ବାଲେଶ୍ୱର, ୨୭ ଅକ୍ଟୋବର ୨୦୨୬: ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅଡିଟୋରିୟମ୍ ହଲ୍ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦେଶର ପ୍ରଗତି ଓ ଜନସାଧାରଣଙ୍କ ହିତ ପାଇଁ ଦୁର୍ନୀତି ବିରୋଧରେ ଦୃଢ଼ତାର ସହ ଲଢ଼ିବାକୁ ସଂକଳ୍ପ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ଡେପୁଟି କଲେକ୍ଟର ସୀତାଂଶୁ ଶେଖର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲିକ ଏବଂ ଭିଜିଲାନ୍ସ ବିଭାଗର ଡିଏସ୍ପି ସିକନ୍ଦର ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ଥିଲେ।
ଶପଥ ଗ୍ରହଣ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ନିଜ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ସମର୍ପିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହାର ଅଂଶସ୍ୱରୂପ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ମାଧ୍ୟମରେ ରାଜ୍ୟର ଅଧିକାରୀମାନଙ୍କୁ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୋୱାନ୍ ହଲ୍ରେ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସମେତ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ ବ୍ୟବସ୍ଥାରେ ସାଧୁତାର ସଂସ୍କୃତିକୁ ସୁଦୃଢ଼ କରିବା ସହ ଦୁର୍ନୀତି ବିରୋଧରେ ଜନସଚେତନତା ବୃଦ୍ଧି କରିବା। ଏଥିପାଇଁ ପ୍ରତ୍ୟେକ ଅଧିକାରୀ ଓ ନାଗରିକଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଜରୁରୀ