ଗଜପତି, ୨୭।୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ଆର୍. ଉଦୟଗିରି ବ୍ଲକ ସମେତ ବିଭିନ୍ନ ବ୍ଳକରେ ଅସହାୟ ଓ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।ରାସ୍ତାକଡ଼ରେ କିମ୍ବା ଅସୁରକ୍ଷିତ ଅବସ୍ଥାରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏଭଳି ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁରକ୍ଷା, ରହିବା, ଖାଦ୍ୟପେୟ ଓ ଆବଶ୍ୟକ ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିରାପଦ ଆଶ୍ରୟସ୍ଥଳୀ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି।ସେହିପରି ଗଜପତି ଜିଲ୍ଲାର ଅଡ଼ବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଲାଗୁଡ଼ା ଗ୍ରାମର କଚ୍ଚା କିମ୍ବା ଅସୁରକ୍ଷିତ ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଯେକୌଣସି ଅଘଟଣକୁ ଏଡ଼ାଇବା ସହ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ରନ୍ଧା ଖାଦ୍ୟ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି।ପ୍ରଶାସନ ପକ୍ଷରୁ ଜାରି ସତର୍କତା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ବିପଦପୂର୍ଣ୍ଣ ସ୍ଥାନରେ ନରହି ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏତଦ୍ ବ୍ୟତୀତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ପରିଦର୍ଶନ ନେଇ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି।
Sign in
Sign in
Recover your password.
A password will be e-mailed to you.