ଇସ୍ରୋର ପୂର୍ବାନୁମାନ ; ଅକ୍ଟୋବର-ଡିସେମ୍ବରରେ ୩ ବଡ଼ ବାତ୍ୟା

0

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍‌ର ଆକଳନ ଅନୁଯାୟୀ ବର୍ଷର ଶେଷ ତିନି ମାସ ମଧ୍ୟରେ ଉତ୍ତର ଭାରତ ମହାସାଗର ଅର୍ଥାତ୍ ଆରବ ସାଗର ଓ ବଙ୍ଗୋପସାଗରରେ ବଡ଼ଧରଣର ତିନିଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଆରବ ସାଗର ଓ ବଙ୍ଗୋପସାଗରରେ ତିନିଟି ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ। ଏପରିକି, ବାତ୍ୟାଗୁଡ଼ିକ ଏତେ ଶକ୍ତିଶାଳୀ ହେବ ଯେ ଗତ ୪୪ ବର୍ଷ ମଧ୍ୟରେ ଏତେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇନାହିଁ। ଏହି ବାତ୍ୟାଗୁଡ଼ିକର ପ୍ରଭାବ ସ୍ବାଭାବିକଠାରୁ ୮୩% ଅଧିକ ରହିବ। ଏହି ସବୁ ବାତ୍ୟାକୁ ଏକ ଅସ୍ବାଭାବିକ ସାମୁଦ୍ରିକ ଝଡ଼ ବୋଲି ବିବେଚନା କରାଯାଇଛି।
ଏହି ସବୁ ବାତ୍ୟା ଉପକୂଳ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନି ଘଟାଇବାର ଆଶଙ୍କା ରହିଛି। ଗତ ୪୦ ବର୍ଷର ବାୟୁମଣ୍ଡଳୀୟ ଓ ସାମୁଦ୍ରିକ ତଥ୍ୟକୁ ଆକଳନ କରି ଇସ୍ରୋ ଏହି ପୂର୍ବାନୁମାନ କରିବା ସହ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି।
ତେବେ ଇସ୍ରୋ ପକ୍ଷରୁ ଏହି ସବୁ ବାତ୍ୟାର ସମୟ ଅର୍ଥାତ୍‌ ନିର୍ଦିଷ୍ଟ ତାରିଖ ଓ ଗତିପଥ ବାବଦରେ କିଛି ତଥ୍ୟ ଦିଆଯାଇନାହିଁ। ତଥାପି ଇସ୍ରୋର ଏହି ସୂଚନା ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାରେ ସହାୟକ ହେବ। ଉପକୂଳ ଅଞ୍ଚଳର ଲୋକେ ଓ ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କର ପୂର୍ବ ପ୍ରସ୍ତୁତି କରିପାରିବେ। ଏହା ସହ ଆଗାମୀ ତିନି ମାସ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ହାଇଆଲର୍ଟରେ ରହିବାକୁ ହେବ। ଇସ୍ରୋର ପୂର୍ବାନୁମାନ ଅନୁଯାୟୀ, ମୌସୁମି ପରବର୍ତ୍ତୀ ସମୟରେ ସମୁଦ୍ରରେ ଘୂର୍ଣ୍ଣିବଳୟର ଗତିବିଧି ସ୍ବାଭାବିକଠାରୁ ବହୁତ ଅଧିକ ରହିବ। ପାଣିପାଗ ଓ ସମୁଦ୍ର ପୃଷ୍ଠର ତାପମାତ୍ରା କେତେ ବିଗିଡ଼ି ଗଲାଣି, ତାହା ଏଥିରୁ ଅନୁମାନ କରାଯାଉଛି। ଇସ୍ରୋ ଯେଉଁ ଆକଳନ କରିଛି, ତାହା ଏହା ଏକ ଋତୁକାଳୀନ ଦୀର୍ଘମିଆଦୀ ପାଣିପାଗ ସମ୍ପର୍କିତ ପୂର୍ବାନୁମାନ। ତେଣୁ ବାତ୍ୟା କେବେ ସୃଷ୍ଟି ହେବ, ଏହାର ଗତିପଥ, କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦ୍ବାରା ସ୍ପଷ୍ଟ ହେବ। ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏହା ମଧ୍ୟ ବିନାଶକାରୀ ବାତ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଇସ୍ରୋର ଏହି ପୂର୍ବାନୁମାନ ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ସତର୍କତା ଜାରି କରାଯାଇଛି। ଏହାସହ ଭାରତୀୟ ତଟରକ୍ଷୀ ବାହିନୀ ସାମୁଦ୍ରିକ ଉଦ୍ଧାର କାର୍ଯ୍ୟର ଅଭ୍ୟାସ କରାଯାଇଛି। ଦୁଇଦିନ ଧରି ହୋଇଥିବା ଏହି ଅଭ୍ୟାସରେ ଆନ୍ତଃଉଦ୍ଧାରକାରୀ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା, ସାମୁଦ୍ରିକ ବିପଦ ସମୟରେ ତ୍ବରିତ ପଦକ୍ଷେପରେ ଉନ୍ନତି ଅଣାଯାଇଛି। ଏହି ଅଭ୍ୟାସରେ ଭାରତୀୟ ସେନା, ବାୟୁସେନା, ଜାହାଜ ଚଳାଚଳ ସେବା, ପାଣିପାଗ ବିଭାଗ, ମତ୍ସ୍ୟବିଭାଗ, ବନ ବିଭାଗ, ସାମୁଦ୍ରିକ ପୁଲିସ ଭଳି ବିଭିନ୍ନ ସରକାରୀ ଏଜେନ୍ସି ସାମିଲ ହୋଇଥିଲେ। ମ୍ୟାରିଟାଇମ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ (ଏମଏସ୍‌ଏଆର୍‌) ନାମରେ ହୋଇଥିବା ଏହି ଅଭ୍ୟାସ ଶ୍ରୀ ବିଜୟପୁରମ୍ ବା ପୋର୍ଟ ବ୍ଲେୟାର୍‌ଠାରେ ହୋଇଛି।

Leave A Reply

Your email address will not be published.