଷସ ମାନଙ୍କରପ୍ରବଳ ଉତ୍ପାତରେ ଋଷି ମୁନି ମାନେ ଯଜ୍ଞ କରି ପାରୁ ନଥାନ୍ତି l ଦିନେ ଋଷି ବିଶ୍ଵାମିତ୍ର ପ୍ରତିକାର ଚିନ୍ତା କରି ଅଯୋଧ୍ୟାରେ ପହଞ୍ଚି ରାଜା ଦଶରଥଙ୍କ ଧନୁର୍ବିଦ୍ୟା ନିପୁଣ ଦୁଇ ପୁତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଘେନି ଆସିଲେ l ଦୁଇ ଭାଇ ଆସି ବିଶ୍ଵାମିତ୍ରଙ୍କ ଯଜ୍ଞସ୍ଥଳୀରେ ପହଞ୍ଚିଲେ ଓ ତାଡ଼କା,ସୁବାହୁ,ମାରିଚ ଆଦି ବହୁ ଯଜ୍ଞ ବିଘ୍ନକାରୀ ଭୟଙ୍କର ରାକ୍ଷସ ମାନଙ୍କୁ ବିନାଶକରି ଋଷି ମାନଙ୍କ ଯଜ୍ଞ ରକ୍ଷା କଲେ l ଶ୍ରୀରାମ ଏହାପରେ ମହର୍ଷିଙ୍କୁ କହିଲେ, ମୁନିବର ! ଏବେ ଆମେ ଆପଣଙ୍କ କ’ଣ ସେବା କରିବୁ ତାହା ଆଦେଶ ଦିଅନ୍ତୁ l ବିଶ୍ଵାମିତ୍ର କହିଲେ ବତ୍ସ, ତୁମେ ମାନେ ଏଠାରେ ରୁହ ଏବେ ଆମେ ଜନକ ପୁରୀ ମିଥିଳାକୁ ଯିବା l ସେଠାରେ ତୁମେ ରାଜା ଜନକ ପୂଜା କରୁଥିବା ଏକ ଅପୂର୍ଵ ଧନୁକୁ ଦେଖିବ l
ଯୋଜନା ଅନୁସାରେ ସେମାନେ ଯାଇ ମିଥିଳାରେ ପହଞ୍ଚିଲେ l ମିଥିଳାପତି ଜନକ ପରଦିନ ମହର୍ଷି ବିଶ୍ଵାମିତ୍ରଙ୍କୁ ଡକାଇ କହିଲେ,”ମୁନିବର,ମୋତେ ଆପଣ ଆଦେଶ ଦିଅନ୍ତୁ, ମୁଁ ଆପଣଙ୍କ କି ସେବା କରିପାରିବି l ବିଶ୍ଵାମିତ୍ର କହିଲେ, ଆପଣ ଯେଉଁ ଦିବ୍ୟ ଶିବଧନୁ ରଖିଛନ୍ତି ତାହାକୁ ଦେଖିବା ପାଇଁ ଅଯୋଧ୍ୟାର ରାଜକୁମାର ମାନେ ଆସିଛନ୍ତି l ଧନୁ ଦର୍ଶନ କରି ସେମାନେ ଅଯୋଧ୍ୟାକୁ ଫେରିଯିବେ l ଜନକ ରାଜିହୋଇ ଶିବଧନୁ ବିଷୟରେ ଗୋଟିଏ ସୁନ୍ଦର ଆଖ୍ୟାୟିକା ଶୁଣାଇଲେ l
ଜନକ କହିଲେ, ଦକ୍ଷ ଯଜ୍ଞ କାଳର କଥା l ଯଜ୍ଞ ଭାଗ ନ ପାଇ କ୍ରୋଧିତ ମହାଦେବ ଦେବଗଣଙ୍କୁ କହିଲେ ତୁମେମାନେ ସମସ୍ତେ ଯଜ୍ଞଭାଗ ପାଇ ମୋ ଭାଗ ଦେଲ ନାହିଁ l ମୁଁ ଏ ଧନୁ ସାହାଯ୍ୟରେ ତୁମ ସମସ୍ତଙ୍କର ମସ୍ତକ ଛେଦନ କରିବି l ଏହା ଶୁଣି ଦେଵଗଣ ଭୟଭୀତ ହୋଇ ମହାଦେବଙ୍କୁ ସ୍ତୁତି କରିବାରୁ ସେ ଶାନ୍ତହେଲେ l ଶାନ୍ତହୋଇ ସେ ଏହି ଧନୁଟି ଦେବତା ମାନଙ୍କୁ ଦେଇଥିଲେ l ଦେବତା ମାନଙ୍କଠାରୁ ଏ ଧନୁ ମୋର ପୂର୍ବଜଙ୍କ ପାଖକୁ ଆସି ଥିଲା ଓ ସେହିଦିନ ଠାରୁ ଏ ଶିବଧନୁ ବଂଶାନୁକ୍ରମେ ପୂଜାହୋଇ ଆସୁଛି l
ଜନକ ପୁଣି କହିଲେ, ଆଉ ଦିନେ ଲଙ୍ଗଳରେ ମୁଁ ଯଜ୍ଞଭୂମି କର୍ଷଣ କରୁଥିଲି l ଲଙ୍ଗଳ ସିଆରରୁ ମୁଁ ଗୋଟିଏ କନ୍ୟା ରତ୍ନ ଲାଭ କଲି l ସିଆରରୁ ସେ କନ୍ୟାଟିକୁ ପାଇ ତା’ ନାମ ରଖିଛି ସୀତା l ଏହି କନ୍ୟା ଅଯୋନିସମ୍ଭୁତା ଓ ବୀର୍ଯ୍ୟଶୁକ୍କା, କେବଳ ବୀରତ୍ୱ ପରାକାଷ୍ଠା ଦ୍ୱାରା ତାକୁ ଲାଭ କରାଯାଇ ପାରେ l ମୁଁ ମୋ କନ୍ୟାର ବିବାହ ପାଇଁ ଗୋଟିଏ ସର୍ତ୍ତ ରଖିଛି, ଯେଉଁ ପୁରୁଷ ଏ ଶିବଧନୁରେ ଗୁଣ ଚଢ଼ାଇ ପାରିବ ସେ ମୋର କନ୍ୟାର ପାଣିଗ୍ରହଣ କରିବ l ବହୁ ରାଜା,ରାଜପୁତ୍ର ଆସି ଅକୃତକାର୍ଯ୍ୟ ହୋଇ ଫେରି ଗଲେଣି l ଅକୃତ କାର୍ଯ୍ୟ ରାଜନ୍ୟ ଗଣ ଥରେ ଏକତ୍ରିତହୋଇ ମିଥିଳାକୁ ଅବରୋଧ କରିଥିଲେ କିନ୍ତୁ ଦେବତା ମାନଙ୍କ କୃପାରୁ ମୋର ଚତୁରଙ୍ଗ ସେନା ସେମାନଙ୍କୁ ତଡ଼ି ଦେଇଥିଲେ l ମୁଁ ସେ ଧନୁକୁ ରାମ ଲକ୍ଷ୍ମଣଙ୍କୁ ଦେଖାଇ ଦେଉଛି l ଯଦି ରାମ ସେଥିରେ ଗୁଣ ଚଢ଼ାଇବାରେ ସକ୍ଷମ ହୁଅନ୍ତି ତେବେ ମୁଁ ମୋର ପରମ କଲ୍ୟାଣ ମୟୀ କନ୍ୟାକୁ ତାଙ୍କୁ ପ୍ରଦାନ କରିବି l
ଏହାପରେ ଅମାତ୍ୟମାନଙ୍କୁ ଜନକ ତାଙ୍କର ସେହି ପୂଜିତ ଧନୁଟିକୁ ଆଣିବା ପାଇଁ ଆଦେଶ ଦେଲେ l ଆଠଚକ ସଂଯୁକ୍ତ ଏକ ବିଶାଳ ସିନ୍ଧୁକ ମଧ୍ୟରେ ସେ ଧନୁ ରଖା ଯାଇଥିଲା l ସେ ସିନ୍ଧୁକଟିକୁ ପାଞ୍ଚ ହଜାର ହୃଷ୍ଟପୃଷ୍ଟ ଲୋକ ଅତି କଷ୍ଟରେ ଟାଣି ଟାଣି ଆଣି ପହଞ୍ଚାଇ ଦେଲେ l ରାମଚନ୍ଦ୍ର ବିଶ୍ଵାମିତ୍ରଙ୍କ ଠାରୁ ଅନୁମତି ନେଇ ଧନୁରେ ହାତ ରଖି କହିଲେ, ହେ ଭଗବନ୍ ! ମୁଁ ଏହି ଧନୁରେ ଗୁଣ ଚଢ଼ାଇବା ପାଇଁ ଚେଷ୍ଟା କରୁଛି l ଶ୍ରୀରାମ ଧନୁଟିକୁ ଇକ୍ଷୁଦଣ୍ଡ ସମ ଉଠାଇ ଆଣି ନୁଆଁଇ କରି ଟାଣିଦେଲେ l ସଙ୍ଗେ ସଙ୍ଗେ ଧନୁଟି ଭୟଙ୍କର ଶବ୍ଦ କରି ଭାଙ୍ଗି ଗଲା l
ଭାଙ୍ଗିଲେ ଈଶ୍ୱର-କୋଦଣ୍ତ l
ବାଳକେ ଯେହ୍ନେ ଇକ୍ଷୁଦଣ୍ତ ll
ସେହି ପ୍ରଚଣ୍ଡ ଶବ୍ଦରେ ସମଗ୍ର ପୃଥିବୀ ଭୂମିକମ୍ପ ହେଲା ପରି ଥରିଉଠିଲା l ସମସ୍ତଙ୍କ ଚେତା ବୁଡ଼ି ଗଲା l ରାଜା ଜନକ ଯୋଡ଼ହସ୍ତରେ ବିଶ୍ଵାମିତ୍ରଙ୍କୁ ପ୍ରାର୍ଥନା କରି କହିଲେ,”ହେ ମୁନି ଶ୍ରେଷ୍ଠ ! ମୋର ପ୍ରତିଜ୍ଞା ଆଜି ପୂର୍ଣ୍ଣ ହୋଇଛି l ପ୍ରାଣପ୍ରୀୟ ମୋର କନ୍ୟା କଲ୍ୟାଣୀ ସୀତାକୁ ମୁଁ ଶ୍ରୀରାମଙ୍କୁ ପ୍ରଦାନ କରିବି”l ଆପଣ ଅନୁମତି ଦେଲେ,ମୋ ଅମାତ୍ୟ ମାନେ ଏହିକ୍ଷଣୀ ଅଯୋଧ୍ୟା ଯାତ୍ରାକରି ମହାରାଜ ଦଶରଥଙ୍କୁ ନିମନ୍ତ୍ରଣ କରି ଆସିବେ l ବିଶ୍ଵାମିତ୍ରଙ୍କ ଅନୁମତି ପାଇ ତୁରନ୍ତ ମିଥିଳା ରାଜଙ୍କ ଦୂତମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା କଲେ l
ଦୂତମାନଙ୍କଠାରୁ ତାଙ୍କର ପୁତ୍ରମାନେ ବିଶ୍ଵାମିତ୍ରଙ୍କ ଦ୍ୱାରା ସୁରକ୍ଷିତ ଥାଇ, ଜନକ କୁମାରୀଙ୍କୁ ବୀରତ୍ୱ ଦ୍ୱାରା ଲାଭ କରିଛନ୍ତି ଜାଣି ଦଶରଥଙ୍କ ଆନନ୍ଦର ସୀମା ରହିଲା ନାହିଁ l ପର ଦିନ ପ୍ରଭାତରେ ସେ ପ୍ରଚୁର ଧନ ରତ୍ନ ସହିତ ତାଙ୍କର ଚତୁରଙ୍ଗ ସେନା ଧରି ମିଥିଳା ଯାତ୍ରା କଲେ l ସାଙ୍ଗରେ ଥାନ୍ତି ଗୁରୁ ବଶିଷ୍ଠ,ବାମଦେବ,ଜାବାଳି ପ୍ରଭୃତି ମହାତ୍ମାଗଣ l ଚାରି ଦିନ ଯାତ୍ରା