ନାରୀ ଶିକ୍ଷାର ଅବସାନ ପାଇଁ ଇରାନ୍‌ରେ ଶହ ଶହ ଝିଅଙ୍କୁ ବିଷ ଦିଆଯାଇଛି: ରିପୋର୍ଟ

ତେହ୍‌ରାନ୍‌: ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର  ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ କ୍ବୋମ୍‌ରେ ନଭେମ୍ବର ଶେଷ ଭାଗରୁ ବହୁସଂଖ୍ୟକ ସ୍କୁଲ୍‌ ବାଳିକା ନିଶ୍ବାସପ୍ରଶ୍ବାସ ବିଷକ୍ରିୟାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ମଧ୍ୟ କରାଯାଇଥିଲା।

ଜାଣିଶୁଣି ସେ ବାଳିକାମାନଙ୍କୁ ବିଷ ଦିଆଯାଇଥିବା କଥା ରବିବାର ଦିନ ଉପ-ସ୍ବାସ୍ଥ୍ୟମନ୍ତ୍ରୀ ୟୋୟୁନେସ୍‌ ପନାହୀ ସୁନିଶ୍ଚିତ କରି କହିଛନ୍ତି।

ପନାହୀଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି ରାଷ୍ଟ୍ରାୟତ ସମ୍ବାଦ ସରବରାହ ଏଜେନ୍‌ସି ‘ଇର୍‌ନା’ ରିପୋର୍ଟ କରିଛି, କ୍ବୋମ୍‌ ସ୍କୁଲ୍‌ମାନଙ୍କରେ କେତେ ଜଣ ଛାତ୍ରୀଙ୍କଠାରେ ବିଷକ୍ରିୟା ଦେଖା ଯିବା ପରେ ଜଣାପଡ଼ିଲା ଯେ, ସବୁ ସ୍କୁଲ୍‌, ବିଶେଷକରି ବାଳିକା ସ୍କୁଲ୍‌ ସବୁ ବନ୍ଦ ହୋଇଯାଉ ବୋଲି କ‌େତେକ ଲୋକ ଚାହୁଁଛନ୍ତି।

ଏ ସଂକ୍ରାନ୍ତରେ ସେ ବିସ୍ତୃତ ବିବରଣୀ ଦେଇ ନାହାନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ଏହି ବିଷକ୍ରିୟା ଘଟଣାରେ ସମ୍ପୃକ୍ତ ଥିବା କ‌ୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ।

‘ଇର୍‌ନା’ ରିପୋର୍ଟ କରିଛି, ‌ଅସୁସ୍ଥ ହୋଇଥିବା ଛାତ୍ରୀମାନଙ୍କର ପିତାମାତା ଫେବ୍ରୁଆରି ୧୪ ତାରିଖ ଦିନ ନଗରୀର ଗଭର୍ଣ୍ଣୋରେଟ୍‌ ବାହାରେ ସମବେତ ହୋଇ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ କ‌ୈଫିୟତ୍‌ ଦାବି କରିଥିଲେ।

ତହିଁ ଆରଦିନ ସରକାରଙ୍କ ମୁଖପାତ୍ର ଅଲୀ ବାହାଦୋରି ଜାହରୋମି କହିଲେ ଯେ, ଗୁଇନ୍ଦା ଓ ଶିକ୍ଷାମନ୍ତ୍ରାଳୟ ବିଷକ୍ରିୟାର କାରଣ ସଂକ୍ରାନ୍ତରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି।

ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ଲାଗି ଗତ ସପ୍ତାହରେ ‘ପ୍ରୋସିକ୍ୟୁଟର୍‌ ଜେନେରାଲ୍‌ ମହମ୍ମଦ୍‌ ମୋନ୍ତାଜେରି ଆଦେଶ ଦେଇଥିଲେ।

Comments are closed.