ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ପ୍ରତିଷ୍ଠା ଦିବସ ଅବସରରେ ଦେବୀ ପ୍ରସନ୍ନ ପଟ୍ଟନାୟକ ପାଇବେ ପ୍ରଥମ ‘ଭାଷା ଭାସ୍କର’ ସମ୍ମାନ

0
ବାଲେଶ୍ବର ୨୭/୧୦(କୃଷ୍ଣ କୁମାର ମହାନ୍ତି) : ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆଗାମୀ ନଭେମ୍ବର ୩ ତାରିଖରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନଭେମ୍ବର ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଛଅଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପ୍ରଥମ କରି ପ୍ରଚଳନ କରାଯାଇଥିବା ‘ଭାଷା ଭାସ୍କର’ ସମ୍ମାନ ଓଡ଼ିଶାର ପ୍ରଖ୍ୟାତ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବାର ସର୍ବସମ୍ମତି ସିଦ୍ଧାନ୍ତ ନିଆଯାଇଛି। ନ‌ଭେମ୍ବର ୩ ତାରିଖରେ ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ପ୍ରତିଷ୍ଠାତା ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିବେ ବୋଲି ଜଣା ପଡିଛି।
ଓବିବିଏର ଉପସଭାପତି ନିବାରଣ ଜେନା, ସାଧାରଣ ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସଂଗଠନ ସଂପାଦକ ତପନ ରାୟ, ବରିଷ୍ଠ ସଦସ୍ୟ ଡ. ଶିରୀଶ ଚନ୍ଦ୍ର ଜେନା ଓ କୋଷାଧ୍ୟକ୍ଷ ଦୀପକ ବୋଷ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଡ. ରମାକାନ୍ତ ନାୟକ, ଶରତ କୁମାର ମହାପାତ୍ର, ଉର୍ମିଳା ନାୟକ, ରାଜେନ୍ଦ୍ର ପ୍ରସାଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ନିଜ ନିଜର ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ଵରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଡ. ସାରଙ୍ଗଧର ତ୍ରିପାଠୀ, ଜୁମରନାଥ ପାତ୍ର, ପ୍ରଦୀପ ଚାଟ୍ଟାର୍ଜୀ, ଡ. ଜାନକୀ ଜେନା, ଡ. ଭାଗବତ ପ୍ରସାଦ ଦାସଙ୍କ ରଚିତ ପୁସ୍ତକ ଉନ୍ମୋଚନ ହେବାକୁ ଥିବାବେଳେ ଡ. ହରିଶ୍ଚନ୍ଦ୍ର ବେହେରା, ଡ. ରତ୍ନାକର ସିଂହ, ଦୀପକ ବୋଷ, ଡ. ଦୀପିକା ସେନାପତି, ଡ. ଶିରୀଶ ଚନ୍ଦ୍ର ଜେନା, ଅରୁଣା ରାୟ, ଡ. ସୁବାସ ଚନ୍ଦ୍ର ପାତ୍ର, ଭବେଶ ସାହୁ ଓ ଡ. କମଳାକାନ୍ତ ଜେନା ପ୍ରମୁଖ ଅତିଥି ବକ୍ତା ଭାବରେ ଯୋଗ ଦେବେ। ଶେଷରେ ନଭେମ୍ବର ୮ ତାରିଖ ଦିବସବ୍ୟାପି ଉଦ୍‌ଯାପନୀ ଉତ୍ସବରେ ନୃତ୍ୟ, ସଙ୍ଗୀତ, ବକ୍ତବ୍ୟ, ଜଣାଅଜଣା ପ୍ରଭୃତି ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସାଧାରଣ ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଜଣାଇଛନ୍ତି।
Leave A Reply

Your email address will not be published.