ମାତ୍ର ଆଠ ବର୍ଷରେ ନୂତନ ମହେନ୍ଦ୍ର ତନୟା ସେତୁର ଅବସ୍ଥା ବେହାଲ ।

0

ଗଜପତି,୮.(ମନୋଜ ପାଢୀ) :-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରକୁ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରୁଥିବା ନୂତନ ମହେନ୍ଦ୍ର ତନୟା ସେତୁ ନିର୍ମାଣର ମାତ୍ର ଆଠ ବର୍ଷ ମଧ୍ୟରେ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ସେତୁର ଲୁହାଛଡ଼ ବାହାରକୁ ବାହାରି ଆସିଥିବା ବେଳେ ସୁରକ୍ଷା ପ୍ରାଚୀର ମଧ୍ୟ ନଷ୍ଟ ହୋଇଥିବା ପରିଲକ୍ଷିତ ହେଉଛି। ପାରଳାଖେମୁଣ୍ଡି ଅଞ୍ଚଳରେ ମହେନ୍ଦ୍ର ତନୟା ନଦୀ ଉପରେ ଥିବା ପୁରୁଣା ସେତୁଟିକୁ ତତ୍କାଳୀନ ରାଜା ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ସମୟରେ ବ୍ରିଟିଶ ଇଞ୍ଜିନିୟର ଏଚ. ଡି. କ୍ୟାମ୍ପବେଲଙ୍କ ତତ୍ତ୍ଵାବଧାନରେ ୧୮୬୯ ମସିହାରେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବାଣିଜିକ୍ୟ ସମ୍ପର୍କ ନିମନ୍ତେ ନିର୍ମିତ ହେଇଥିଲା। ଐତିହାସିକ ଗୁରୁତ୍ୱ ରହିଥିବା ଏହି ପୁରୁଣା ସେତୁଟି ରୁଗ୍ଣ ହୋଇପଡ଼ିବା ପରେ ୨୦୧୮ ମସିହାରେ ନୂତନ ସେତୁ ନିର୍ମାଣ କରାଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା।ବର୍ତ୍ତମାନ ନୂତନ ସେତୁରେ ମରାମତି କାର୍ଯ୍ୟ ଚାଲିଥିବାରୁ ଯାତାୟାତ ପାଇଁ ପୁରୁଣା ସେତୁକୁ ପୁଣିଥରେ ବ୍ୟବହାର ନିମନ୍ତେ ଖୋଲାଯାଇଥିବା ଜଣାପଡ଼ିଛି। ଫଳରେ ଦୈନନ୍ଦିନ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ସେତୁର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି।ଅନ୍ୟପକ୍ଷରେ, ବ୍ରିଟିଶ ଶାସନ କାଳର ପୁରୁଣା ସେତୁ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସିଥିବା ବେଳେ ନୂତନ ସେତୁଟିର ମାତ୍ର ଆଠ ବର୍ଷ ମଧ୍ୟରେ ମରାମତିର ଆବଶ୍ୟକତା ପଡ଼ିବା ଘଟଣା ଏହାର ନିର୍ମାଣ ଶୈଳୀ ,ଗୁଣବତ୍ତା, ରକ୍ଷଣାବେକ୍ଷଣ ଓ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେତୁ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା, ନିର୍ମାଣ କାର୍ଯ୍ୟର ମାନ ଏବଂ ନିୟମିତ ରକ୍ଷଣାବେକ୍ଷଣ ହୋଇଥିଲା କି ନାହିଁ, ତାହାର ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ସେତୁର ସୁରକ୍ଷା ଯାଞ୍ଚ କରି ଆବଶ୍ୟକ ସ୍ଥାନରେ ତୁରନ୍ତ ମରାମତି କରିବା ସହ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିଲେ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବ୍ରିଟିଶ ଶାସନ ସମୟରେ ନିର୍ମିତ ଦେଢ଼ ଶହ ବର୍ଷ ପୁରୁଣା ସେତୁଟି ଆଜି ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ବେଳେ ମାତ୍ର ଆଠ ବର୍ଷରେ ନୂତନ ସେତୁର ଏଭଳି ଅବସ୍ଥା ନେଇ ଗଜପତି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.