ପରେ ଯାଇ ମିଥିଳାରେ ପହଞ୍ଚି ଗଲେ ସେମାନେ l ଋଷି ଜନକ ତାଙ୍କୁ ଅଭିବାଦନ ଜଣାଇଲେ l ଜନକ କହିଲେ, ମୋର ସୌଭାଗ୍ୟ, ଈଶ୍ୱରଙ୍କ କୃପାରୁ ମୋର ରଘୁକୁଳ ସହିତ ସମ୍ବଧ ସ୍ଥାପନ ହେବାକୁ ଯାଉଛି l କାଲି ପ୍ରଭାତରେ ଯଜ୍ଞ ସମାପନାନ୍ତେ କୁମାର ରାମଙ୍କ ସହ ଝିଅ ସୀତାର ବିବାହ ସମ୍ପନ୍ନ ହେବ l ରାମ ଲକ୍ଷ୍ମଣ ବିଶ୍ଵାମିତ୍ରଙ୍କ ସହ ଯାଇ ପିତା ଦଶରଥଙ୍କ ପଦ ବନ୍ଦନାକଲେ l ଦଶରଥ ବହୁଦିନ ପରେ ପୁତ୍ରମାନଙ୍କୁ ଦେଖି ତୃପ୍ତ ହେଲେ ଓ ମିଥିଳାରେ ରାତ୍ରୀ ଯାପନ କଲେ l
ପରଦିନ ପ୍ରଭାତରୁ ବିବାହର ସମସ୍ତ ଆୟୋଜନ ଆରମ୍ଭ ହେଲା l ମିଥିଳାର ଅମାତ୍ୟଙ୍କ ସମ୍ଭାଷଣ ପୂର୍ବକ ଦଶରଥ ଆସି ପହଞ୍ଚି କହିଲେ,ଆମ ରଘୁ ବଂଶର କୁଳଗୁରୁ ବଶିଷ୍ଠ,ତାଙ୍କୁ ନିବେଦନ କରୁଛି ଆମ ଇକ୍ଷାକୁବଂଶର ପରିଚୟ ପ୍ରଦାନ କରିବାକୁ, କାରଣ ଵିଧାନ ରହିଛି ବିବାହବେଳେ ଦୁଇପକ୍ଷର କୁଳ,ଗୋତ୍ର ପରସ୍ପରକୁ ବିଦିତ ହେବା ଉଚିତ l
ବଶିଷ୍ଠ ରଘୁକୁଳର ପରିଚୟ ଦେଇ କହିଲେ,ଏହି ବଂଶର ଉତ୍ପତ୍ତି ବିବସ୍ୱାନ ମନୁଙ୍କ ପୁତ୍ର ଇକ୍ଷାକୁଙ୍କ ଠାରୁ ହୋଇଛି l ସେହି ଅନୁସାରେ ଏ ରାଜବଂଶ ସୂର୍ଯ୍ୟ ଵଂଶ, ଇକ୍ଷାକୁ ବଂଶ ଭାବରେ ପରିଚିତ l ଇକ୍ଷାକୁଙ୍କ ଚାରିପୁରୁଷ ପରେ ପୃଥୁ ଓ ତାଙ୍କ ଚାରି ପୁରୁଷ ପରେ ସଗର ଏ କୁଳରେ ପ୍ରସିଦ୍ଧ ହେଲେ l ସଗରଙ୍କ ତିନି ପୁରୁଷ ପରେ ଭଗୀରଥ ଗଙ୍ଗାଙ୍କୁ ଧରାବତରଣ କରାଇଥିଲେ l ଭଗୀରଥଙ୍କ ପୌତ୍ର ରଘୁ ଏ କୁଳରେ ରାଜ ଚକ୍ରବର୍ତ୍ତୀ ଥିଲେ l ରଘୁଙ୍କ ଠାରୁ ଏହି ବଂଶର ପରିଚିତି ରଘୁଵଂଶ l ଏହାଙ୍କ ପରେ ଛଅ ପୁରୁଷ ହେଉଛନ୍ତି ଅମ୍ବରୀଷ, ନହୁଷ, ଯଯାତି, ନାଭାଗ, ଅଜ ଓ ଦଶରଥ l ଦଶରଥଙ୍କ ପୁତ୍ର ରାମ ଓ ଲକ୍ଷ୍ମଣଙ୍କ ପାଇଁ ମୁଁ ଆପଣଙ୍କ ଦୁଇ କୁମାରୀ ସୀତା ଓ ଉର୍ମିଳାଙ୍କୁ ପ୍ରାର୍ଥନା କରୁଛି l
