ଗଜପତି, ୧୩ ନଭେମ୍ବର: ମନୋଜ କୁମାର ପାଢୀଙ୍କ ରିପୋର୍ଟ । ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ନାମାଙ୍କନ ସଭା ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଭାରତୀୟ ଯୁବ କଂଗ୍ରେସର ଜୋନାଲ ଇନଚାର୍ଜ ଶ୍ରୀ ରଘୁବେନ୍ଦ୍ର ସିଂ ଗଜପତି ଜିଲ୍ଲା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଯୁବ କଂଗ୍ରେସ ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଆଶାୟୀ ପ୍ରାର୍ଥୀମାନଙ୍କ ସହ ସେ ଆଲୋଚନା କରିଥିଲେ।
ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା, ନାମାଙ୍କନ ଦାଖଲ ପଦ୍ଧତି, ସଦସ୍ୟତା ଅଭିଯାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚୟନ ଏବଂ ବ୍ଲକସ୍ତରୀୟ ଯୁବ ସଭାପତି ଚୟନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଶ୍ରୀ ସିଂ ଯୁବ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।
ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଅଭିମନ୍ୟୁ ପଣ୍ଡା, ବସନ୍ତ କୁମାର ପଣ୍ଡା, ସଞ୍ଜୟ କୁମାର ଅଧିକାରୀ, ଏସ୍. ପାପାରାଓ, ଜିଲ୍ଲା ଓବିସି ସଭାପତି ଜନାର୍ଦ୍ଦନ ରାଓ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ରାଧାକାନ୍ତ ରଥ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ ସେଖ, ଶିବପ୍ରସାଦ ସାହୁ, ସରୋଜ ମିଶ୍ର, ଯୁବ ନେତା କେଦାରନାଥ ପାତ୍ର, ଲୋକେଶ ବରାଡ଼, ମଫିଲ ସ୍ୱାଲସିଂ , ଗୁମ୍ମା ବ୍ଲକର ଓବିସି ସଭାପତି ପାଉଲ ଏବଂ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ଏହି ଅବସରରେ ଜୋନାଲ ଇନଚାର୍ଜ ଶ୍ରୀ ରଘୁବେନ୍ଦ୍ର ସିଂ ଯୁବ ନେତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଯୁବ କଂଗ୍ରେସକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା, ନୂତନ ଯୁବକମାନଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ଦଳର ସାଂଗଠନିକ କାର୍ଯ୍ୟକଳାପକୁ ଆଗକୁ ନେବା ଉପରେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀମାନଙ୍କ ସହଯୋଗ ରହିଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ ସେଖ ସୂଚନା ଓ ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ।