ଜଳେଶ୍ବରରେ ରିଲିଫ୍‌ କେଳେଙ୍କାରୀ: ବନ୍ୟାପୀଡ଼ିତଙ୍କ ଟଙ୍କା ଖାଇଗଲେ!

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଜଣାଇଲେ ଦୁଃଖ

ଜଳେଶ୍ବର: ଅଗଷ୍ଟ ମାସ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏହି ବନ୍ୟା ରିଲିଫ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଆଜି ଜଳେଶ୍ବର ବ୍ଲକ୍‌ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ନିକଟରେ ପାଇକସିଦା ପଞ୍ଚାୟତର ୫୦ରୁ ଅଧିକ ବନ୍ୟାପୀଡ଼ିତ ଏପରି ଅଭିଯୋଗ କରିଛନ୍ତି।

ସୁବର୍ଣ୍ଣରେଖା ବନ୍ୟାରେ ଜଳେଶ୍ବର ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିକୁ ଦେଖି ସରକାର ବନ୍ୟାପୀଡ଼ିତଙ୍କୁ ୭ ଦିନର ରିଲିଫ୍‌ ଦେବାକୁ ଘୋଷଣା କରିଥିଲେ। ଘୋଷଣା ଅନୁସାରେ ଦିନକୁ ବଡ଼ମାନଙ୍କୁ ୭୦୦ ଟଙ୍କା ଓ ସାନମାନଙ୍କୁ ୪୨୦ ଟଙ୍କା ଦିଆଯାଇଥିଲା। ତେବେ ଏହି ରିଲିଫ୍‌ ସହାୟତା ଦେବା ପାଇଁ ତାଲିକା ପ୍ରସ୍ତୁତ ସମୟରେ ବ୍ୟାପକ ଅନିୟମିତତା ହୋଇଥିଲା ବୋଲି ଅଭିଯୋଗ ଆସିଥିଲା। ଏନେଇ ତଥ୍ୟ ସମ୍ବଳିତ ଏକ ରିପୋର୍ଟ ମଧ୍ୟ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏବେ ପୁଣି ରିଲିଫ୍‌ ବାବଦରେ ମିଳିଥିବା ଟଙ୍କା ଆତ୍ମସାତ କରାଯାଇଥିବା ପାଇକସିଦା ପଞ୍ଚାୟତର ଲୋକମାନେ ଅଭିଯୋଗ କରିଛନ୍ତି।

ପାଇକସିଦା ପଞ୍ଚାୟତର ୭ଟି ଗାଁ ବନ୍ୟା ଦ୍ବାରା ବିଶେଷ ପ୍ରଭାବିତ ହୋଇଥିଲା। ତେବେ ରିଲିଫ୍‌ ସହାୟତା ପାଇଁ ପ୍ରସ୍ତୁତ ତାଲିକାରେ କେଶପୁରା, ପାଇକସିଦା ଗାଁ’କୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଥିଲା। ବାଲିକବାଡ଼, ଚିତିମିଶ୍ରା, ଉତ୍ତରପଡ଼ା, ଖଳାବାଡ଼ିଆ ଓ ତାଳଗୋଛିଆ ଗାଁ’ର ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଯୋଗାଇବା ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ପଞ୍ଚାୟତର ସୁବ୍ରତ କୁମାର ସାହୁ, ବରେନ୍ଦ୍ର ବେହେରା, ବିବେକାନନ୍ଦ ମିର୍ଦ୍ଧା, କରୁଣାକର ମାଝୀ, ଦାମୋଦର ପୁଷ୍ଟି, ନିରଞ୍ଜନ ବେହେରା ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ; ପଞ୍ଚାୟତର ୯ ନମ୍ବର ୱାର୍ଡ ବାଲିକବାଡ଼ ଗାଁ’ର ପଣ୍ଡିତ ସାଙ୍ଗିଆଧାରୀ ମହିଳା, ଯିଏ ଜଣେ ନିର୍ବାଚିତ ପ୍ରତିନିଧି। ତାଙ୍କ ପରିବାରର ମୋଟ ସଦସ୍ୟ ସଂଖ୍ୟା ୧୪। କିନ୍ତୁ ଆଶ୍ଚର୍ଯ୍ୟର କଥା ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା  ୪୦ ଦର୍ଶାଇ ରିଲିଫ୍‌ ବାବଦରେ ମିଳିଥିବା ଅର୍ଥ ହଡ଼ପ କରାଯାଇଛି। ପୂଜାଙ୍କ ପରିବାରକୁ ସରକାର ଯୋଗାଇଥିବା ସହାୟତା ପ୍ରକୃତରେ ତାଙ୍କ ପରିବାର ହାତେଇଛନ୍ତି ନା ସରକାରୀ ବାବୁମାନେ ନେଇଛନ୍ତି, ତାହା ସଂଦେହ ସୃଷ୍ଟି କରିଛି।

୮ ନମ୍ବର ୱାର୍ଡ ଚିତିମିଶ୍ରା ଗାଁ’ର ଜନ୍ମେଜୟ ଜେନାଙ୍କ ପରିବାରର ମୋଟ ଲୋକସଂଖ୍ୟା ୪ ଥିବା ବେଳେ ରିଲିଫ୍‌ ସହାୟତା ଦେବା ସମୟରେ କିନ୍ତୁ ତାଲିକାରେ ୧୦ ଜଣଙ୍କ ନାମ ଉଲ୍ଲେଖ କରାଯାଇ ଅର୍ଥ ଉଠାଯାଇଛି। ସେହିପରି ଉତ୍ତରପଡ଼ା ଗ୍ରାମର ବସନ୍ତ କୁମାର ଦଳାଇଙ୍କ ପରିବାରର ସଦସ୍ୟ ସଂଖ୍ୟା ୯। ବନ୍ୟା ଯୋଗୁଁ ବେଶ୍‌ ପ୍ରଭାବିତ ହୋଇଥିବା ଏହି ପରିବାରର ଆର୍ଥିକ ଦୁରବସ୍ଥା ନକହିବା ଭଲ। ମାତ୍ର ରିଲିଫ୍‌ ତାଲିକାରେ ୯ ବଦଳରେ ୫ ଜଣଙ୍କ ନାମ ଉଲ୍ଲେଖ କରାଯାଇଥିଲା। ରିଲିଫ୍‌ ବାବଦରେ ମିଳୁଥିବା ସହାୟତା ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦେବା ପାଇଁ ସରକାର ନିୟମ କରିଥିବା ବେଳେ ବସନ୍ତଙ୍କ ପରିବାରକୁ ଅଦ୍ୟାବଧି ରିଲିଫ୍‌ ଟଙ୍କା ମିଳିନାହିଁ। ଗାଁ’ର ବିବେକାନନ୍ଦ ମିର୍ଦ୍ଧାଙ୍କ ପରିବାରର ମଧ୍ୟ ସମାନ କଥା। ପରିବାରର ମୋଟ ସଦସ୍ୟ ସଂଖ୍ୟା ୧୩ ଥିବା ବେଳେ ରିଲିଫ୍‌ ସହାୟତା ତାଲିକାରେ ମାତ୍ର ୩ ଜଣକଙ୍କ ନାମ ଥିଲା। ତେବେ ବିବେକାନନ୍ଦଙ୍କ ଆକାଉଣ୍ଟକୁ କିଛି ଟଙ୍କା ବି ଆସିନାହିଁ। ସେହିପରି ଉକ୍ତ ପଞ୍ଚାୟତର କାହ୍ନୁଚରଣ ମାଝୀ, ବାବୁଲି ମାଝୀ, ବାବାଜୀ ମାଝୀ, ଶ୍ୟାମସୁନ୍ଦର ଦଳାଇ, ଅନନ୍ତ ମାଝୀ ପ୍ରମୁଖଙ୍କ କ୍ଷେତ୍ରରେ ସମାନ କଥା ଘଟିଛି। ଏନେଇ ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି।

Comments are closed.