ଜନକ ତାଙ୍କ ବଂଶ ବିଷୟ କହି କହିଲେ, ଆମର ବଂଶ ରାଜା ନିମିଙ୍କ ଠାରୁ ଆରମ୍ଭ ହୋଇଛି l ନିମି ତ୍ରିଭୁବନ ବିଖ୍ୟାତ ରାଜା l ତାଙ୍କ ପୁତ୍ର ଥିଲେ ମିଥି ଯାହାଙ୍କ ନାମରେ ଆମ ଏ ରାଜ୍ୟର ନାମ ମିଥିଳା ହୋଇଛି l ତାହାଙ୍କ କୋଡ଼ିଏ ପୁରୁଷ ପରେ ଆମ ଦୁଇଭାଇଙ୍କ ଜନ୍ମ,ମୋ ପିତାଙ୍କ ନାମ ହର୍ଷରୋମାl ସେ ମୋ’ ଉପରେ ରାଜ୍ୟ ଓ ସାନ ଭାଈର ଭାର ଅର୍ପଣ କରି ବନକୁ ଚାଲିଯାଇ ଥିଲେ l ସଙ୍କାସ୍ୟା ରାଜା ସୁଧନ୍ୱା ଥରେ ମିଥିଳା ଅବରୋଧ କରି ଶିବ ଧନୁ ଓ ସୀତାଙ୍କୁ ବଳ ପୂର୍ବକ ନେଇ ଯିବାକୁ ବସି ଥିଲେ l ତାକୁ ପରାସ୍ତ କରି ନିହତ କରିଥିବାରୁ ମୁଁ ଭାଈ କୁଶଧ୍ୱଜକୁ ସଙ୍କାସ୍ୟ ନଗରୀର ରାଜାରୂପେ ଅଭିଷିକ୍ତ କରିଛି l ଆଜି ଠାରୁ ତୃତୀୟ ଦିବସରେ ଶୁଭଲଗ୍ନ ଉତ୍ତରା ଫାଲଗୁନ ନକ୍ଷତ୍ର ଅଛି l ସେହି ଦିନ ମୋ ଝିଅର ଶୁଭ ପରିଣୟ ବାବୁ ଶ୍ରୀରାମଙ୍କ ସହିତ ହେବ l ବର୍ତ୍ତମାନ ରାମ ଲକ୍ଷ୍ମଣ ଯେଉଁସବୁ ଦାନ,ତର୍ପଣ ତଥା ପିତୃକାର୍ଯ୍ୟ ବିବାହପୂର୍ବରୁ କରା ଯାଏ ତାହା ସମାପନ କରନ୍ତୁ l
ଋଷି ବିଶ୍ଵାମିତ୍ର କହିଲେ,ଏହି ଦୁଇ ମହାନ୍ କୁଳଙ୍କ ମଧ୍ୟରେ ବନ୍ଧୁତା ବାସ୍ତବିକ ଯୁଗ ଯୁଗ ପାଇଁ ପ୍ରସିଦ୍ଧ ହୋଇ ରହିବ l ଏଥି ସହିତ ମୁଁ ଆଉଏକ ପ୍ରସ୍ତାବ ରଖୁଛି,ଆପଣ ଆପଣଙ୍କ ଦ୍ଵିତୀୟ ପୁତ୍ରି ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କୁ ପ୍ରଦାନ କରନ୍ତୁ l ଏହା ଛଡ଼ା ଆପଣଙ୍କ ଭ୍ରାତା କୁଶଧ୍ଵଜ ମଧ୍ୟ ଏଠାରେ ବିରାଜିତ ଅଛନ୍ତି l ତାଙ୍କ ଦୁଇ କନ୍ୟା ମାଣ୍ଡବୀ ଓ ଶୃତକିର୍ତ୍ତୀଙ୍କୁ ରାଜା ଦଶରଥଙ୍କ ଅନ୍ୟ ଦୁଇ ପୁତ୍ର ଭରତ ଓ ଶତ୍ରୁଘ୍ନଙ୍କୁ ପ୍ରଦାନ କରନ୍ତୁ ବୋଲି ମୁଁ ପ୍ରସ୍ତାବ ରଖୁଛି l ବଶିଷ୍ଠ ମଧ୍ୟ ଏ ପ୍ରସ୍ତାବକୁ ସମର୍ଥନ କଲେ l ରାଜା ଜନକ କହିଲେ ଆପଣମାନେ ଯେଉଁ ପ୍ରସ୍ତାବ ଦେଲେ ମୁଁ ଏବଂ ମୋର ଭାଈ ଏଥିରେ ସହ ମତ l ଦଶରଥ ବିବାହର ପ୍ରସ୍ତୁତି ସ୍ବରୁପ ପ୍ରତି ପୁତ୍ରଙ୍କ ପାଇଁ ଏକ ଲକ୍ଷ ସବତ୍ସା ଧେନୁ ଦାନ କଲେ l
ବିବାହଦିନ ରାମ ଓ ତାଙ୍କର ତିନିଭାଇ,ଦଶରଥ ଓ ଋଷି ଗଣଙ୍କ ସହ ଯଜ୍ଞ ସ୍ଥଳୀରେ ଯାଇ ଉପସ୍ଥିତ ହେଲେ l ଜନକ ଏବଂ କୃଷଧ୍ଵଜଙ୍କ କନ୍ୟା ମାନେ ମଧ୍ୟ ମଙ୍ଗଳାଚରଣ ପରେ ବେଦି ନିକଟରେ ଆସି ପହଞ୍ଚିଲେ l କୁଳଗୁରୁ ବଶିଷ୍ଠ ବେଦି ଉପରେ ଦୂବ କୁଶ ଆଦି ଅର୍ପଣ କରି ହୋମ ଆରମ୍ଭ କଲେ l
ଏହାପରେ ବଶିଷ୍ଠ ସର୍ବାଳଙ୍କାର ବିଭୂଷିତା କନ୍ୟା ସୀତାଙ୍କୁ ଯଜ୍ଞ ନିକଟକୁ ଆଣିବା ପାଇଁ କହିଲେ l ଏହି ମନୋରମ ଦୃଶ୍ୟକୁ ଲକ୍ଷ୍ୟ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସରେ ମନୋଜ୍ଞ ବର୍ଣ୍ଣନା ପ୍ରଦାନ କରିଛନ୍ତି :-
ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ,
ବିଭୂଷଣ କରି କନ୍ୟାକୁ ଆଣ l
ବାରଣ ଶିରେ ପଦ ଦେଇ ଆସୁ,
ବରଣ କରି ରାମ ମନ ତୋଷୁ ସେ,
ବୋଲିଦେଲେ କଉଶିକ ଯେ,
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ
ହୋଇଲେ ରଘୁବଂଶିକ ଯେ ll
ସର୍ବାଳଙ୍କାର ବିଭୂଷିତା ସୀତାଙ୍କୁ ଅଗ୍ନି ସମ୍ମୁଖରେ ଶ୍ରୀରାମଙ୍କ ସମ୍ମୁଖରେ ବସାଇ ମହାରାଜ ଜନକ କହିଲେ,”ହେ କୌଶଲ୍ୟା ନନ୍ଦନ ରାମ ! ମୋର କନ୍ୟା ତୁମର ସହଧର୍ମିଣୀ ହେଲା l ତୁମେ ତାହା ହାତରେ ହାତ ରଖି ତାକୁ ଗ୍ରହଣକର l ପତିବ୍ରତା ସୀତା ଛାୟାବତ ସଦାସର୍ବଦା ତୁମ ଅନୁଗାମିନୀ ହୋଇ ରହିବ l
ଅବ୍ରଜୀଜ୍ଜନକୋ ରାଜା କୌଶଲ୍ୟାନନ୍ଦବର୍ଦ୍ଧନମ୍ l
ଇୟଂ ସୀତା ମମ ସୂତା ସହଧର୍ମଚରୀ ତଵଃ ll
ପ୍ରତୀଚ୍ଛଚୈନାଂଭଦ୍ରଂ ତେପାଣି ଗୃହୀଷ୍ମ ପାଣିନା l
ପତିବ୍ରତା ମହାଭାଗା ଛାୟେବାନୁଗତା ସଦା ll
ଏହା ପରେ ଜନକ ମନ୍ତ୍ରପୂତ ଜଳ ବର କନ୍ୟାଙ୍କ ଉପରକୁ ନିକ୍ଷେପ କଲେ l ସ୍ୱର୍ଗରୁ ଦୁନ୍ଦୁଭି ବାଦ୍ୟ ସହ ପୁଷ୍ପ ବୃଷ୍ଟିହେଲା l ଦେବତା, ଋଷିଗଣ ସାଧୁ ସାଧୁ ବୋଲି କହିଲେ l ଏହାପରେ ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନଙ୍କ ଯଥା କ୍ରମେ କନ୍ୟା ଉର୍ମିଳା, ମାଣ୍ଡବୀ ଏବଂ ଯଶସ୍ବୀନି ଶ୍ରୁତକିର୍ତ୍ତୀଙ୍କ ସହ ବିବାହ ସମ୍ପନ୍ନ ହେଲା l ଦଶରଥଙ୍କ ପୁତ୍ର ମାନେ ସପତ୍ନୀକ ଅଗ୍ନି, ବେଦୀ,ରାଜା,ଋଷି,ବ୍ରାହ୍ମଣ,ଗୁରୁ,ଗୁରୁଜନ ମାନଙ୍କୁ ପରିକ୍ରମା ପୂର୍ବକ ତାଙ୍କର ଆଶିର୍ବାଦ ଲାଭକଲେ l ଗୀତ, ବାଦ୍ୟ, ନୃତ୍ୟରେ ସମଗ୍ର ମିଥିଳା ନଗରୀ ଉତ୍ସବ ମୁଖର ହୋଇ ଉଠିଲା l
ବିବାହ ଉପରାନ୍ତେ ଜନକଙ୍କ ଠାରୁ ବିଦାୟ ନେଇ ରାଜା ଦଶରଥ ଗୁରୁ ବଶିଷ୍ଠ,ଋଷି ବିଶ୍ଵାମିତ୍ର,ଅନ୍ୟ ଋଷି,ପୁତ୍ର, ପୁତ୍ରବଧୂ ଓ ନିଜର ଚତୁରଙ୍କ ବଳସହ ଢ଼ୋଲ,ଟମକ ବଜାଇ ଅଯୋଧ୍ୟା ଅଭିମୁଖେ ମହା ଉଲ୍ଲାସରେ ଯାତ୍ରାରମ୍ଭ କଲେ l ଶ୍ରୀରାମଙ୍କୁ ଦର୍ଶନ କରି ବାଟରେ ନର ନାରୀ ନିଜର ନୟନ ସଫଳ କରୁଥିଲେ l ସନ୍ଥ ତୁଳସୀ କହିଲେ:-
ଚଲା ବରାତ ନିସାନ ବଜାଇ l
ମୁଦିତ ଛୋଟ ବଡ଼ ସବ ସମୁଦାଇ ll
ରାମହି ନିରଖି ଗ୍ରାମ ନର ନାରୀ l
ପାଇ ନୟନ ଫଲୁ ହୋହିଁ ସୁଖାରି ll
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971
Comments are closed.