ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି କ୍ଷିପ୍ର କରିବା ଏବଂ ନିବେଶକମାନଙ୍କୁ ସୁଗମ ବ୍ୟବସାୟିକ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍କୋ) ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଇଡ୍କୋର ଜମି ବଣ୍ଟନ କମିଟି ମୋଟ ୩୭ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ ପାଇଁ ଅନୁମୋଦନ ପ୍ରଦାନ କରିଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଜମି ମଞ୍ଜୁରୀ ଫଳରେ ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହାଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆଞ୍ଚଳିକ ଅର୍ଥନୀତି ଓ ଯୋଗାଣ ଶୃଙ୍ଖଳା ଅଧିକ ସୁଦୃଢ଼ ହୋଇପାରିବ। ଜମି ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକୁ ସମୟବଦ୍ଧ ଓ ସ୍ୱଚ୍ଛ ଭାବେ ଫଇସଲା କରିବା ଇଡ୍କୋର ନିବେଶକ-ଅନୁକୂଳ ନୀତିକୁ ପ୍ରତିଫଳିତ କରୁଛି। ଉଦୀୟମାନ ଉଦ୍ୟୋଗୀ ଓ ବୃହତ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଏକ ସୁଗମ ଓ ନିର୍ଭରଯୋଗ୍ୟ ଶିଳ୍ପ ପରିବେଶ ଗଢ଼ିତୋଳିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।