କଟକ: ରାଜ୍ୟରେ ଜାରି ରହିଥିବା ଦୁର୍ନୀତି ବିରୋଧୀ ଅଭିଯାନରେ ଭିଜିଲାନ୍ସ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି। ଠିକାଦାରଙ୍କଠାରୁ ବ୍ୟାପକ ଭାବେ ଲାଞ୍ଚ କାରବାର ହେଉଥିବା ନେଇ ପକ୍କା ଖବର ପାଇବା ପରେ, ଭିଜିଲାନ୍ସ ଟିମ୍ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ କାବୁ କରିଛି। ତାଙ୍କ ନିକଟରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ଯନ୍ତ୍ରୀ ପ୍ରସନ୍ନଜିତ ଦାସ ଯାଉଥିବା ଏକ ସରକାରୀ ବୋଲେରୋ ଗାଡ଼ିକୁ ଅଟକାଇ ତଲାସୀ ନେଇଥିଲା ଭିଜିଲାନ୍ସ। ସେହି ଗାଡ଼ିରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ ହୋଇଥିଲା। ଏହାପରେ ଆଜି ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିସ୍ଥିତ ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା।
ଜବତ ହୋଇଥିବା ଏତେ ପରିମାଣର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ହିସାବ ଦେଇପାରି ନାହାନ୍ତି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ଏହି ଅର୍ଥର ଉତ୍ସ ଏବଂ ଅନ୍ୟାନ୍ୟ ସମ୍ପତ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି।