ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ଓ ପ୍ରତିଭା ପୂଜା ସମାରୋହ ପାଳିତ
ପଟ୍ଟାମୁଣ୍ଡାଇ ୧୫/୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଠରବାଟିଆ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପବିତ୍ର ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପୁରାତନ ଓ ବର୍ତ୍ତମାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନସୂୟା ମିଶ୍ରଙ୍କ ସଭାପତିତ୍ବରେ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ନାୟକ, ମୂଖ୍ୟ ଵକ୍ତାଭାଵେ ଜ୍ଞାନ ରଞ୍ଜନ ମହାନ୍ତି ଓ ରାଜିବ ଲୋଚନ ବେହୁରା, ସମ୍ମାନୀତ ଅତିଥି ଭାବେ ନରସିଂହପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପ୍ତିମୟୀ ପରିଡ଼ା, ପୂର୍ବତନ ଶିକ୍ଷକ ସର୍ବଶ୍ରୀ ବିକ୍ରମ କୁମାର ପରିଡ଼ା, ରଞ୍ଜନ କୁମାର ବେହୁରା, ସୁରେନ୍ଦ୍ର ନାରାୟଣ ପରିଡ଼ା, କାଳନ୍ଦୀ ଚରଣ ଦାସ, ସୁନାକର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀବତ୍ସ ସେଠୀ,ପୁରାତନ ଛାତ୍ର ସଂସଦର ଅକ୍ଷୟ କୁମାର ଦାସ, ଉମେଶ ରାଉତ, ପରୀକ୍ଷିତ ଦାଶ, ଭାରତି ଦାସ
ଯୋଗଦେଇ ପ୍ରଦ୍ଵୀପ ପ୍ରଜ୍ବଳନ କରି ବିଦ୍ୟାଳୟର ପ୍ରତିଷ୍ଠାତା କମ୍ରେଡ ରାଜେନ୍ଦ୍ର ରାଉତଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଵା ସହିତ ଛାତ୍ରଛାତ୍ରୀମାନଙ୍କୁ ୮୦ତମ ସ୍ଵାଧିନତା ଓ ବିଦ୍ୟାଳୟର ଗୌରବମୟ ଇତିହାସ ସହ କିଛି ପ୍ରେରଣାଦାୟୀ ନୀତିଶିକ୍ଷା ମୂଳକ ଗଳ୍ପ ଶୁଣାଇଥିଲେ।ପୁରାତନ ଛାତ୍ର ସଂସଦର ସଦସ୍ୟ ରାଜୀବ କୁମାର ବେହୁରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଚଳିତ ମାଟ୍ରିକ ପରିକ୍ରମାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରୀ ପ୍ରିୟଦର୍ଶନୀ ସାମଲଙ୍କୁ ବ୍ୟକ୍ତିଗତ ୫୦୦୦ ଟଙ୍କା ସହିତ ମାନପତ୍ର ତାଙ୍କ ପିତା ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହୁରାଙ୍କ ନାମରେ “ରଞ୍ଜନ ସାର ଶିକ୍ଷା ବୃତ୍ତି” ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଅମୂଲ୍ୟ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହିକ୍ରମରେ ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ‘ମାନପତ୍ର’ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏହାସହିତ ଚଳିତ ବର୍ଷ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ସରପଞ୍ଚ ମହୋଦୟା ସିଲ୍ଡ, ମାନପତ୍ର ଓ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ସଭାର ଶେଷରେ ବନ୍ଦନା ମ୍ୟାଡାମ ଉଦ୍ଯାପନୀ ଭାଷଣ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସାଙ୍ଗ ହେବା ପରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ଭୋଜିଭାତରେ ସମସ୍ତ ଛାତ୍ରଛାତ୍ରୀ, ଅତିଥିବୃନ୍ଦ ଓ ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟ ମାନଙ୍କୁ ଆପ୍ୟାୟିତ କରାଯାଇଥିଲା।