ଭୁବନେଶ୍ବର : ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଓଡ଼ିଶାରେ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ ପ୍ରୋଗ୍ରାମ (ଆଇଟିଇପି)ରେ ପଢ଼ିବା ମନା। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡ଼ିଶାର କୌଣସି ସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଆଇଟିଇପି ପାଠ୍ୟକ୍ରମ ଅଧୀନରେ ବିଏଡ୍ କରିପାରିବେ ନାହିଁ। ଏହାଦ୍ବାରା ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ମାର୍ଗଦର୍ଶିକାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। କାରଣ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା କରାଯାଉଥିବା ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ତେଣୁ ଅନ୍ୟ ପାଠ୍ୟକ୍ରମରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଉଚ୍ଚଶିକ୍ଷା ବିଭାଗ କେଉଁ ଆଧାରରେ ରାଜ୍ୟ ବାହାର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବାରଣ କରିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏଭଳି ନିୟମ ଦ୍ବାରା ରାଜ୍ୟର ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକର ସ୍ବାୟତ୍ତତା ସଙ୍କୁଚିତ ହେଉଛି। ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ (ନାକ୍) ଓ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ୠାକିଂ ଫ୍ରେମ୍ୱାର୍କ (ଏନଆଇଆରଏଫ)ରେ ବିଶ୍ବବିଦ୍ୟାଳୟର ମାର୍କ ମଧ୍ୟ କଟିବାର ଆଶଙ୍କା ରହିଛି।
ରାଜ୍ୟରେ ଆଇଟିଇପି ପାଠ୍ୟକ୍ରମ ଅଧୀନରେ ରେଭେନ୍ସା ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସମେତ ୧୩ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍ ନାମଲେଖା କରାଯାଉଛି। ଏଥିପାଇଁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ରହିଛି। ପ୍ରାୟ ୧୩୦୦ ସିଟ୍ରେ ଏହି ପାଠ୍ୟକ୍ରମରେ ନାମଲେଖା ହେବ; କିନ୍ତୁ ଏନସିଟିଇ ଦ୍ବାରା ଉକ୍ତ ପାଠ୍ୟକ୍ରମ ପାଇଁ କରାଯାଇଥିବା ନିୟମାବଳୀକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପାଳନ କରାଯାଉନାହିଁ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ସାମସ୍) ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବେ, ସେମାନେ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏଥିସହ ଓଡ଼ିଶାର ବାସିନ୍ଦା ଓ ଦଶମ ଶ୍ରେଣୀରେ ଓଡ଼ିଆ ବିଷୟରେ ପଢ଼ିଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ଦର୍ଶାଇଥିବାବେଳେ ଏନସିଟିଇ ପକ୍ଷରୁ ସେଭଳି କୌଣସି ନିୟମାବଳୀ ନାହିଁ।
ଓଡ଼ିଶାର ବହୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟରେ ବିଏଡ୍ ପଢ଼ୁଛନ୍ତି। ହଜାର ହଜାର ଆଶାୟୀ ସେଠାରୁ ପଢ଼ି ଓଡ଼ିଶାରେ ଶିକ୍ଷକ ଚାକିରି ମଧ୍ୟ କରୁଛନ୍ତି। ବିଶ୍ବବିଦ୍ୟାଳୟରେ ବାହାର ଦେଶ ତଥା ରାଜ୍ୟ ପିଲା ପଢ଼ିବା ନେଇ କୌଣସି ପ୍ରତିବନ୍ଧକ ନାହିଁ। ବିଶ୍ବବିଦ୍ୟାଳୟ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣ ନିମନ୍ତେ ମୁକ୍ତ ହୋଇଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତି ତାହାର ସ୍ବାୟତ୍ତତାକୁ ନଷ୍ଟ କରୁଛି। ବହୁ ମହାବିଦ୍ୟାଳୟରେ ନାକ୍ ମାନ୍ୟତା ନଥିବାରୁ ଏହି ପାଠ୍ୟକ୍ରମ ଖୋଲିବାରୁ ବଞ୍ଚିତ ହୋଇଛନ୍ତି। ଏପରି ସ୍ଥିତିରେ ସିଟ୍ ବଢ଼ାଇବା ଏବଂ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମ ଖୋଲିବା ବଦଳରେ ବାହାର ଛାତ୍ରଛାତ୍ରୀଙ୍କ ପାଇଁ କଟକଣା ଜାରି କରିବାକୁ ଶିକ୍ଷାବିତ୍ ମହଲରେ ନାପସନ୍ଦ କରାଯାଇଛି। ଏ ସଂକ୍ରାନ୍ତରେ ଏନସିଟିଇର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏନସିଟିଇର ମାର୍ଗଦର୍ଶିକା ପାଳନ କରୁନାହିଁ। ପୂର୍ବରୁ ମଧ୍ୟ କିଛି ବିଏଡ୍ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗ ଯୋଗୁଁ ଜାତୀୟସ୍ତରର ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ପରୀକ୍ଷାରେ ସମସ୍ୟା ଭୋଗିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବାର ବ୍ୟବସ୍ଥା ରହିଥିବାବେଳେ ଏହାକୁ ପାଳନ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି କରାଯାଉଛି
Comments are closed.